କୁକି ଓ ମୈତେୟୀଙ୍କୁ ମଣିପୁର ରାଜ୍ୟପାଳଙ୍କ ଚରମବାଣୀ: ୭ ଦିନ ମଧ୍ୟରେ ଲୁଟ୍‌ ଅସ୍ତ୍ରଶସ୍ତ୍ର ଫେରାଅ

ଇମ୍ଫାଲ: ରାଷ୍ଟ୍ରପତି ଶାସନ ଜାରି ରହିଥିବା ହିଂସାଗ୍ରସ୍ତ ମଣିପୁରରେ ଶାନ୍ତି ଫେରାଇ ଆଣିବାକୁ ପ୍ରଶାସନ କଠୋର ପଦକ୍ଷେପ ଗ୍ରହଣ କରିଛି। ଆସାମ ରାଇଫଲ୍ସ ଓ ମଣିପୁର ପୁଲିସର  ମିଳିତ ଟିମ୍ ବ୍ୟାପକ ତଲାସୀ ଅଭିଯାନ ଚଳାଇଛି। ରାଜ୍ୟପାଳ ଅଜୟ କୁମାର ଭଲ୍ଲା ଆଜି ଏକ ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ ରାଜ୍ୟରେ ସଂପୂର୍ଣ୍ଣ ଶାନ୍ତି ଫେରାଇ ଆଣିବାକୁ ସମସ୍ତ ପ୍ରୟାସ ଜାରି ରହିଛି। କୁକି ଓ ମୈତେୟୀ ସଂପ୍ରଦାୟର ଯେଉଁମାନଙ୍କ ପାଖରେ ଲୁଟ୍‌ ଅସ୍ତ୍ରଶସ୍ତ୍ର ରହିଛି ତାହା ସପ୍ତାହକ ମଧ୍ୟରେ ଫେରାଇବାକୁ ପଡ଼ିବ। ଅନ୍ୟଥା ସେମାନେ କଠୋର କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ବାଧ୍ୟ ବୋଲି ରାଜ୍ୟପାଳ  କହିଛନ୍ତି।

ଆଦେଶ ନ ମାନିଲେ କଠୋର କାର୍ଯ୍ୟାନୁଷ୍ଠାନ
ଉଗ୍ରପନ୍ଥୀ ଗିରଫ, ବଙ୍କର ନଷ୍ଟ ଓ ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ଗତ ୭୨ ଘଣ୍ଟା ମଧ୍ୟରେ ସୁରକ୍ଷା ବାହିନୀ ନିଷିଦ୍ଧ ସଂଗଠନର ଏକ ସନ୍ଦିଗ୍ଧ କ୍ୟାଡରକୁ ଗିରଫ କରିବା ଓ ଭୂତଳ ବଙ୍କରକୁ ନଷ୍ଟ କରିବା ସହ ଭାରତ-ମିଆଁମାର ସୀମାନ୍ତ ଜିଲ୍ଲା ସମେତ ମଣିପୁରର ଏକାଧିକ ସ୍ଥାନରୁ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ଓ ବିସ୍ଫୋରକ ଜବତ କରିଛି।  ଫେବ୍ରୁଆରି ୧୮ ଓ ୧୯ ତାରିଖରେ ଏହି ଅପରେସନ୍ କରାଯାଇଥିଲା, ଯେଉଁଥିରେ କ୍ୟାଡର୍ ଗିରଫ ହେବା, ଭୂତଳ ବଙ୍କର ଧ୍ୱଂସ ହେବା ସହ ସ୍ୱୟଂଚାଳିତ ଅସ୍ତ୍ରଶସ୍ତ୍ର, ପିସ୍ତଲ, ସାମରିକ ବନ୍ଧୁକ, ଅତ୍ୟାଧୁନିକ ମୋର୍ଟାର୍, ଆଇଇଡି ଓ ଗୋଳାବାରୁଦ ସମେତ ଅନେକ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା ବୋଲି ଆସାମ ରାଇଫଲ୍ସ ପିଆର୍‌ଓ ଗୁରୁବାର ଜାରି କରିଥିବା ବିବୃତିରେ କୁହାଯାଇଛି। ସଶସ୍ତ୍ର କ୍ୟାଡରଙ୍କ ଗତିବିଧି ସମ୍ପର୍କରେ ଗୁଇନ୍ଦା ସୂଚନା ଆଧାରରେ ଆସାମ ରାଇଫଲ୍ସ ଯବାନମାନେ ବୁଧବାର ତେଙ୍ଗନୁପାଲ ଜିଲ୍ଲାର ମାଓଜଙ୍ଗ ଗ୍ରାମର ଟ୍ରାଇ-ଜଙ୍କସନରେ ଏକ ଭ୍ରାମ୍ୟମାଣ ଗାଡ଼ି ଚେକ୍ ପୋଷ୍ଟ ସ୍ଥାପନ କରିଥିଲେ।

ଚେକ୍ ପୋଷ୍ଟରୁ ଏକ ମୋଟର ସାଇକେଲରେ ଖସିଯିବାକୁ ଚେଷ୍ଟା କରୁଥିବା ଦେଖି ଯବାନମାନେ ବାଇକ୍ ଆରୋହୀକୁ ପିଛା କରିବାରୁ ସେ ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲା। ମୋଟର ସାଇକେଲକୁ ଯାଞ୍ଚ କରିବା ପରେ ଗୋଟିଏ ଏକେ-୫୬ ରାଇଫଲ, ଗୋଟିଏ ୯ଏମ୍ଏମ୍ ପିସ୍ତଲ, ଗୋଟିଏ ୪୦ଏମ୍ଏମ୍ ସାମରିକ ବନ୍ଧୁକ, ଗ୍ରେନେଡ୍, ଗୋଳାବାରୁଦ ଓ ଅନ୍ୟାନ୍ୟ ଯୁଦ୍ଧାସ୍ତ୍ର ଜବତ କରାଯାଇଥିଲା। ମିଆଁମାର ସୀମାରେ ଅବସ୍ଥିତ ତେଙ୍ଗନୁପାଲ ଜିଲ୍ଲା ବିଦ୍ରୋହୀ କାର୍ଯ୍ୟକଳାପର ହଟସ୍ପଟ୍ ପାଲଟିଛି। ମଙ୍ଗଳବାର ଆଉ ଏକ ଅପରେସନରେ ଆସାମ ରାଇଫଲ୍ସ ଓ ମଣିପୁର ପୁଲିସ ଇମ୍ଫାଲ ପୂର୍ବ ଜିଲ୍ଲାର ଖବେଇସୋଇ ମାଣିଙ୍ଗ ଲେଇକାଇରେ ବିଦ୍ରୋହୀଙ୍କ ଉପସ୍ଥିତି ସମ୍ପର୍କରେ ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ଆଧାରରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି। ପ୍ରାରମ୍ଭିକ ପଚରାଉଚରା ବେଳେ ସନ୍ଦିଗ୍ଧ ଜଣକ କଙ୍ଗଲେଇପାକ୍ କମ୍ୟୁନିଷ୍ଟ ପାର୍ଟି (କେସିପି) ପିପୁଲ୍ସ ୱାର୍ ଗ୍ରୁପ୍ (ପିଡବ୍ଲ୍ୟୁଜି) ସହ ସଂପୃକ୍ତି ଥିବା ନିଶ୍ଚିତ କରିଥିଲେ।

utkalmailtv

Leave a Comment

Your email address will not be published. Required fields are marked *