୬,୦୦୦ ଜୀବିତ ପ୍ରବାସୀଙ୍କୁ ‘ମୃତ’ ତାଲିକାଭୁକ୍ତ କଲା ଟ୍ରମ୍ପ ପ୍ରଶାସନ: ଆତ୍ମ-ପ୍ରତ୍ୟର୍ପଣ ପାଇଁ ପ୍ରୋତ୍ସାହନ ଦେଇ ସାମାଜିକ ସୁରକ୍ଷା ସୁବିଧା ପ୍ରତ୍ୟାହାର କଲେ

ୱାସିଂଟନ: ବେଆଇନ ଆପ୍ରବାସନ ବିରୋଧରେ ଆଉ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଟ୍ରମ୍ପ ପ୍ରଶାସନ ସରକାରୀ ସାମାଜିକ ସୁରକ୍ଷା ରେଜିଷ୍ଟ୍ରିରେ ହଜାର ହଜାର ଜୀବିତ ପ୍ରବାସୀଙ୍କୁ ମୃତ ଶ୍ରେଣୀଭୁକ୍ତ କରିଛନ୍ତି। ଏଭଳି ସ୍ଥିତିରେ ବେଆଇନ ପ୍ରବାସୀମାନେ କାମ ଖୋଜିବା କିମ୍ବା କୌଣସି ସରକାରୀ ସୁବିଧା ପାଇପାରିବେ ନାହିଁ। ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଶାସନ ସମୟରେ ଆମେରିକାକୁ ଆସିଥିବା ପ୍ରାୟ ୬,୦୦୦ ପ୍ରବାସୀ ଏହି ତାଲିକାରେ ଅଛନ୍ତି। ଏହି ପ୍ରବାସୀମାନଙ୍କୁ ପୂର୍ବ ପ୍ରଶାସନ ଆମେରିକାରେ ଅସ୍ଥାୟୀ ଭାବରେ ପ୍ରବେଶ କରିବା ଓ ରହିବାକୁ ଅନୁମତି ଦେଇଥିଲେ। ଏବେ ମୃତ ବୋଲି ତାଲିକାଭୁକ୍ତ ହେବା ପରେ ଏହି ପ୍ରବାସୀମାନେ ବ୍ୟାଙ୍କିଙ୍ଗ୍, ବାସଗୃହ କିମ୍ବା ରୋଜଗାର ଭଳି ସେବା ସୁବିଧା ପାଇପାରିବେ ନାହିଁ କାରଣ ସେମାନଙ୍କର ସାମାଜିକ ସୁରକ୍ଷା ପ୍ରତ୍ୟାହାର କରାଯାଇଛି। ଫଳରେ ସେମାନେ ସ୍ବ-ପ୍ରତ୍ୟର୍ପଣ ଦ୍ବାରା ଦେଶ ଛାଡ଼ି ଚାଲିଯିବାକୁ ବାଧ୍ୟ ହେବେ।

ଟ୍ରମ୍ପ ପ୍ରଶାସନ ପ୍ରବାସୀଙ୍କ ନାମ ଓ ଆଇନଗତ ଭାବେ ପ୍ରାପ୍ତ ସାମାଜିକ ସୁରକ୍ଷା ନମ୍ବରକୁ ଏକ ଡାଟାବେସକୁ ସ୍ଥାନାନ୍ତର କରିଛି, ଯାହାକୁ ଫେଡେରାଲ ଅଧିକାରୀମାନେ ସାଧାରଣତଃ ମୃତବ୍ୟକ୍ତିଙ୍କୁ ଟ୍ରାକ୍ କରିବା ପାଇଁ ବ୍ୟବହାର କରନ୍ତି।  ଏହି ନୂତନ ପଦକ୍ଷେପ ଅଧୀନରେ ୬,୦୦୦ରୁ ଅଧିକ ଜୀବିତ ପ୍ରବାସୀଙ୍କୁ ଡାଟାବେସରେ ‘ମୃତ’ ତାଲିକାରେ ରଖାଯାଇଛି। ତେବେ ଏହି ପ୍ରବାସୀଙ୍କୁ ବାଛିବାର ଆଧାର ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ବୋଧହୁଏ ଏକମାତ୍ର ସାଧାରଣ କାରଣ ହେଉଛି ସେମାନେ ବାଇଡେନ୍ ପ୍ରଶାସନ ଅଧୀନରେ ଆମେରିକାରେ ଅସ୍ଥାୟୀ ଆପ୍ରବାସୀ ମାନ୍ୟତା ହାସଲ କରିଥିଲେ। ଟ୍ରମ୍ପ ପ୍ରଶାସନ ପୂର୍ବ ସରକାରଙ୍କ ସିବିପି ୱାନ୍ ଆପ୍ ବ୍ୟବହାର କରି ଆମେରିକାରେ ପ୍ରବେଶ କରିଥିବା ୯,୦୦,୦୦୦ରୁ ଅଧିକ ପ୍ରବାସୀଙ୍କୁ ଟାର୍ଗେଟ କରୁଛି।

utkalmailtv

Leave a Comment

Your email address will not be published. Required fields are marked *