ତ୍ରିପୁରା ହୋଟେଲ ସଂଘର ନିଷ୍ପତ୍ତି: ବାଂଲାଦେଶୀଙ୍କୁ ମିଳିବନି ଖାଦ୍ୟ ଓ ଆଶ୍ରୟ
ଅଗରତାଲା: ତ୍ରିପୁରାର ହୋଟେଲ ଓ ରେସ୍ତୋରାଁ ମାଲିକମାନେ ବାଂଲାଦେଶୀ ଯାତ୍ରୀମାନଙ୍କୁ ଖାଦ୍ୟ ଓ ରୁମ୍ ପ୍ରଦାନ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବାଂଲାଦେଶରେ ହିନ୍ଦୁଙ୍କ ବିରୋଧରେ ହିଂସାକୁ ନେଇ ଅଲ୍ ତ୍ରିପୁରା ହୋଟେଲ ଆଣ୍ଡ ରେସ୍ତୋରାଁ ଆସୋସିଏସନ୍ (ଏଟିଆର୍ଓଏ) ଏକ ଜରୁରୀ ବୈଠକରେ ଏହି ନିଷ୍ପତ୍ତି ନେଇଛି। ହୋଟେଲ ସଂଘର ସାଧାରଣ ସମ୍ପାଦକ ସୈକତ ବନ୍ଦ୍ୟୋପାଧ୍ୟାୟ କହିଛନ୍ତି- ବାଂଲାଦେଶରେ ସଂଖ୍ୟାଲଘୁଙ୍କୁ ନିର୍ଯାତନା ଦିଆଯାଉଛି। ପୂର୍ବରୁ ମଧ୍ୟ ଏଭଳି ଘଟଣା ଘଟୁଥିଲା କିନ୍ତୁ ଏବେ ସୀମା ଅତିକ୍ରମ କରିଛି। ବାଂଲାଦେଶରେ ସଂଖ୍ୟାଲଘୁଙ୍କ ପ୍ରତି ହେଉଥିବା ବ୍ୟବହାରକୁ ଆମେ ନିନ୍ଦା କରୁଛୁ।
ତ୍ରିପୁରା ଓ କୋଲକାତାର ହସ୍ପିଟାଲଗୁଡ଼ିକ ମଧ୍ୟ ବାଂଲାଦେଶୀଙ୍କ ଚିକିତ୍ସା କରିବାକୁ ମନା କରିଦେଇଛନ୍ତି। ତ୍ରିପୁରାର ଆଇଏଲ୍ଏସ୍ ହସ୍ପିଟାଲ ଶନିବାର ବାଂଲାଦେଶୀଙ୍କ ଚିକିତ୍ସା କରିବାକୁ ମନା କରିଦେଇଥିଲା। କୋଲକାତାର ସିଲିଗୁଡ଼ିରେ ଡାକ୍ତର ଶେଖର ବନ୍ଦୋପାଧ୍ୟାୟ ତାଙ୍କ ଘରୋଇ କ୍ଲିନିକରେ ତ୍ରିରଙ୍ଗା ଲଗାଇ ଏକ ବାର୍ତ୍ତା ଲେଖିଛନ୍ତି- ଭାରତର ଜାତୀୟ ପତାକା ଆମ ମା’ ପରି। ଦୟାକରି ଚେମ୍ବରରେ ପ୍ରବେଶ କରିବା ପୂର୍ବରୁ ତ୍ରିରଙ୍ଗାକୁ ସଲାମ କରନ୍ତୁ। ବିଶେଷ କରି ବାଂଲାଦେଶୀ ରୋଗୀ ଯଦି ସଲାମ ନ କରନ୍ତି, ତେବେ ସେମାନଙ୍କୁ ଭିତରକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ।
ତ୍ରିପୁରାର ରାଜଧାନୀ ଅଗରତାଲାରେ ଥିବା ବାଂଲାଦେଶ ସହକାରୀ ଉଚ୍ଚାୟୁକ୍ତ କାର୍ଯ୍ୟାଳୟ ନିକଟରେ ସୋମବାର ଅନେକ ଲୋକ ଏକ ରାଲି କରି ଚିଟଗାଓଁ ଇସ୍କନର ପୂର୍ବତନ ପ୍ରମୁଖ ଚିନ୍ମୟ ପ୍ରଭୁଙ୍କ ଗିରଫଦାରୀକୁ ବିରୋଧ କରିଛନ୍ତି। ବାଂଲାଦେଶ ସହକାରୀ ଉଚ୍ଚାୟୁକ୍ତ କାର୍ଯ୍ୟାଳୟ ପରିସରରେ ୫୦ରୁ ଅଧିକ ବିକ୍ଷୋଭକାରୀ ପ୍ରବେଶ କରି ଭଙ୍ଗାରୁଜା କରିଥିଲେ। ଏହି ମାମଲାରେ ମଙ୍ଗଳବାର ୩ ଜଣ ସବ୍ଇନ୍ସପେକ୍ଟରଙ୍କୁ ନିଲମ୍ବିତ କରାଯାଇଛି। ଏହାବ୍ୟତୀତ ବିକ୍ଷୋଭ କରୁଥିବା ୭ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି। ତ୍ରିପୁରାରେ ଘଟିଥିବା ଏହି ଭଙ୍ଗାରୁଜା ଘଟଣାକୁ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ନିନ୍ଦା କରାଯାଇଛି।