ବର୍ଷକ ଭିତରେ ୧୬୦ ମାଓବାଦୀଙ୍କ ମୁଣ୍ଡ ନେଇଛନ୍ତି ସୁରକ୍ଷାକର୍ମୀ

ଭୁବନେଶ୍ୱର: ବର୍ଷକ ଭିତରେ ୧୬୦ ଜଣ ମାଓବଦୀଙ୍କ ମୃତ୍ୟୁ ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଅଧିକାଂଶ ନକ୍ସଲଙ୍କ ମୃତ୍ୟୁ ହୋଇଥିବା  ବେଳେ କେତେକ ଟପ୍ ମାଓନେତା କରୋନାର ମଧ୍ୟ ଶିକାର ହୋଇଛନ୍ତି। ଏକ ପ୍ରେସ୍ ରିଲିଜରେ ଏହି ସୂଚନା ଦେଇଛି ସେଣ୍ଟ୍ରାଲ କମିଟି। ଏଥିରେ କୁହାଯାଇଛି ଯେ, କରୋନାରେ ୧୩ ଜଣ ଟପ୍ ମାଓନେତାଙ୍କ ମୃତ୍ୟୁ ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ଅଛନ୍ତି ହରିଭୂଷଣ। ସେ ସେଣ୍ଟ୍ରାଲ କମିଟିର ସଦସ୍ୟ ଥିଲେ। ତାଙ୍କ ନାଁରେ ୪୦ ଲକ୍ଷ ଟଙ୍କାର ପୁରସ୍କାର ଥିଲା। ସବୁଠାରୁ ଅଧିକ ଦଣ୍ଡକାରଣ୍ୟ ସଂଗଠନର ୧୦୧ ଜଣ ମାଓବାଦୀ ସୁରକ୍ଷାକର୍ମୀଙ୍କ ଗୁଳିର ଶିକାର ହୋଇଛନ୍ତି। ସେହିପରି ଓଡ଼ିଶାର ୧୪, ଓଡ଼ିଶା ଓ ଆନ୍ଧ୍ର ସୀମାରେ ୧୧, ତେଲେଙ୍ଗାନାରେ ୧୪, ବିହାର-ଝାଡ଼ଖଣ୍ଡରେ ୧୧, ଏମ୍ଏମ୍ସିରେ ୮ ଓ ପଶ୍ଚିମ ଘାଟିରେ ଜଣେ ମାଓବାଦୀ ସୁରକ୍ଷାକର୍ମୀଙ୍କ ଗୁଳିର ଶିକାର ହୋଇଛନ୍ତି। ୧୬୦ ମୃତକଙ୍କ ମଧ୍ୟରେ ୩୦ ଜଣ ମହିଳା ମାଓବାଦୀ ଅଛନ୍ତି।

ତେବେ ଗତକାଲି ଛତିଶଗଡ ନାରାୟଣପୁରରେ ନକ୍ସଲମାନେ ପୁଣି ଘଟାଇଛନ୍ତି ବର୍ବର କାଣ୍ଡ। ଶନିବାର ସକାଳୁ ସକାଳୁ ଅମଦାଈ ଖଣିରେ ନକ୍ସଲମାନେ ଆକ୍ରମଣ କରିଛନ୍ତି। ଖଣି କାମରେ ଲାଗିଥିବା ଗାଡିରେ ନକ୍ସଲମାନେ ନିଆଁ ଲଗାଇ ଦେଇଛନ୍ତି। ପ୍ରାୟ ୫ଟି ଗାଡ଼ି ଜଳିଯାଇଛି।ଏଠାରେ କାମ କରୁଥିବା କର୍ମଚାରୀଙ୍କୁ ମାରପିଟ କରିବା ସହ ୧୨ ଜଣ କର୍ମଚାରୀଙ୍କୁ ବନ୍ଧକ ରଖିଥିଲେ। ପରେ ୧୦ ଜଣଙ୍କୁ ଛାଡ଼ି ଦେଇଥିଲେ ହେଁ ୨ ଜଣଙ୍କୁ ଏ ପର୍ଯ୍ୟନ୍ତ ରଖିଛନ୍ତି। କମ୍ପାନୀର ସୁରକ୍ଷାକର୍ମୀଙ୍କ ସହ ମଧ୍ୟ ନକ୍ସଲଙ୍କର ମୁହାଁମୁହିଁ ହୋଇଥିଲା। ଏହି ଅଞ୍ଚଳରେ ସମୟ ବ୍ୟବଧାନରେ ଫାୟାରିଂ ହେଉଛି। ବସ୍ତର ଆଇଜି ସୁନ୍ଦରରାଜ ପୀ ଘଟଣା ଉପରେ ତୀକ୍ଷ୍‌ଣ ନଜର ରଖିଛନ୍ତି।

ପୋଲିସ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ପ୍ରାୟ ୧୦୦୦ରୁ ଅଧିକ ନକ୍ସଲ ଆକ୍ରମଣ କରିଥିଲେ। ନକ୍ସଲମାନେ ଛୋଟା ଡଙ୍ଗର ପୋଲିସ ଥାନା ଉପରକୁ ଲକ୍ଷ୍ୟ କରି ଗୁଳି କରିଥିଲେ। ସୂଚନାଥାଉ କି, ଅମଦାଈ ଖାଦାନ ଛୋଟା ଡୋଙ୍ଗର ଥାନା ଅଞ୍ଚଳରେ ଆସୁଛି। ଆଜି ସକାଳେ ଏଠାରେ ସବୁଦିନ ପରି କାମ ଚାଲିଥିଲା। ହଠାତ୍‌ ନକ୍ସଲମାନେ ଆକ୍ରମଣ କରିଥିଲେ। କିଛି ସମୟ ପରେ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ।

ଏହାସହ ଗତ ୧ ତାରିଖରେ ପୋଲିସ ଏନକାଉଣ୍ଟରରେ ଜଣେ ହାର୍ଡ କୋର ମାଓବାଦୀର ମୃତ୍ୟୁ ହୋଇଥିଲା। ଘଟଣା ସ୍ଥଳରୁ ଅତ୍ୟାଧୁନିକ ଓ୍ୱାକିଟକି ସହ ବନ୍ଧୁକ ଜବତ ହୋଇଥିଲା। ସୂଚନା ଅନୁସାରେ, ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବସ୍ତର ଜିଲ୍ଲାର ଏଲନଗନାର ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଥିଲା। ପୋଲିସ କାର୍ଯ୍ୟାନୁଷ୍ଠାନରେ ଜଣେ ହାର୍ଡ କୋର ମାଓବାଦୀର ମୃତ୍ୟୁ ହୋଇଛି। DRG ଯବାନଙ୍କ ଅପରେସନ ବେଳେ ଏହି ସଫଳତା ମିଳିଥିଲା |

LEAVE A COMMENT