ଚେନ୍ନାଇରେ ଖେଳା ଯାଉଥିବା ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତର ପଲ୍ଲା ଭାରି ରହିଛି। ଆଜି ତୃତୀୟ ଦିନର ମ୍ୟାଚ୍ ଚାଲି ଥିବାବେଳେ ବାଂଲାଦେଶକୁ ୫୧୫ ରନର ଟାର୍ଗେଟ ଦେଇଛି ଟିମ୍ ଇଣ୍ଡିଆ।
ପ୍ରଥମ ଇନିଂସ ଖେଳି ୩୭୬ ରନ୍ କରିଥିଲାଭାରତ। ଏହାପରେ ଦ୍ୱିତୀଳ ପାଳିରେ ବାଂଲାଦେଶ ୧୪୯ ରନରେ ଅଲ ଆଉଟ୍ ହୋଇ ଯାଇଥିଲା। ଦ୍ୱିତୀୟ ଇନିଂସରେ ଭାରତ ୪ ୱିକଟ ହରାଇ ୨୮୭ ରନ୍ କରି ପାଳି ଘୋଷଣା କରିଛି।
ଫଳରେ ବାଂଲାଦେଶକୁ ପ୍ରଥମ ଟେଷ୍ଟ ଜିତିବା ୫୧୫ ରନର ବିଜୟ ଲକ୍ଷ୍ୟ ମିଳିଛି। ଭାରତ ପ୍ରଥମ ଇନିଂସରେ ଗୁରୁତ୍ୱପୂର୍ଣ୍ଣ ୨୨୭ ରନର ଲିଡ୍ (ଅଗ୍ରଣୀ) ହାସଲ କରିଥିଲା।
ଦ୍ୱିତୀୟ ଇନିଂସରେ ଯଶସ୍ୱୀ ଜୈସ୍ୱାଲ ୧୦, ରୋହିତ ଶର୍ମା ୫ ଏବଂ ବିରାଟ କୋହଲି ୧୭ ରନ୍ କରି ଆଉଟ୍ ହୋଇଯିବା ପରେ ଶୁବମନ ଗିଲ୍ ଏବଂ ଋଷବ ପନ୍ତ ଶତକୀୟ ପାଳି ଖେଳିଛନ୍ତି। ଉଭୟ ଜଗି ରଖି ଖେଳିବା ସହ ବଡ଼ ସ୍କୋର୍ ଯୋଡ଼ିବାରେ ସଫଳ ହୋଇଛନ୍ତି।
ଶୁବମନ ଗିଲ୍ ୧୧୯ ରନ୍ କରି ଅପରାଜିତ ରହି ଥିବାବେଳେ ଋଷବ ପନ୍ତ ୧୦୯ ରନ୍ କରି ଆଉଟ୍ ହୋଇ ଯାଇଥିଲେ। ସେହିପରି କେଏଲ ରାହୁଲ ୨୨ ରନ୍ କରି ଅପରାଜିତ ଥିଲେ।
ଏହାପରେ ବାଂଲାଦେଶ ପାଳି ଆରମ୍ଭ କରିଛି। ଖବର ଲେଖା ହେବା ସୁଦ୍ଧା ବାଂଲାଦେଶ ୬ ଓଭରରେ ୩୩ ରନ୍ କରିଥିଲା। ଜାକିର ହାସନ ଏବଂ ଶାଦମନ ଇସଲାମ ବ୍ୟାଟିଂ କରୁଥିଲେ।