ରାଜନୀତି

୨୦୨୪ରେ ନୁହେଁ, ଚଳିତ ମାସ ଖୋଲାଯାଉ ମହାପ୍ରଭୁଙ୍କ ରତ୍ନଭଣ୍ଡାର: ସମୀର ମହାନ୍ତି – Utkal Mail


ଭୁବନେଶ୍ବର: ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲିବା ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଗତ ୪ ତାରିଖ ଦିନ ସରକାରଙ୍କୁ ସୁପାରିସ କରାଯାଇଥିବା ନେଇ ପୁରୀ ଜିଲ୍ଲାପାଳ ଗଣମାଧ୍ୟମକୁ କହିଥିଲେ। କିନ୍ତୁ ବିଜେପିର ବରିଷ୍ଠ ନେତା ସମୀର ମହାନ୍ତି ଏବେ ଏହାକୁ ବିରୋଧ କରିଛନ୍ତି। ସେ କହିଛନ୍ତି ଯେ, ଆସନ୍ତାବର୍ଷ ବଦଳରେ ଚଳିତ ଅଗଷ୍ଟ ମାସରେ ରତ୍ନଭଣ୍ଡାର ଖୋଲାଯାଉ। ଆସନ୍ତାବର୍ଷକୁ ଅପେକ୍ଷା ନ କରି ଚଳିତ ଅଗଷ୍ଟ ମାସରେ ରତ୍ନଭଣ୍ଡାର ଖୋଲି ରତ୍ନ ଅଳଙ୍କାର ସବୁ ଇନଭେଣ୍ଟରି କରିବା ପାଇଁ ସେ ଦାବି କରିଛନ୍ତି।

ଗଣମାଧ୍ୟମର ପ୍ରତିନିଧିଙ୍କୁ ପୂର୍ବତନ ରାଜ୍ୟ ବିଜେପି ସଭାପତି ଶ୍ରୀ ମହାନ୍ତି କହିଛନ୍ତି, ୧୯୭୮ ମସିହା ଇନଭେଣ୍ଟରିକୁ ନେଇ ଗେଜେଟ ନୋଟିଫିକେସନ ହୋଇଛି। ତାହାର ତଥ୍ୟ, ଆଇନ ମନ୍ତ୍ରୀ ବିଧାନସଭାରେ ଉତ୍ତର ରଖିବା ଏବଂ ରାଜ୍ୟ ସରକାର ହାଇକୋର୍ଟରେ ସତ୍ୟପାଠରେ ଦେଇଥିବା ହିସାବରୁ ସନ୍ଦେହ ସୃଷ୍ଟି ହେଉଛି। ଲୋକଙ୍କ ଭିତରେ ଅବିଶ୍ବାସର ବାତାବରଣ ହୋଇଛି ଏବଂ ସରକାରଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିରୁ ରତ୍ନଭଣ୍ଡାର ଲୁଟ ହୋଇଛି ବୋଲି ପ୍ରମାଣିତ ହେଉଛି। ରତ୍ନଭଣ୍ଡାର ସୁରକ୍ଷା ପାଇଁ ଏଏସଆଇ ଉନ୍ନତମାନର ଯାନ୍ତ୍ରିକ ଜ୍ଞାନକୌଶଳ ବ୍ୟବହାର କରିବ ବୋଲି ହାଇକୋର୍ଟରେ ସତ୍ୟପାଠ କରିଛି। ଏହାକୁ ହାଇକୋର୍ଟ ତର୍ଜମା କରିବେ। ୨୦୧୮ରୁ ଏଏସଆଇ ବାରମ୍ବାର ଚିଠି ଦେଇଛି । କିନ୍ତୁ ସରକାର ନିଦାବିଷ୍ଣୁ ଭଳି ଅଛନ୍ତି।

୨୦୧୮ରେ ବିଜେପି ସିଂହଦ୍ୱାର ଥାନା ଆଗରେ ଧାରଣାରେ ବସିଥିଲା । ସେହି ସମୟରେ ଡୁପ୍ଲିକେଟ ଚାବି ମିଳିଥିଲା। ତାପରେ ବିଜେପି ଓ ଅନ୍ୟ ସାମାଜିକ ସଙ୍ଗଠନ ରତ୍ନଭଣ୍ଡାର ଖୋଲି ଇନଭେଣ୍ଟରି କରାଯାଉ ବୋଲି ଚାପ ସୃଷ୍ଟି କରିଥିଲେ। ଯେଉଁଥିପାଇଁ ରଘୁବର ଦାସ କମିସନ ବସିଲା। କିନ୍ତୁ କମିଶସଙ୍କ ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହୋଇପାରିଲା ନାହିଁ। ତେଣୁ ଜାଣି ଶୋଇଥିବ ଯିଏ ତାକୁ ଉଠେଇବ କିଏ ? କାହିଁକି ସରକାର ଖୋଲୁନାହାନ୍ତି ଏ କଥା ସରକାର ହିଁ ଜାଣିଛନ୍ତି। ପ୍ରଭୁ ଜଗନ୍ନାଥ ମଧ୍ୟ ସେ କଥାକୁ ବିଚାର କରୁଛନ୍ତି। କୋର୍ଟକୁ ଏ ଘଟଣା ଯିବା କଥା ନୁହେଁ। ସରକାର ରତ୍ନଭଣ୍ଡାର ଖୋଲିଲେ ନାହିଁ ବୋଲି ମାମଲା ହାଇକୋର୍ଟକୁ ଯାଇଛି। ୨୦୧୮ ମସିହାରୁ କାହିଁକି ବିଳମ୍ବ ହେଉଛି। ସରକାର ଆର ବର୍ଷ ରଥଯାତ୍ରାକୁ ଅପେକ୍ଷା ନକରି ଚଳିତ ଅଗଷ୍ଟ ମାସରେ ହାଇକୋର୍ଟଙ୍କ ତାରିଖ ପୂର୍ବରୁ ତୁରନ୍ତ ରତ୍ନଭଣ୍ଡାର ଖୋଲନ୍ତୁ। ନିଜ ସ୍ୱଚ୍ଛତାର ପ୍ରମାଣ ଦେଇ କୋଟି କୋଟି ଭକ୍ତଙ୍କ ମନରେ ଆସ୍ଥା ସ୍ଥାପନ କରନ୍ତୁ। ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି।

ଏହା ପୂର୍ବରୁ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଥିଲେ, ୨୦୨୪ ରଥଯାତ୍ରା ସମୟରେ ଶ୍ରୀଜିଉଙ୍କ ରତ୍ନଭଣ୍ଡାର ଖୋଲିବ। ଏହା ପୂର୍ବରୁ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲି ଯାଞ୍ଚ କରାଯିବ। ରତ୍ନଭଣ୍ଡାର ଯାଞ୍ଚ ପାଇଁ ଏକ ବୈଷୟିକ କମିଟି ଗଠନ ହେବ। ଲେଜର ସ୍କାନିଂ ଦ୍ୱାରା ଯାଞ୍ଚ କରାଯିବ। ଏହାସହ ରତ୍ନାଭଣ୍ଡାର ଖୋଲିବା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯିବ। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଶୁକ୍ରବାର ଏନେଇ ସୁପାରିସ କରାଯାଇଛି।  ଶ୍ରୀ ବର୍ମା କହିଥିଲେ ଯେ, ରତ୍ନଭଣ୍ଡାର ଯାଞ୍ଚ ବେଳେ ପରିଚାଳନା କମିଟି ସଦସ୍ୟ ଓ ଏଏସଆଇ ସଦସ୍ୟ ଉପସ୍ଥିତ ରହିବେ। ଏହାଛଡା ଅବସରପ୍ରାପ୍ତ ବିଚାରପତି ମଧ୍ୟ ଏହି କମିଟିରେ ସଦସ୍ୟ ରହିବେ। ରତ୍ନଭଣ୍ଡାର ଯାଞ୍ଚ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହେବ। ଏହି କମିଟି ଜରିଆରେ ରତ୍ନଭଣ୍ଡାର ଖୋଲିବାକୁ ସରକାରଙ୍କୁ ଅନୁମତି ମଗାଯିବ । ଅନୁମତି ମିଳିବା ପରେ ରତ୍ନଭଣ୍ଡାର ଖୋଲିବା ନେଇ ବାଟ ଫିଟିବ।




Related Articles

Leave a Reply

Your email address will not be published. Required fields are marked *

Back to top button