ଟ୍ରମ୍ପଙ୍କ ବିସ୍ଫୋରକ ବୟାନ: ଭାରତ ନିର୍ବାଚନରେ ଆମେରିକା ହସ୍ତକ୍ଷେପ କରିଥିଲା

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ପୂର୍ବବର୍ତ୍ତୀ ଜୋ ବାଇଡେନଙ୍କ ପ୍ରଶାସନ ବିରୋଧରେ ଭାରତରେ ନିର୍ବାଚନୀ ହସ୍ତକ୍ଷେପ ନେଇ ଅଭିଯୋଗ ଆଣିଛନ୍ତି। ଭାରତରେ କ୍ଷମତାରେ ଥିବା ସରକାରକୁ ହଟାଇବା ଉଦ୍ଦେଶ୍ୟରେ ଆମେରିକାର ଅନୁଦାନ ବ୍ୟବହାର ହୋଇଥିଲା ବୋଲି ଟ୍ରମ୍ପ ବିସ୍ଫୋରକ ବୟାନ ଦେଇଥିବାରୁ ଏହାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି।   ‘ମତଦାନ’ ବୃଦ୍ଧି ଉଦ୍ଦେଶ୍ୟରେ ଭାରତକୁ ୨୧ ନିୟୁତ ଡଲାର ଅନୁଦାନ ବନ୍ଦ କରିବାକୁ ଏଲନ୍ ମସ୍କଙ୍କ ନେତୃତ୍ୱାଧୀନ ସରକାରୀ ଦକ୍ଷତା ବିଭାଗ (ଡିଓଜିଇ)ର ନିଷ୍ପତ୍ତିକୁ ଟ୍ରମ୍ପ ପୁନଃ ସମର୍ଥନ କରିଛନ୍ତି। ଟ୍ରମ୍ପ ତାଙ୍କ ବୟାନରେ ସ୍ପଷ୍ଟ  ସଙ୍କେତ  ଦେଇଛନ୍ତି ଯେ ଭାରତରେ ନରେନ୍ଦ୍ର ମୋଦୀ ଓ ତାଙ୍କ ଦଳକୁ ହରାଇବା ପାଇଁ ବାଇଡେନ ପ୍ରଶାସନ ବିପୁଳ ପାଣ୍ଠି ମତଦାନ ହାର ବୃଦ୍ଧି ନାଁରେ ଯୋଗାଉଥିଲା।

ବୁଧବାର ରାତିରେ ମିଆମିରେ ସାଉଦି ଆରବ ସରକାରଙ୍କ ସମର୍ଥିତ ଏଫ୍ଆଇଆଇ ପ୍ରାଥମିକତା ଶିଖର ସମ୍ମିଳନୀରେ ଟ୍ରମ୍ପ କହିଛନ୍ତି, ଭାରତରେ ମତଦାନ ପାଇଁ ଆମେ କାହିଁକି ୨୧ ନିୟୁତ ଡଲାର ଖର୍ଚ୍ଚ କରିବୁ? ମୁଁ ଭାବୁଛି ସେମାନେ (ବାଇଡେନ୍ ପ୍ରଶାସନ) ନରେନ୍ଦ୍ର ମୋଦୀଙ୍କ ବଦଳରେ ଅନ୍ୟ କାହାକୁ ନିର୍ବାଚିତ କରିବାକୁ ଚେଷ୍ଟା କରୁଥିଲେ। ଆମେ ଭାରତ ସରକାରଙ୍କୁ ଜଣାଇବା ଦରକାର। ଏହା ଏକ ସମ୍ପୂର୍ଣ୍ଣ ସଫଳତା। ମଙ୍ଗଳବାର ମାର୍-ଏ-ଲାଗୋରେ ଟ୍ରମ୍ପ ସମାନ ମନ୍ତବ୍ୟ ଦେଇଥିଲେ।

ଷଡ଼୍‌ଯନ୍ତ୍ରକାରୀ ଗୋଷ୍ଠୀ ଭାରତରେ ସରକାର ବଦଳାଇବାକୁ ଚାହୁଥିଲେ

ଫେବ୍ରୁଆରି ୧୬ ତାରିଖରେ ଟ୍ରମ୍ପ ୨.୦ ପ୍ରଶାସନ ଅଧୀନରେ ସରକାରୀ ଖର୍ଚ୍ଚ ତଦାରଖ ଓ ହ୍ରାସ ପାଇଁ ଗଠିତ ଡିଓଜିଇ ଏହାର ବ୍ୟାପକ ବଜେଟ୍ ସଂଶୋଧନ ଯୋଜନାର ଅଂଶ ଭାବରେ ୭୨୩ ନିୟୁତ ଡଲାର ବିଦେଶୀ ସହାୟତା ପାଣ୍ଠି ହ୍ରାସ କରିବାକୁ ନିଷ୍ପତ୍ତି ଘୋଷଣା କରିଥିଲା। ଏହି ପାଣ୍ଠି ମଧ୍ୟରେ ଭାରତକୁ ୨୧ ନିୟୁତ ଡଲାର ଅନୁଦାନ ଏବଂ ବାଂଲାଦେଶର ରାଜନୈତିକ ଦୃଶ୍ୟପଟକୁ ସୁଦୃଢ଼ କରିବା ପାଇଁ ୨୯ ନିୟୁତ ଡଲାରର କାର୍ଯ୍ୟକ୍ରମ ମଧ୍ୟ ଅନ୍ତର୍ଭୁକ୍ତ ଥିଲା। ହ୍ୱାଇଟ୍ ହାଉସ୍‌କୁ ଫେରିବାର କିଛି ଦିନ ପରେ ରାଷ୍ଟ୍ରପତି ଟ୍ରମ୍ପ୍ ସମସ୍ତ ବିଦେଶୀ ସହାୟତା ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଜାନୁଆରିରେ ଟ୍ରମ୍ପ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଡିଓଜିଇ ଫେଡେରାଲ ଖର୍ଚ୍ଚରେ ୮.୫ ବିଲିୟନ ଡଲାର ହ୍ରାସ କରିଛି ଏବଂ ହାରାହାରି ପ୍ରାୟ ୭.୭ ନିୟୁତ ଡଲାରର ବ୍ୟକ୍ତିଗତ ଚୁକ୍ତି ବାତିଲ କରିଛି।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ସଦସ୍ୟ ଅର୍ଥନୀତିଜ୍ଞ ସଞ୍ଜୀବ ସାନ୍ୟାଲ୍ ଡିଓଜିଇର ବିବାଦୀୟ ପଦକ୍ଷେପ ଉପରେ ଏକ ବିତର୍କରେ ଯୋଗ ଦେଇ ୟୁଏସ୍‌ଏଡ୍‌କୁ ‘ମାନବ ଇତିହାସର ସବୁଠାରୁ ବଡ଼ ଦୁର୍ନୀତି’ ବୋଲି କହିଛନ୍ତି।  ଭାରତରେ ଖର୍ଚ୍ଚ ହୋଇଥିବା ୨୧ ନିୟୁତ ଆମେରିକୀୟ ଡଲାର କିଏ ପାଇଛି ତାହାକୁ ନେଇ ବ୍ୟାପକ ଖୋଳତାଡ଼  ଆରମ୍ଭ ହେବ ବୋଲି ବିଜେପି  ମଧ୍ୟ ସଙ୍କେତ ଦେଇଛି।

utkalmailtv

Leave a Comment

Your email address will not be published. Required fields are marked *