ମହାରାଷ୍ଟ୍ରରେ ଶପଥ ସମାରୋହ ପାଇଁ ଜୋରଦାର ପ୍ରସ୍ତୁତି: ସିନ୍ଦେଙ୍କୁ ଭେଟିଲେ ଫଡ଼ନାବିସ
ମୁମ୍ବାଇ: ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ମୁମ୍ବାଇର ଆଜାଦ ମଇଦାନରେ ଜୋରଦାର ପ୍ରସ୍ତୁତି ଚାଲିଛି। କିନ୍ତୁ ମୁଖ୍ୟମନ୍ତ୍ରୀ ଭାବେ କିଏ ଶପଥ ନେବେ ସେ ଅଡ଼ୁଆ ଏଯାଏଁ ତୁଟିନି। ମହାୟୁତି ମେଣ୍ଟରେ ୩ ରାଜନୈତିକ ଦଳର ପ୍ରମୁଖ ନେତାମାନେ ଏଯାବତ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ୍ଙ୍କୁ ଭେଠି ସରକାର ଗଠନ ପାଇଁ ଦାବି କରିନାହାନ୍ତି। ଆଜି ବିଜେପି ସୂତ୍ରରୁ ଜଣାପଡ଼ିଛି ଯେ, ଡିସେମ୍ବର ୫ ତାରିଖରେ କେବଳ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ସହ ୨ ଉପମୁଖ୍ୟମନ୍ତ୍ରୀ ଶପଥ ନେବେ। ବିଜେପିର ଦେବେନ୍ଦ୍ର ଫଡ଼ନାବିସ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ଏବଂ ଏକନାଥ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ହେବାପାଇଁ ରାଜି ହୋଇଥିବା ଜଣାପଡ଼ିଛି। ଏକନାଥ ସିନ୍ଦେ ଏବଂ ଏନ୍ସିପି ନେତା ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି। ଆଜି ମନ୍ତ୍ରିମଣ୍ଡଳ ଗଠନକୁ ନେଇ ବିଜେପି-ଶିବସେନା-ଏନ୍ସିପି ମଧ୍ୟରେ ସହମତି ହୋଇଥିବା କୁହାଯାଥିବା ବେଳେ ଆନୁଷ୍ଠାନିକ ଭାବେ କିଛି ଘୋଷଣା ହୋଇନାହିଁ। ଫଡ଼ନାବିସ ଆଜି ସିନ୍ଦେଙ୍କୁ ଭେଟି ଆଲୋଚନା କରିଛନ୍ତି।
କାମଚଳା ମୁଖ୍ୟମନ୍ତ୍ରୀ ସିନ୍ଦେ ଆଜି ପୁଣି ଅସୁସ୍ଥ ହୋଇପଡ଼ିବାରୁ ଥାନେର ଜୁପିଟର ହସ୍ପିଟାଲ୍କୁ ଚିକିତ୍ସା ପାଇଁ ଯାଇଥିଲେ। ତେବେ ସ୍ବାସ୍ଥ୍ୟାବସ୍ଥାରେ ସୁଦ୍ଧାର ଆସିବାପରେ ସେ ହସ୍ପିଟାଲରୁ ଡିସ୍ଚାର୍ଜ ହୋଇ ତାଙ୍କ ସରକାରୀ ବାସଭବନ ‘ବର୍ଷା’କୁ ଯାଇଛନ୍ତି। ଡିସେମ୍ବର ୬ ତାରିଖରେ ଡକ୍ଟର ବି.ଆର ଆମ୍ବେଦକରଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଚୈତନ୍ୟଭୂମିରେ ଏକ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ସଂକ୍ରାନ୍ତରେ ଆଲୋଚନା କରିବାପାଇଁ ଏକନାଥ ସିନ୍ଦେ ଆଜି ବୈଠକ କରିଥିଲେ। ଏହି ବୈଠକରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଫଡ଼ନାବିସ ସାମିଲ ହୋଇଥିଲେ।
ଶପଥ ଗ୍ରହଣ କାର୍ଯ୍ୟକ୍ରମ ପରେ ବିଜେପି, ଶିବସେନା ଏବଂ ଏନ୍ସିପି ମଧ୍ୟରେ ବିଭାଗ ବଣ୍ଟନ ହେବ। ଶିବସେନା ନେତା ସଂଜୟ ଶିରସତ କହିଛନ୍ତି, ମହାୟୁତି ମେଣ୍ଟରେ ସବୁକିଛି ଠିକ୍ ଅଛି ଏବଂ ଯୋଜନା ମୁତାବକ ଶପଥ ଗ୍ରହଣ ଉତ୍ସବ ହେବ। ବିଜେପିକୁ ଗୃହ ଏବଂ ରାଜସ୍ବ ସମେତ ୨୧-୨୨ ମନ୍ତ୍ରୀ ପଦ ମିଳିପାରେ। ଶିବସେନାକୁ ସହରାଞ୍ଚଳ ବିକାଶ ସମେତ ୧୨ଟି ମନ୍ତ୍ରୀ ପଦ ମିଳିପାରେ। ଅନ୍ୟପକ୍ଷେ ଏନ୍ସିପି ଦଳରୁ ୯ରୁ ୧୦ ଜଣ ମନ୍ତ୍ରୀ ହୋଇପାରନ୍ତି। ତେବେ ଏନ୍ସିପି ନେତା ଅଜିତ ପାୱାର ଆଜି ରାତିରେ କେତେକ ନୂଆ ଦାବି ରଖିଥିବା ଜଣାପଡ଼ିଛି। ଶିବସେନାକୁ ଯେତିକି ମନ୍ତ୍ରୀପଦ ମିଳିବ ତାଙ୍କ ଦଳକୁ ମଧ୍ୟ ସମାନ ପରିମାଣର ପଦ ଦେବାପାଇଁ ସେ ଦାବି କରିଛନ୍ତି।