ରାତିରେ ସୂର୍ଯ୍ୟକିରଣ ବିକିବ କାଲିଫର୍ଣ୍ଣିଆର ‘ରିଫ୍ଲେକ୍ଟ ଅର୍ବିଟାଲ’

କାଲିଫର୍ଣ୍ଣିଆ: କାଲିଫର୍ଣ୍ଣିଆର ଏକ ଷ୍ଟାର୍ଟଅପ୍ ‘ରିଫ୍ଲେକ୍ଟ ଅର୍ବିଟାଲ’ ବଡ଼ ଘୋଷଣା କରିଛି। ଏହି କମ୍ପାନୀ ସୂର୍ଯ୍ୟାସ୍ତ ପରେ ସୂର୍ଯ୍ୟକିରଣ ବିକିବ ବୋଲି କହିଛି। ଏହି କମ୍ପାନୀ ରାତିରେ ମହାକାଶରୁ ପୃଥିବୀକୁ ସୂର୍ଯ୍ୟକିରଣ ପ୍ରତିଫଳନ କରାଇବ। ଏ ପର୍ଯ୍ୟନ୍ତ କମ୍ପାନୀକୁ ୩୦ ହଜାର ଆବେଦନ ପ୍ରାପ୍ତ ହେଲାଣି।
ଏପ୍ରିଲରେ ଲଣ୍ଡନରେ ଅନୁଷ୍ଠିତ ‘ଶକ୍ତି ଉପରେ ଅନ୍ତର୍ଜାତୀୟ ସମ୍ମିଳନୀ’ରେ କମ୍ପାନୀର ସିଇଓ ବେନ ନୋୱାକ ଏ ବିଷୟରେ ସୂଚନା ଦେଇ କହିଥିଲେ ଯେ ଶକ୍ତି ସମସ୍ୟାର ସମାଧାନ ଲାଗି ତାଙ୍କ କମ୍ପାନୀ ଏ ଦିଗରେ କାର୍ଯ୍ୟାରମ୍ଭ କରିଛି। ଏଥିପାଇଁ କମ୍ପାନୀ ୫୭ଟି ଛୋଟ ଉପଗ୍ରହ ଉତ୍କ୍ଷେପଣ କରିବ। ପ୍ରତ୍ୟେକରେ ୩୩ ସ୍କୋୟାର ଫୁଟର ଅଲ୍ଟ୍ରା ରିଫ୍ଲେକ୍ଟିଭ ମିଲର ମିରର (ଦର୍ପଣ) ଲାଗିବ। ଏହି ଦର୍ପଣ ପୃଥିବୀରେ ଥିବା ସୋଲାର ଫାର୍ମକୁ ସୂର୍ଯ୍ୟକିରଣ ପ୍ରତିଫଳନ କରାଇବ।
ଜରୁରୀ ସମୟରେ ସେ ଏହା ମାଧ୍ୟମରେ ଅଧିକ ୩୦ ମିନିଟ ପାଇଁ ଶକ୍ତି ଯୋଗାଣ କରିପାରିବେ। କମ୍ପାନୀ ଏଥିପାଇଁ ୮ ଜଣିଆ ଟିମ୍ ଗଠନ କରିଛି। ଏମାନେ ହଟ୍ ଏୟାର ବେଲୁନରେ ୮/୮ ଫୁଟର ମିଲାର ମିରର ଲଗାଇ ୨୪୨ ମିଟର ଦୂରରୁ ଧାର୍ଯ୍ୟ ସ୍ଥାନରେ ସୂର୍ଯ୍ୟକିରଣ ପ୍ରତିଫଳନ କରାଇବାରେ ସଫଳ ହୋଇଛି। ୨୦୨୫ରେ କମ୍ପାନୀ ପୃଥିବୀ କକ୍ଷକୁ ଏହି ଦର୍ପଣ ପଠାଇବ।



