ନୀତି

ନୂଆ ଗବେଷଣା: ଶରୀର ବିନା ସକ୍ରିୟ ରହୁଛି ମସ୍ତିଷ୍କ – Utkal Mail


ଆମ ଶରୀରର ଯାବତୀୟ କାର୍ଯ୍ୟକୁ ମସ୍ତିଷ୍କ ନିୟନ୍ତ୍ରଣ କରିଥାଏ। ଶରୀର ଭିତରେ ଅର୍ଥାତ୍‌ ଶରୀର ସହ ସଂଯୁକ୍ତ ଥିଲା ବେଳେ ହିଁ ମସ୍କିଷ୍କ ନିଜର ଏହି ସକ୍ରିୟତା ବଜାୟ ରଖିଥାଏ। ମାତ୍ର ଆମେରିକାର ଡାଲାସ୍‌ସ୍ଥିତ ଟେକ୍ସାସ ବିଶ୍ବବିଦ୍ୟାଳୟର ଦକ୍ଷିଣପଶ୍ଚିମ ଭେଷଜ କେନ୍ଦ୍ରର ଗବେଷକମାନେ ଏପରି ଏକ ପ୍ରକ୍ରିୟା ବିକଶିତ କରି ପାରିଛନ୍ତି, ଯାହା ମାଧ୍ୟମରେ ଶରୀର ସହ ସଂଯୁକ୍ତ ନଥାଇ ମଧ୍ୟ ମସ୍ତିଷ୍କ ଅନେକ ସମୟ ଧରି ଜୀବନ୍ତ ତଥା ସକ୍ରିୟ ରହିପାରୁଛି। ଏପରି ଏକ ଅଭିନବ ବୈଜ୍ଞାନିକ ପରୀକ୍ଷାନିରୀକ୍ଷା ବ୍ୟଙ୍ଗାତ୍ମକ ଟେଲିଭିଜନ୍‌ ଧାରାବାହିକ ‘ଫ୍ୟୁଚରମା’ର କାଚ ଜାର୍‌ ଭିତରେ ବର୍ଷ ବର୍ଷ ଧରି ମସ୍ତିଷ୍କକୁ ସଂରକ୍ଷିତ କରି ରଖିବାର ଦୃଶ୍ୟକୁ ମନେ ପକାଇ ଦେଇଛି।

ଏହି ଗବେଷକ ଦଳ ଦୁଇଟି ଘୁଷୁରିର ମସ୍ତିଷ୍କକୁ ସେମାନଙ୍କ ଶରୀରରୁ ଅଲଗା କରି ‘ଏକ୍‌ଷ୍ଟ୍ରାକର୍ପୋରିଆଲ୍‌ ପଲ୍‌ସାଟାଇଲ୍‌ ସର୍କୁଲାର କଣ୍ଟ୍ରୋଲ୍‌’ (ଇପିସିସି) ନାମକ ଏକ ଅତ୍ୟାଧୁନିକ ଉପକରଣ ସହ ସଂଯୁକ୍ତ ରଖି ଏହି ସଫଳତା ହାସଲ କରିଛନ୍ତି। ଏହି ଉପକରଣ ଶରୀରରେ ପ୍ରାକୃତିକ ରକ୍ତ ପ୍ରବାହ ପରି ଉକ୍ତ ଶରୀର ବାହ୍ୟସ୍ଥ ମସ୍ତିଷ୍କରେ ରକ୍ତ ସଂଚାଳନ ଜାରି ରଖିଥିଲା। ଏହା ଦ୍ବାରା ଶରୀର ବାହାରେ ମଧ୍ୟ ମସ୍ତିଷ୍କ ଦୁଇଟି ୫ ଘଣ୍ଟା ଧରି ସକ୍ରିୟ ରହିପାରିଥିଲେ। ଏହି ପରୀକ୍ଷାନିରୀକ୍ଷା ସମୟରେ ସେମାନେ ମସ୍ତିଷ୍କ ଉପରେ ଶର୍କରାର ପ୍ରଭାବକୁ ଶରୀରର ଅନ୍ୟାନ୍ୟ ପ୍ରକ୍ରିୟାଠାରୁ ଅଲଗା କରି ଅଧ୍ୟୟନ କରିବାରେ ସକ୍ଷମ ହୋଇଥିଲେ। ଭବିଷ୍ୟତର ପ୍ରୟୋଗକୁ ଦୃଷ୍ଟିରେ ରଖି ଏହି ଗବେଷକ ଦଳ କୌତୂହଳ ପ୍ରକାଶ କରିଛନ୍ତି ଯେ, ହୃତ୍‌ପିଣ୍ଡ ପାଇଁ ବର୍ତ୍ତମାନ ବ୍ୟବହାର କରାଯାଉଥିବା କାର୍ଡିଓପଲ୍‌ମୋନାରି ବାଇପାସ୍‌ ପ୍ରକ୍ରିୟାର ଜଟିଳତାକୁ ଦୂରେଇ ଦେବା ପାଇଁ ଏହି ଇପିସିସି ଉପକରଣ ଉପାଦେୟ ହୋଇପାରିବ।




Related Articles

Leave a Reply

Your email address will not be published. Required fields are marked *

Back to top button