ଅଭିନେତା ଏଜାଜ ଖାନଙ୍କୁ ଗିରଫ କଲା ଏନସିବି

ମୁମ୍ବାଇ ୩୦/୦୩:  ଅଭିନେତା ଏଜାଜ ଖାନଙ୍କୁ ମଙ୍ଗଳବାର ଏନସିବି ଗିରଫ କରିଛି। ଡ୍ରଗ ପେଡଲର ଶାଦାବ ବାଟାଟାକୁ ଗିରଫ କରାଯିବା ପରେ ଏଜାଜ ଖାନଙ୍କ ନାଁ ଡ୍ରଗ୍ସ ମାମଲାରେ ସାମ୍ନାକୁ ଆସିଥିଲା। ଏନସିବି ଏଜାଜଙ୍କୁ ସାଥିରେ ନେଇ ଅନ୍ଧେରୀ ଏବଂ ଲୋଖଣ୍ଡଓ୍ବାଲାର ବିଭିନ୍ନ ଠିକଣାରେ ସର୍ଚ୍ଚ ଅପରେସନ୍‌ ଜାରି ରଖିଥିବା ସୂଚନା ମିଳିଛି।ମଙ୍ଗଳବାର ଏଜାଜ ଖାନ ରାଜସ୍ଥାନରୁ ମୁମ୍ବାଇ ପହଞ୍ଚିବା ପରେ ତାଙ୍କୁ ଏନସିବି ଗିରଫ କରିଛି । ତେବେ ସେ ନିଜେ ଏନସିବି ଅଧିକାରୀଙ୍କ ଡାକରାରେ ଆସିଛନ୍ତି ତାଙ୍କୁ ଗିରଫ କରାଯାଇନାହିଁ ବୋଲି ଏଜାଜ କହିଛନ୍ତି।ଫିଲ୍ମ ବ୍ୟତୀତ ଟିଭି ଦୁନିଆରେ ଏଜାଜ ଦୀର୍ଘ ଦିନ ହେଲା ସକ୍ରିୟ ଅଛନ୍ତି। ବିଗ୍ ବସ୍‌ରେ ନିଜର ସାଥି ପ୍ରତିଯୋଗୀଙ୍କ ସହ ମାରପିଟ୍‌ କରି ବିବାଦ ଭିତରକୁ ଆସିଥିଲେ ଏଜାଜ।ଏହା ପୂର୍ବରୁ ଫେସବୁକ୍‌ରେ ଆପତ୍ତିଜନକ ପୋଷ୍ଟ କରିବା ମାମଲାରେ ଏଜାଜ ଗିରଫ ହୋଇଥିଲେ। ବିଗ୍‌ ବସ୍‌ ସିଜନ୍‌ ୭ ବ୍ୟତୀତ ଏଜାଜ କମେଡି ନାଇଟ୍‌ ଓ୍ବିଥ କପିଲ, କରମ ଆପନା ଆପନା, କାହାନୀ ହମାରେ ମହାଭାରତ ଏବଂ ରହେ ତେରା ଆଶୀର୍ବାଦ ଭଳି ସିରିୟଲରେ କାମ କରିଛନ୍ତି ଏଜାଜ।