ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର କିଛିସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇଥିବା ସହିତ ମୌସୁମୀ ପ୍ରଭାବ ମୁଖ୍ୟତଃ ଦୁର୍ବଳ ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ।
ସର୍ବାଧିକ ବର୍ଷା କୋରାପୁଟ ଜିଲ୍ଲାର ଲାମତାପୁଟ ଠାରେ ୭୨.୪ ମିଲିମିଟର ରେକର୍ଡ କରାଯାଇଛି। ମୌସୁମୀ ଜନିତ ନିମ୍ନ ଚାପ ରେଖା ରାଜସ୍ଥାନର ବିକାନିରରୁ ବାହାରି ଶ୍ରୀପୁରୀ, ସିଦ୍ଧି, ପାଟନା ଏବଂ ବାଲୁରଘାଟ ମଧ୍ୟ ଦେଇ ପୂର୍ବରେ ଏହା ନାଗାଲ୍ୟାଣ୍ଡ ଯାଏଁ ଲମ୍ବିଛି।
ମୌସୁମୀ ଜିନିତ ନିମ୍ନ ଚାପରେଖାର ପୂର୍ବଭାଗ ଦେଖିବାକୁ ଗଲେ ଏହା ସାଧାରଣ ଅବସ୍ଥାନ ଠାରୁ ଉତ୍ତରରେ ରହୁଥିବାରୁ ମୌସୁମୀ ପ୍ରଭାବ ଓଡ଼ିଶା ଉପରେ ଦୁର୍ବଳ ରହିଛି। ଏହି ପରିସ୍ଥିତି ଆଗମୀ ତିନିଦିନ ପର୍ଯ୍ୟନ୍ତ ଲାଗି ରହିବ ବୋଲି ପୂର୍ବାନୁମାନ କରାଯାଇଛି।
ଅଗଷ୍ଟ ୨୫ ତାରିଖ ବେଳକୁ ଉତ୍ତର-ଦକ୍ଷିଣ ମୌସୁମୀ ଜନିତ ନିମ୍ନଚାପ ରେଖା ଉପକୂଳ ଓଡ଼ିଶା ମଧ୍ୟ ଦେଇ ଗତି କରିବ। ଏହାର ପ୍ରଭାବରେ ମୌସୁମୀଜନିତ ନିମ୍ନଚାପ ରେଖା ଧୀରେଧୀରେ ଦକ୍ଷିଣ ଆଡ଼କୁ ଗତି କରି ସାଧାରଣ ଅବସ୍ଥାନକୁ ଫେରିବ। ଏହାର ପ୍ରଭାବରେ ଓଡ଼ିଶାର ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହିତ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷ ହେବାର ଆଶଙ୍କା ରହିଛି। ଏଥିପାଇଁ ଅଗଷ୍ଟ ୨୫ ଓ ୨୬ ତାରିଖରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଦେଖିବାକୁ ଗଲେ ୨୭ଟି ଜିଲ୍ଲାରେ ନିଆଣ୍ଟିଆ ବର୍ଷା ରେକର୍ଡ କରାଯାଇଛି। ଆଜି ଭୁବନେଶ୍ବର ଓ କଟକରେ ଆକାଶ ମୁଖ୍ୟତଃ ଆଂଶିକ ମେଘାଛନ୍ନ ରହିବା ସହିତ ହାଲୁକା ବର୍ଷା ସମ୍ଭାବନା ରହିଛି।
