୫ ମାସର ଗର୍ଭବତୀ ନାବାଳିକା ପ୍ରେମିକାକୁ ଛାଡି ପ୍ରେମିକ ଫେରାର

କାକଟପୁର: ଲଭ୍, ସେକ୍ସ, ଧୋକ୍କା । ପ୍ରଥମେ ଭଲ ପାଇଲେ ପରେ ଶାରୀରିକ ସମ୍ପର୍କ ରଖିଲେ । କିନ୍ତୁ ଏବେ ୫ ମାସର ଗର୍ଭବତୀ ନାବାଳିକା ପ୍ରେମିକାକୁ ଛାଡି ପ୍ରେମିକ ଫେରାର । କଥାରେ ଅଛି, ପ୍ରେମ ମାନେନା ବନ୍ଧବାଡ଼ । ପ୍ରେମରେ ଲୋକେ ସବୁ ସୀମା ପାର୍ କରି ଦିଅନ୍ତି । କିନ୍ତୁ କିଛି କାହାଣୀ ଏପରି ହୋଇଥାଏ ଯାହାକୁ ଶୁଣି ପ୍ରେମ ଉପରେ ଘୃଣା ଆସିଯିବ ।
ଘଟଣା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ନଗର ପଞ୍ଚାୟତ ବାଲିଡିଆ ଗ୍ରାମର । ଜଣେ ନାବାଳିକା ସହିତ ସେହି ଗ୍ରାମର ଜୟନ୍ତ ବେହେରା ନାମକ ଜଣେ ୨୫ ବର୍ଷୀୟ ଯୁବକର ପ୍ରେମ ସମ୍ପର୍କ ଗଢିଉଠିଥିଲା । ଦୀର୍ଘ ଏକ ବର୍ଷ ହେବ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ପରବର୍ତ୍ତୀ ସମୟରେ ଶାରୀରିକ ସମ୍ପର୍କରେ ପରିବର୍ତ୍ତନ ହୋଇଥିଲା । ଯାହାଫଳରେ ନାବାଳିକା ଜଣକ ବର୍ତ୍ତମାନ ୫ ମାସର ଗର୍ଭବତୀ ଥିବା ସୂଚନା ମିଳିଛି ।
ତେବେ ଗତ ୪ ଦିନ ତଳେ ନାବାଳିକା ଝିଅଟିର ଗର୍ଭଧାରଣ ସମ୍ପର୍କିତ କେତେକ ଲକ୍ଷଣ ଦେଖାଯିବା ପରେ ଝିଅଟିର ମାଆ ସନ୍ଦେହ କରି ପଚାରିଥିଲେ । ଆଉ ନାବାଳିକା ଝିଅଟି ମାଆ ଆଗରେ ସବୁ ସତ ମାନି ଯାଇଥିଲା । ଏହି ଘଟଣା ବିଷୟରେ ସମ୍ପୃକ୍ତ ଯୁବକ ଜୟନ୍ତ ବେହେରାର ପରିବାରକୁ ଝିଅ ଘର ପରିବାର ତରଫରୁ ସବୁ କଥା ଜଣାଯାଇଥିଲା । ଉଭୟ ପରିବାର ସହିତ ଗ୍ରାମବାସୀଙ୍କ ଅପୋଷ ବୁଝାମଣା ମାଧ୍ୟମରେ ନାବାଳିକା ଝିଅ ସହିତ ସମ୍ପୃକ୍ତ ଯୁବକର ବିବାହ ହେବା ପାଇଁ ସ୍ଥିର ହେବା ସହିତ ଗର୍ଭବତୀ ହୋଇଥିବା ନାବାଳିକାକୁ ବୋହୂ ଭାବରେ ଯୁବକର ପରିବାର ଗ୍ରହଣ କରିବା ପାଇଁ ସ୍ଥିର ହୋଇଥିଲା ।
କିନ୍ତୁ ଗତକାଲି ପ୍ରତାରଣା କରି ନାବାଳିକାକୁ ଗର୍ଭବତୀ କରାଇଥିବା ଯୁବକ ଏବଂ ତାର ବାପା କେଉଁ ଆଡେ ଫେରାର ହୋଇଯାଇଥିବା ବେଳେ ନାବାଳିକାକୁ ଗ୍ରହଣ କରିବା ପାଇଁ ଜୟନ୍ତ ବେହେରାର ପରିବାର ଏବେ ଅମଙ୍ଗ । ଯାହାକୁ ନେଇ ଗର୍ଭବତୀ ହୋଇଥିବା ୧୭ ବର୍ଷୀୟ ନାବାଳିକା ଜଣକ ଗତକାଲି ଅସ୍ତରଙ୍ଗ ଥାନାର ଦ୍ଵାରସ୍ଥ ହୋଇ ଉକ୍ତ ଯୁବକ ଏବଂ ତା ପରିବାର ନାମରେ ଏତଲା ଦେଇଛି । ପୋଲିସ୍ ପକ୍ଷରୁ ପୀଡ଼ିତାକୁ ନ୍ୟାୟ ପ୍ରଦାନ କରାଯିବା ପାଇଁ ପରିବାର ପକ୍ଷରୁ ଦାବି କରାଯାଇଛି ।
ବିବାହ ପ୍ରତିଶ୍ରୁତି ଦେଇ ନାବାଳିକାକୁ ପ୍ରେମ ଓ ପରେ ପ୍ରତାରଣା । ଶାରୀରିକ ସମ୍ପର୍କ ରଖିବା ପରେ ଗର୍ଭବତୀ ହୋଇଛି ନାବାଳିକା । ଏକଥା ଜଣାପଡିବା ପରେ ଏବେ ପ୍ରେମିକ ଫେରାର । ପୁଣି ଏଭଳି ଏକ କରୁଣ କାହାଣୀ । ଏ ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରି ପୋଲିସ୍ ତୁରନ୍ତ ତଦନ୍ତ କରିବା ସହ ଉକ୍ତ ନାବାଳିକାକୁ ନ୍ୟାୟ ଦେବାକୁ ସାଧାରଣରରେ ଦାବି ହୋଇଛି ।