ସୁନୀତାଙ୍କୁ ମୋଦୀଙ୍କ ଚିଠି: ‘ଭାରତୀୟଙ୍କ ହୃଦୟରେ ଆପଣ ଅଛନ୍ତି’

ସୁନୀତା ୱିଲିୟମ୍ସଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚିଠି ଲେଖିଛନ୍ତି। ଚଳିତମାସ ୧ ତାରିଖରେ ମୋଦୀ ଏହି ଚିଠି ଲେଖିଥିବାବେଳେ ଆଜି ଏହାକୁ ପ୍ରକାଶ କରାଯାଇଛି। ସାମାଜିକ ଗଣମାଧ୍ୟମ ଏକ୍ସରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଏହାକୁ ସାର୍ବଜନୀନ କରିଛନ୍ତି। ଚିଠିରେ ପ୍ରଧାନମନ୍ତ୍ରୀ ସୁନୀତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ପଚାରିଛନ୍ତି। ଭାରତୀୟଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶିଷ୍ଟ ମହାକାଶଚାରୀ ମାଇକ୍‌ ମାସିମିନୋଙ୍କୁ ଭେଟି ଆଲୋଚନା କରିବା ସମୟରେ ଆପଣଙ୍କ ନାମ ଉଠିଥିଲା।

ଆପଣ ଏବଂ ଆପଣଙ୍କ କାର୍ଯ୍ୟ ପାଇଁ ଆମେ ଗର୍ବିତ। ଆମେରିକା ଗସ୍ତରେ ଥିବା ସମୟରେ ରାଷ୍ଟ୍ରପତି ଟ୍ରମ୍ପ କିମ୍ବା ରାଷ୍ଟ୍ରପତି ବାଇଡେନଙ୍କୁ ଭେଟିବାବେଳେ ମୁଁ ଆପଣଙ୍କ ସଂପର୍କରେ ପଚାରିଥାଏ। ଆପଣଙ୍କ ସଫଳତା ପାଇଁ ୧୪୦ କୋଟି ଭାରତୀୟ ଗର୍ବ ଅନୁଭବ କରିଥାନ୍ତି। ଆପଣ ହଜାର ହଜାର ମାଇଲ ଦୂରରେ ଥିଲେ ବି ଆମ ହୃଦୟରେ ଅଛନ୍ତି। ବୋନି ପାଣ୍ଡ୍ୟା ଆପଣଙ୍କ ପ୍ରତ୍ୟାବର୍ତ୍ତନକୁ ଅତି ଆଗ୍ରହର ସହ ଅପେକ୍ଷା କରିଛନ୍ତି। ସ୍ବର୍ଗତଃ ଦୀପକଭାଇଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ସର୍ବଦା ରହିଛି। ୨୦୧୬ରେ ଆମେରିକା ଗସ୍ତ ସମୟରେ ଆପଣ ଏବଂ ତାଙ୍କ ସହିତ ଆଲୋଚନା ମୋର ମନେଅଛି। ମହାକାଶରୁ ଫେରିବା ପରେ ଆମେ ଆପଣଙ୍କୁ ଭାରତକୁ ଆମନ୍ତ୍ରଣ କରୁଛୁ। ଭାରତର ଜଣେ ଖ୍ୟାତିସମ୍ପନ୍ନ ଝିଅକୁ ଅତିଥିଭାବେ ପାଇବା ଆମ ପାଇଁ ଅତ୍ୟନ୍ତ ଆନନ୍ଦର ବିଷୟ ବୋଲି ମୋଦୀ କହିଛନ୍ତି।

Leave a Comment

Your email address will not be published. Required fields are marked *