ମୃତ୍ୟୁଦଣ୍ଡରୁ ଛାଡ଼ ପାଇଥିବା ବ୍ୟକ୍ତିର ବର୍ବରକାଣ୍ଡ: ପୁଣି ଜଣେ ନାବାଳିକାକୁ ଦୁଷ୍କର୍ମ, ହତ୍ୟା

ଭୋପାଳ: ମଧ୍ୟପ୍ରଦେଶର ନରସିଂହଗଡ଼ରେ ଜଣେ ସିରିଏଲ୍‌ ଦୁଷ୍କର୍ମକାରୀ ଜେଲ୍‌ରୁ ମୁକୁଳିବା ପରେ  ଏକ ୧୧ ବର୍ଷୀୟା ମୁକ-ବଧିର ଝିଅକୁ ଦୁଷ୍କର୍ମ ପରେ ହତ୍ୟା  କରିବା ଘଟଣା  ଆଲୋଡ଼ନ ସୃଷ୍ଟି କରିଛି। ଏହି ମାମଲା ନ୍ୟାୟିକ ବ୍ୟବସ୍ଥାର ଦୁର୍ବଳତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି।  ୨୦୧୯ ମସିହାରେ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଦ୍ବାରା ଦୋଷମୁକ୍ତ ହୋଇଥିବା ସିରିଏଲ୍‌ ଦୁଷ୍କର୍ମକାରୀ ନରସିଂହଗଡ଼ରେ   ମୁକ-ବଧିର ନାବାଳିକାକୁ ତା’ କୁଡ଼ିଆ ଘରୁ ଅପହରଣ କରିନେଇ ଦୁଷ୍କର୍ମ  କରିବାପରେ ତାକୁ ଭୀଷଣ ଆଘାତ କରିଥିଲା ଏବଂ ବୁଦାମୂଳେ ଫୋପାଡ଼ି ଦେଇଥିଲା।   ଏହି ଅନାଥ ଶିଶୁ  ୪ ଦିନ ମୃତ୍ୟୁ ସହ ସଂଗ୍ରାମ କରିବାପରେ ଭୋପାଳର ଏକ ସରକାରୀ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛି। ଏହି ଜଘନ୍ୟ କାଣ୍ଡ ଘଟାଇଥିବା ବ୍ୟକ୍ତିର ନାଁ ରମେଶ ସିଂହ। ଶିଶୁମାନଙ୍କୁ ଅପହରଣ କରି ଦୁଷ୍କର୍ମ କରିବା ଏବଂ ପରେ ହତ୍ୟା କରିବା ତା’ର ଅଭ୍ୟାସ।  ପୂର୍ବରୁ ସେ ଏମିତି ଅନେକ ବର୍ବରତ ତଥା ଲୋମଟାଙ୍କୁରା ଘଟଣା ଘଟାଇଛି। କିନ୍ତୁ ବାରମ୍ବାର ତାକୁ କୋର୍ଟ ଦୋଷମୁକ୍ତ କରିଛନ୍ତି।  ଏହି ଘଟଣା ନ୍ୟାୟିକ ବ୍ୟବସ୍ଥାକୁ ନେଇ ଅତି ସାଂଘାତିକ ପ୍ରଶ୍ନ ଉଠାଇଛି।

ରମେଶ ସିଂହ ପ୍ରଥମେ ୨୦୦୩ରେ ଶାଜାପୁର ଜିଲ୍ଲାର ମୁବାରିକପୁର ଗ୍ରାମର ଜଣେ ୫ ବର୍ଷୀୟା ଶିଶୁକୁ ଦୁଷ୍କର୍ମ କରିଥିଲା। ଏହି ମାମଲାରେ ସେ ଦୋଷୀସାବ୍ୟସ୍ତ ହୋଇଥିଲା ଏବଂ ତାକୁ ୧୦ ବର୍ଷ ଜେଲ୍‌ଦଣ୍ଡ ମିଳିଥିଲା।  ଜେଲ୍‌ ଦଣ୍ଡ ଭୋଗିବାପରେ ସେ ୨୦୧୩ରେ ମୁକ୍ତ ହୋଇଥିଲା। କିନ୍ତୁ ପୁଣିଥରେ  ସମାନ ଅପରାଧ ଘଟାଇଲା। ୨୦୧୪ରେ ସେ ସେହୋର୍‌ର ଜଣେ ୮ ବର୍ଷୀୟା ଶିଶୁକୁ ଅପହରଣ କରିନେଇ ଦୁଷ୍କର୍ମ କରିଥିଲା।  ଏହି ମାମଲାରେ ତାକୁ ମୃତ୍ୟୁଦଣ୍ଡ ହୋଇଥିଲା।  କିନ୍ତୁ ୨୦୧୯ରେ ହାଇକୋର୍ଟ ଏହି ରାୟକୁ ବଦଳାଇ ଦେଇଥିଲେ ଏବଂ ତାକୁ ମାମଲାରୁ  ଦୋଷମୁକ୍ତ କରିଥିଲେ। ଏହାଦ୍ବା‌ରା ରମେଶ ଜେଲ୍‌ରୁ ମୁକୁଳି ଏବେ ପୁଣି ତା’ର ବର୍ବରତା ଦେଖାଇଛି ଏବଂ ଆଉ ଏକ ନିରୀହ ଶିଶୁ  ବଳି ପଡ଼ିଯାଇଛି।

Leave a Comment

Your email address will not be published. Required fields are marked *