ସୋର: ପରୀକ୍ଷା ଦେବାକୁ ବାହାରିବା ବେଳେ ଟଳିପଡ଼ିଲେ ଛାତ୍ର । ବାହାନଗା ବ୍ଲକ ବରିପଦା ଗାଁରେ ମାଟ୍ରିକ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ହୋଇଛି । ଘରୁ ପରୀକ୍ଷା ଦେବାକୁ ବାହାରିବା ବେଳେ ହଠାତ ଛାତ୍ରଙ୍କ ପେଟ କାଟିବାରୁ ତଳେ ପଡ଼ି ଯାଇଥିଲେ ଛାତ୍ର । ଅସହ୍ୟ ଯନ୍ତ୍ରଣା ହେବା କାରଣରୁ ପରିବାର ଲୋକେ ଛାତ୍ରଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଛାତ୍ରଜଣଙ୍କ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ବାଟରେ ହିଁ ଆଖି ବୁଜିଦେଇଥିବା ସୂଚନା । ତେବେ ସୋର ମେଡିକାଲରେ ଛାତ୍ରକୁ ମୃତ ଘୋଷଣା କରିଛନ୍ତି ଡାକ୍ତର ।
ସେହିପରି କେନ୍ଦ୍ରାପଡା ଜିଲ୍ଲା ରାଜନଗରରେ ପରୀକ୍ଷା ପୂର୍ବରୁ ମାଟ୍ରିକ ପରୀକ୍ଷାର୍ଥୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ସାଇକେଲ ଆରୋହୀଙ୍କୁ ଧକ୍କା ଦେଇ ନାଳକୁ ଓଲଟି ଗଲା ପରୀକ୍ଷାର୍ଥୀଙ୍କୁ ନେଇ ଯାଉଥିବା ବୋଲେରୋ । ରାଜନଗର ବିବେକାନନ୍ଦ ହାଇସ୍କୁଲ ବାଘମାରିର ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବାକୁ ଏକ ବୋଲେରୋରେ ଯିବା ସମୟରେ ଏପରି ଦୁର୍ଘଟଣା ଘଟିଛି । ଗାଡ଼ିରେ ୧୨ ଜଣ ଛାତ୍ରଛାତ୍ରୀ ଥିଲେ । ସମସ୍ତଙ୍କୁ ଉଦ୍ଧାର କରାଯାଇ ତାଳଚୁଆ ମେଡିକାଲରେ ଭର୍ତ୍ତି କରାଯାଇଛି । ସେହିପରି ଗୁରୁତର ଥିବା ଛାତ୍ରଛାତ୍ରୀଙ୍କୁ ଡାଙ୍ଗମାଳ ମେଡିକାଲରେ ଚିକିତ୍ସିତ କରାଯାଉଛି ।