ସୋଆର ଫାର୍ମାସି ଓ ବାୟୋଟେକ୍ନୋଲୋଜି ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର ୨୦/୦୯: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍ସେସ (ଏସ୍ପିଏସ୍) ଓ ସେଂଟର ଅଫ୍ ବାୟୋଟେକ୍ନୋଲୋଜିରେ ପାଠ୍ୟକ୍ରମ ସମାପ୍ତ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଶୁକ୍ରବାର ଏକ ସ୍ୱତନ୍ତ୍ର ଗ୍ରାଜୁଏସନ୍ କାର୍ଯ୍ୟକ୍ରମରେ ଉପାଧି ପ୍ରଦାନ କରାଯାଇଛି ।

ବିଶ୍ୱବିଦ୍ୟାଳୟରୁ ଅଧ୍ୟୟନ ସମାପ୍ତ କରିଥିବା ୨୦୨୦-୨୪ ବ୍ୟାଚର ବି.ଫାର୍ମ, ୨୦୨୨- ୨୪ ବ୍ୟାଚର ଏମ୍ ଫାର୍ମ, ୨୦୨୨- ୨୪ ବ୍ୟାଚର ଏମ୍.ଏସ୍.ସି (ବାୟୋଟେକ୍ନୋଲୋଜି) ଓ ୨୦୧୯-୨୪ ବ୍ୟାଚର ଇଣ୍ଟିଗ୍ରେଡ ଏମ୍.ଏସ୍.ସି ଇନ୍ ବାୟୋଟେକ୍ନୋଲୋଜି ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଆୟୋଜିତ ଏହି ସ୍ୱତନ୍ତ୍ର ଗ୍ରାଜୁଏସନ୍ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଛାତ୍ରଛାତୀ ମାନଙ୍କୁ ଉପାଧି ପ୍ରଦାନ କରିଥିଲେ ।

 

କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ନନ୍ଦ ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରାଇବା ସହିତ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ପ୍ରଫେସର ନନ୍ଦ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ମହାମାରୀ ସମୟରେ ଫାର୍ମାସିଷ୍ଟମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥିଲେ । ଏହି ଡିଗ୍ରୀ ଛାତ୍ରଛାତ୍ରୀ ମାନଙ୍କର କଠିନ ପରିଶ୍ରମ, ନିଷ୍ଠା, ଶୃଙ୍ଖଳା, ସମୟାନୁବର୍ତିତା ତଥା ଶିକ୍ଷକ ଓ ଅଭିଭାବକଙ୍କର ସହଯୋଗରେ ଏହା ସମ୍ଭବପର ହୋଇପାରିଛି । ଫାର୍ମାସି ଓ ବାୟୋଟେକ୍ନନୋଲୋଜି ସ୍ୱାସ୍ଥ୍ୟକ୍ଷେତ୍ର ସହିତ ଓତଃପ୍ରୋତ ଭାବେ ଜଡିତ । ସୋଆ ବିଶ୍ୱବିଦ୍ୟାଳୟ ଏଥିପାଇଁ ଖୁବ୍ ସକ୍ରିୟ ଅଟେ । ସୋଆ ଅନେକ ବିଦେଶୀ ବିଶ୍ୱବିଦ୍ୟାଳୟ ସହ ବୁଝାମଣା କରିଛି ଯାହା ଛାତ୍ରଛାତ୍ରୀଙ୍କ ପାଇଁ ଲାଭଦାୟକ ହେବ ବୋଲି ସେ କହିଥିଲେ ।

ପ୍ରଫେସର ନନ୍ଦ କହିଥିଲେ ଯେ ସୋଆ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀମାନେ ୨୦୨୪ରେ ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁସ୍ନାଲ୍ ର୍ୟାଙ୍କିଙ୍ଗ ଫ୍ରେମ୍ୱାର୍କ (ଏନ୍ଆଇଆର୍ଏଫ୍) ର୍ୟାଙ୍କିଙ୍ଗ୍ ଅନୁଯାୟୀ ଦେଶର ୧୪ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିବାକୁ ସୁଯୋଗ ପାଇଛନ୍ତି । ସେମାନେ ଏହି ବିଶ୍ୱବିଦ୍ୟାଳୟର ଗର୍ବ ଓ ଗୌରବ ।

ପ୍ରଫେସର ନନ୍ଦ କହିଥିଲେ ଯେ ଗବେଷଣା କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ନିମନ୍ତେ ସୋଆରେ ଅନେକ ଲ୍ୟାବ୍ ପ୍ରତିଷ୍ଠା କରାଯାଇଛି ଏବଂ ଅଟଳ ଇନୋଭେସନ୍ ମିଶନ ଅଧୀନରେ ଏକ ଇନ୍କ୍ୟୁବେସନ୍ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ବିଶ୍ୱବିଦ୍ୟାଳୟ ପକ୍ଷରୁ ଗବେଷଣା, ସହଭାଗିତା, ପାଟେଂଟ ଓ ଷ୍ଟାର୍ଟଅପ୍କୁ ଅଧିକ ଗୁରୁତ୍ୱ ଦିଆଯାଉଛି ବୋଲି ସେ କହିଥିଲେ । ଏହି କ୍ଷେତ୍ରରେ ଶିକ୍ଷା ଗ୍ରହଣ କରିବାକୁ ଛାତ୍ରଛାତ୍ରୀମାନେ ଆଗ୍ରହ ରଖୁଛନ୍ତି ।

Leave a Comment

Your email address will not be published. Required fields are marked *