ଆଜି ‘ଭାରତ ବନ୍ଦ’ ସରକାରଙ୍କ ଘୋଷଣା: ବନ୍ଦ ରହିବ ସ୍କୁଲ୍‌, କଲେଜ

ଭୁବନେଶ୍ବର : ତିନିଟି ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଆଜି ଶୁକ୍ରବାର ‘ଭାରତ ବନ୍ଦ’ ଡାକରା ଦିଆଯାଇଛି। ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଭାରତ ବନ୍ଦକୁ ସଫଳ କରିବା ଲାଗି ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ପ୍ରସ୍ତୁତି କରାଯାଇଛି। ବିଶେଷ କରି ସବୁ ଜିଲ୍ଲାର ସଦର ମହକୁମା, ପ୍ରମୁଖ ରାସ୍ତାଘାଟରେ ବନ୍ଦ ପାଳନ ପାଇଁ ଯୋଜନା ରହିଛି।‘ଭାରତ ବନ୍ଦ’ ସମୟରେ ରାଜ୍ୟର ପ୍ରମୁଖ ହାଟ, ବଜାର ବନ୍ଦ ରହିବ ବୋଲି ସୂଚନା ମିଳିଛି। ବିଭିନ୍ନ ସ୍ଥାନରେ ସ୍ଥାନୀୟ ବ୍ୟବସାୟୀମାନେ ଏପରି ନିଷ୍ପତ୍ତି ନେଇଛନ୍ତି। ସେହିପରି ଯାତ୍ରୀ ଓ ମାଲ୍‌ ପରିବହନ ମଧ୍ୟ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। ଯଦିଓ ବସ୍‌ ଚଳାଚଳ ବନ୍ଦ କରିବାକୁ ବସ୍‌ ମାଲିକ ସଂଘ ନିଷ୍ପତ୍ତି ନେଇନାହିଁ, ତେବେ ଯାତ୍ରୀ ହେବାର ସମ୍ଭାବନା ନ ଥିବାରୁ ବସ୍ ଚଳାଚଳ ଆପାତତଃ ବନ୍ଦ ରହିବ। ଅଧିକାଂଶ ସ୍ଥାନରେ ଅଟୋ, ଟ୍ୟାକ୍ସି ଚଳାଚଳ ହେବ ନାହିଁ। ବିଭିନ୍ନ ଷ୍ଟେସନ୍‌ରେ ବନ୍ଦ ପାଳକାରୀମାନେ ପିକେଟିଂ କରିବାକୁ ଯୋଜନା କରିଥିବାରୁ ଟ୍ରେନ୍‌ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। ବନ୍ଦ ପାଳନ କରୁଥିବା ବିଭିନ୍ନ ସଂଗଠନ ପକ୍ଷରୁ ଆମ୍ବୁଲାନ୍ସ, କ୍ଷୀର ଗାଡ଼ି, ବିବାହ କାର୍ଯ୍ୟକ୍ରମ ଆଦିରେ ବାଧା ନ ଦେବାକୁ ନିବେଦନ କରାଯାଇଛି। ବନ୍ଦ ପାଳନ ବେଳେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜେ, ସେଥିପାଇଁ ପୁଲିସ୍ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି କରାଯାଇଛି।

LEAVE A COMMENT