ସୁରକ୍ଷା କର୍ମୀ ମାଡ଼ରେ ଯୁବକଙ୍କ ମୃତ୍ୟୁ ପ୍ରସଙ୍ଗ: ଉପସ୍ଥିତ ଥିଲା ବତି ଲଗା ଗାଡ଼ି

ରାଉରକେଲା: ଆର୍‌ଏସ୍‌ପି ହଟ୍‌ ଷ୍ଟ୍ରିପ୍‌ ମିଲ୍‌-୨ ପରିସରରେ ଜଣେ ଯୁବକଙ୍କୁ ତଳେ ପକାଇ ନିର୍ଧୁମ ମାଡ଼ ମାରିବା ଭିଡିଓ ଭାଇରାଲ୍‌ ହେବାପରେ ନୂଆ ନୂଆ ତଥ୍ୟ ପଦାକୁ ଆସିଛି। ଆର୍‌ଏସ୍‌ପି ଭିତରକୁ ପଶିଥିବା ଦେଓଗାଁ ସ୍ଥିତ ମେହେର ବସ୍ତିର ବାସିନ୍ଦା ସଚିନ ଗୋପ (୨୪)ଙ୍କୁ ମାଡ଼ ମାରିବାପରେ ବାହାରକୁ ଫିଙ୍ଗିବାର କିଛି ସମୟପରେ ମୃତ୍ୟୁ ହୋଇଥିବା ଗତକାଲି ପରିବାରବର୍ଗ ଅଭିଯୋଗ କରିଥିଲେ। ଏହି ମାମଲାର ତଦନ୍ତ ଜାରି ରଖିଥିବା ଟାଙ୍ଗରପଲ୍ଲୀ ପୁଲିସ  ଭିଡିଓକୁ ପୁରୁଣାବୋଲି କହିଛନ୍ତି। ଏହି ମାଡ଼ ମାରିବା ଭିଡିଓ ଓ ଯୁବକଙ୍କ ମୃତ୍ୟୁ ଭିତରେ ଆର୍‌ଏସ୍‌ପି ସହ ସଂଶ୍ଲିଷ୍ଟ କୌଣସି ବ୍ୟକ୍ତିଙ୍କ ସଂପର୍କ ନଥିବା ଆଜି କାରଖାନା ପକ୍ଷରୁ କୁହାଯାଇଛି। କିଏ ସତ କହୁଛି, ତାହା ସତ୍ୟାସତ୍ୟ ଅନୁସନ୍ଧାନ ପରେ ସ୍ପଷ୍ଟ ହେବ। ତେବେ ମାମଲାର ପ୍ରକୃତ ସନ୍ଧାନ ହେବ ନା ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ାଯିବ, ସେନେଇ ଏବେଭିନ୍ନ ଭିନ୍ନ ଚର୍ଚ୍ଚା ଆଲୋଚନା ଜୋର୍‌ ଧରିଛି।

ଅପରପକ୍ଷରେ ଭିଡିଓରେ ଯେଭଳି ବିଭତ୍ସ ଭାବେ ଯୁବକଙ୍କୁ ମାଡ଼ ମରାଯାଉଛି ତାହା, ନିଶ୍ଚିତଭାବେ ଅଗ୍ରହଣୀୟ। ଏହି ସିସିଟିଭିରେ କଏଦ୍‌ ୧ ମିନିଟ ୧୧ ସେକେଣ୍ଡ୍‌ରୁ ଜଣାପଡ଼ୁଛି ଯେ, ଜଣେ ଯୁବକ ତଳେ ପଡ଼ିଯାଇଥିବାବେଳେ ଜଣେ ବ୍ୟକ୍ତି ନିର୍ଧୁମ ମାଡ଼ ମାରି ଚାଲିଚାଲିଛନ୍ତି। ପାହାର ଉପରେ ପାହାର ଦେଇଚାଲିଛନ୍ତି। ଏମିତିକି ଆଉ ଜଣେ ବ୍ୟକ୍ତି ଯୁବକଙ୍କୁ ମୁଣ୍ଡରେ ଗୋଇଠା ମାରୁଛନ୍ତି। ଏମିତିକି ଜୋତାରେ ମୁଣ୍ଡକୁ ଚାପି ଦେଉଥିବା ଦେଖିବାକୁ ମିଳିଛି।

ପ୍ରକୃତରେ ତଳେ ପଡ଼ିଯାଇଥିବା ଜଣେ ଯୁବକଙ୍କୁ ଦୁଇ ଜଣ ବ୍ୟକ୍ତି ମାଡ଼ ମାରୁଥିବାବେଳେ ଆଉ ଦୁଇ ଜଣ ବ୍ୟକ୍ତି ପରସ୍ପରକୁ ଚାପୁଡ଼ା ମାରୁଥିବା ଦେଖିବାକୁ ମିଳିଛି। ସମ୍ଭବତଃ ଏହି ଦୁଇ ବ୍ୟକ୍ତି ମଧ୍ୟ କାରଖାନାକୁ ପଶିଥିଲେ। ଧରାପଡ଼ିଯିବାପରେ ସେମାନଙ୍କୁ ଦଣ୍ଡବିଧାନ ସ୍ବରୂପ ପରସ୍ପରକୁ ମାଡ଼ ମାରିବାକୁ ସେଠାରେ ଉପସ୍ଥିତ କର୍ମଚାରୀମାନେ ନିର୍ଦ୍ଦେଶ ଦେଇଥିଲେ। ଘଟଣାସ୍ଥଳରେ ଗୋଟିଏ ବତି ଲାଗିଥିବା ଗାଡ଼ି ଛିଡ଼ା ହୋଇରହିଛି, ଯାହାକି ସମସ୍ତଙ୍କୁ ଚକିତ କରିବା ସହ ସମଗ୍ର ମାମଲାକୁ ଆହୁରି ରହସ୍ୟ ଭିତରକୁ ଠେଲିଦେଇଛି। ଉଲ୍ଲେଖଯୋଗ୍ୟ, ଆର୍‌ଏସ୍‌ପିରେ କେବଳ ସିଆଇଏସ୍‌ଏଫ୍‌ ଡିଆଇଜି ହିଁ ବତି ଲଗା ଗାଡ଼ି ବ୍ୟବହାର କରନ୍ତି। ଏଣୁ ତିନି ଯୁବକଙ୍କୁ ମାଡ଼ ମରାଯାଉଥିବାବେଳେ ସିଆଇଏସ୍‌ଏଫ୍‌ ଡିଆଇଜି ଉପସ୍ଥିତ ଥିଲେ କି? ଯଦି ଡିଆଇଜି ଉପସ୍ଥିତ ନ ଥିଲେ, ତେବେ ପୁଲିସ ମହଜୁଦ ଥିଲା କି? ଏଭଳି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରିଲାଣି। ତେବେ ଏନେଇ ଆନୁଷ୍ଠାନିକଭାବେ କୌଣସି ଉତ୍ତର ମିଳିପାରିନାହିଁ।

କାରଖାନା ସହ ସଂଶ୍ଲିଷ୍ଟ କୌଣସି ବ୍ୟକ୍ତିଙ୍କ ସଂପୃକ୍ତି ନାହିଁ: ଆର୍‌ଏସ୍‌ପି

ଏହି ମାମଲା ନେଇ ଆଜି ଆର୍‌ଏସ୍‌ପି ପକ୍ଷରୁ ସଫେଇ ଦିଆଯାଇଛି। କୁହାଯାଇଛି, ଜାତୀୟ ରାଜପଥ କଡ଼ରେ ଜଣେ ଆହତ ଯୁବକଙ୍କୁ ପୁଲିସ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଏହି ସମୟରେ ଏକ ପୁରୁଣା ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଉଭୟ ଘଟଣା ଭିନ୍ନ ଏବଂ ଏଥିରେ କାରଖାନା ସହ ସଂପୃକ୍ତ କୌଣସି ବ୍ୟକ୍ତିଙ୍କ ସମ୍ପର୍କ ନାହିଁ। ‌ଏହି ଘଟଣା ବିଷୟରେ କାରଖାନା କର୍ତୃପକ୍ଷ ଅବଗତ ଅଛନ୍ତି। ସତ୍ୟାସତ୍ୟ ଅନୁସନ୍ଧାନ ପାଇଁ ଏକ କମିଟି ଗଠନ କରାଯାଇଥିବା କୁହାଯାଇଛି।