“ନିଜକୁ ସିଂହ ଭାବୁଥିଲା…ଏଇ ନିଅ ତମ ପୁଅ” ଯୁବକକୁ ହତ୍ୟା କରିବା ପରେ ବାପା ଆଗରେ ପକାଇଲେ ଶବ – Utkal Mail
କପୁରଥଲା: ପଞ୍ଜାବର କପୁରଥଲାରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରିବା ଘଟଣା ସାମ୍ନାକୁ ଆସିଛି। ଅଭିଯୁକ୍ତମାନେ ଉକ୍ତ ଯୁବକକୁ ଖଣ୍ଡାରେ କାଟି ହତ୍ୟା କରିବା ପରେ ତାଙ୍କ ଘର ସାମନାରେ ଫିଙ୍ଗି ଦେଇଛନ୍ତି । ଏପରିକି ହତ୍ୟାକାରୀମାନେ ମୃତଯୁବକର ବାପାଙ୍କୁ ଡାକି ତାଙ୍କ ଆଗରେ ମୃତଦେହକୁ ଫିଙ୍ଗିଦେଇଥିଲେ ଓ କହିଥିଲେ ଯେ ‘ତମପୁଅ ନିଜକୁ ସିଂହ ବୋଲି ଭାବୁଛି, ଏଇ ନିଅ ତାର ଶବ ।“
ମୃତ ଯୁବକର ବାପାଙ୍କ ଅଭିଯୋଗ କ୍ରମେ ପୁଲିସ ଜଣେ ବ୍ୟକ୍ତିଙ୍କ ସମେତ ୫ ଜଣଙ୍କ ନାମରେ ହତ୍ୟା ମାମଲା ରୁଜୁ କରିଛି। ଏହି ମାମଲାର ତଦନ୍ତ ଜାରି ରହିଛି। ଏହି ମାମଲାରେ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇନାହିଁ।
ଘଟଣାଟି ହେଉଛି କପୁରଥାଲାର ଧିଲୱା ଥାନା ଅଞ୍ଚଳର ଧିଲୱା ପଟ୍ଟିର। ପୁଲିସ ସୂଚନା ଅନୁଯାୟୀ, ଧିଲୱାନ୍ ପଟ୍ଟିରେ ରହୁଥିବା ଗୁରନାମ ସିଂହଙ୍କ ପୁଅ ହରଦୀପ ସିଂ ଓରଫ ଦୀପା ଚାଷବାସ କରୁଥିଲେ । ଗାଁର ହରପ୍ରୀତ ସିଂହ ଓରଫ ହ୍ୟାପିଙ୍କ ସହ ତାଙ୍କର ଦୀର୍ଘଦିନ ଧରି ବିବାଦ ରହିଥିଲା। ପୂର୍ବରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ବିବାଦ ପରେ ଦୀପା ଗିରଫ ଭୟରେ ଫେରାର ହୋଇଯାଇଥିଲା । ତେବେ ସେପ୍ଟେମ୍ବର ୧୯ ତାରିଖରେ ସେ ଘରକୁ ଆସି ବ୍ୟାଙ୍କ ପାସ୍ବୁକ୍ ନେଇ ପୁଣି ପଳାଇଯାଇଥିଲା । କିନ୍ତୁ ସେହି ଦିନ ରାତି ପ୍ରାୟ ସାଢ଼େ ୧୦ଟା ବେଳେ ହରପ୍ରୀତ କିଛି ଲୋକଙ୍କ ସହ ଆସି ଦୀପାର ମୃତଦେହ ଫିଙ୍ଗିଚାଲିଯାଇଥିଲା ।