ନଅ ମାସର ପ୍ରତୀକ୍ଷା ‌ଶେଷ: ପୃଥିବୀକୁ ଫେରିଲେ ସୁନୀତା ଓ ବୁଚ୍‌

ନୂଆଦିଲ୍ଲୀ: ଦୀର୍ଘ ନଅ ମାସର ପ୍ରତୀକ୍ଷାର ଅନ୍ତଃ ଘଟିଛି। ଶେଷରେ ମହାକାଶରୁ ପୃଥିବୀପୃଷ୍ଠକୁ ଫେରି ଆସିଛନ୍ତି ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ବୁଚ୍‌ ୱିଲ୍‌ମୋର। ଦୀର୍ଘ ୧୭ ଘଣ୍ଟାର ଯାତ୍ରା ପରେ ସ୍ପେସ୍ ଷ୍ଟେସନରୁ ବାହାରି ପୃଥିବୀରେ ପହଞ୍ଚିଛନ୍ତି ସୁନୀତା  ବୁଚ୍‌।

୨୦୨୪ ଜୁନ୍‌ ୫ରେ ବୋଇଂର ଷ୍ଟାରଲାଇନ୍‌ରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ୮ ଦିନ ପାଇଁ ଯାଇଥିଲେ ନାସାର ଦୁଇ ମହକାଶଚାରୀ ସୁନୀତା ୱିଲିୟମ୍ସ ଓ ବୁଚ୍‌ ୱିଲ୍‌ମୋର। ଅପ୍ରତ୍ୟାଶିତ ଭାବେ ସେମାନଙ୍କ ଅଭିଯାନ ୯ ମାସରୁ ଅଧିକ ସମୟ ପର୍ଯ୍ୟନ୍ତ ଲମ୍ବିଯାଇଥିଲା। ଶେଷରେ ମଙ୍ଗଳବାର ସ୍ପେସ୍ଏକ୍ସ କ୍ୟାପସୁଲରେ ମହାକାଶ କେନ୍ଦ୍ରରୁ ପୃଥିବୀକୁ ‌ଫେରିଛନ୍ତି। ଆମେରିକାର ଫ୍ଲୋରିଡା ନିକଟ ସମୁଦ୍ରତଟରେ ସ୍ପେସ୍-ଏକ୍ସ କ୍ରୁ ଡ୍ରାଗନର ସଫଳ ଅବତରଣ ହୋଇଛି ।

ଜୁନ୍ ୫ରେ ବୋଇଂର ନୂଆ ଷ୍ଟାର୍‌ଲାଇନର୍ କ୍ରୁ କ୍ୟାପସୁଲ୍‌ରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌)ରେ ପହଞ୍ଚିବାର ମାତ୍ର ଏକ ସପ୍ତାହ ପରେ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବୁଚ୍‌ ୱିଲ‌ମୋର  ଫେରିବାର ଥିଲା। କିନ୍ତୁ ଷ୍ଟାର୍‌ଲାଇନର୍‌ରେ ବୈଷୟିକ ସମସ୍ୟା ଦେଖା ଦେଇଥିଲା। ଦୁଇ ମହାକାଶଚାରୀ ଆଇଏସ୍‌ଏସ୍‌ରେ ପହଞ୍ଚିବା ପରେ ଷ୍ଟାର୍‌ଲାଇନର୍ କ୍ୟାପସୁଲ ଥ୍ରଷ୍ଟର ତ୍ରୁଟିର ସମ୍ମୁଖୀନ ହୋଇଥିଲା। ପରବର୍ତ୍ତୀ ଅନୁସନ୍ଧାନରୁ ଜଣାପଡିଥିଲା ଯେ ଥ୍ରଷ୍ଟରରେ ତ୍ରୁଟିଯୁକ୍ତ ଟେଫଲନ୍ ସିଲ୍ ରହିଛି, ଯାହା ଫଳରେ ନାସା ମହାକାଶଯାନକୁ ସେମାନଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଅସୁରକ୍ଷିତ ମନେ କରିଥିଲା। ସ୍ପେସ୍ଏକ୍ସର କ୍ରୁ-୧୦ ଅଭିଯାନ ଆରମ୍ଭ କରିବାରେ ବିଳମ୍ବ ହେବାରୁ ମହାକାଶଚାରୀଙ୍କ ରହଣିକୁ ଆହୁରି ବଢ଼ାଇ ଦିଆଯାଇଥିଲା। ଏହି ଅଭିଯାନକୁ ମାର୍ଚ୍ଚ ୧୨ରୁ ମାର୍ଚ୍ଚ ୧୪, ୨୦୨୫ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା। ଶେଷରେ ଚଳିତ ସପ୍ତାହରେ ପାଣିପାଗ ପୂର୍ବାନୁମାନକୁ ଦୃଷ୍ଟିରେ ରଖି ସ୍ପେସ୍‌ଏକ୍ସ କ୍ୟାପ୍‌ସୁଲରେ ୱିଲିୟମ୍ସ ଓ ୱିଲମୋରଙ୍କ ପ୍ରତ୍ୟାବର୍ତ୍ତନ ମାର୍ଚ୍ଚ ୧୮ରେ ହେବ ବୋଲି ସ୍ଥିର ହୋଇଥିଲା।

 

Leave a Comment

Your email address will not be published. Required fields are marked *