ପୁଟିନଙ୍କୁ ହତ୍ୟା ଉଦ୍ୟମ? କାର୍କେଡ୍ ଲିମୋଜିନ୍ରେ ବିସ୍ଫୋରଣ

ମସ୍କୋ: ତିନି ଦିନ ତଳେ ୟୁକ୍ରେନ ରାଷ୍ଟ୍ରପତି ବୋଲୋଡିମିର ଜେଲେନସ୍କି କହିଥିଲେ ଯେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ମୃତ୍ୟୁ ଖୁବ୍ ଶୀଘ୍ର ହେବ। ଏହି ବୟାନକୁ ନେଇ ପୂରା ବିଶ୍ବରେ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଗତରାତିରେ ପୁଟିନ୍ଙ୍କ କାର୍କେଡରେ ସାମିଲ ଥିବା ଏକ ବିଳାସପୂର୍ଣ୍ଣ ଲିମୋଜିନ୍ରେ ବିସ୍ଫୋରଣ ହୋଇଛି। ରାସ୍ତା ମଝିରେ ହୋଇଥିବା ଏହି ବିସ୍ଫୋରଣ ଆତଙ୍କ ଖେଳାଇଦେଇଛି। ଭାଇରାଲ ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳୁଛି ଯେ ଏକ ଲିମୋଜିନ୍ ଅଚାନକ ବିସ୍ଫୋରଣରେ ଜଳିଯାଉଛି ଏବଂ ଲୋକେ ଭୟଭୀତ ହୋଇ ଦୌଡ଼ୁଛନ୍ତି। ୩,୭୫,୦୦୦ ଡଲାରର ଏହି ଲିମୋଜିନ୍ ପୁଟିନ୍ଙ୍କ ଅଫିସିଆଲ୍ କାର୍କେଡ୍ର ଏକ ଅଂଶ ଏବଂ କେତେକ ରିପୋର୍ଟରେ ଏହା ଏକ ହତ୍ୟା ଉଦ୍ୟମ ବୋଲି କୁହାଯାଉଛି। ଏହି ବିସ୍ଫୋରଣ ସମୟରେ ପୁଟିନ୍ ଉକ୍ତ ଲିମୋଜିନ୍ରେ ନଥିବା ବେଳେ ଅନ୍ୟ କେହି ଏଥିରେ ମୃତାହତ ହୋଇଥିବା ଖବର ନାହିଁ।
ରୁଷୀୟ ଗୁଇନ୍ଦା ସଂସ୍ଥା ଏଫ୍ଏସ୍ବିର ମୁଖ୍ୟାଳୟଠାରୁ ମାତ୍ର କିଛି ମିଟର ଦୂରରେ ଏହି ବିସ୍ଫୋରଣ ଘଟିବା କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ତୁରନ୍ତ ଦମକଳ ବାହିନୀ ଜଳନ୍ତା କାର୍ ଉପରେ ପାଣି ଢାଳି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିଲେ ମଧ୍ୟ ଇଞ୍ଜିନରୁ ନିଆଁ ଆରମ୍ଭ ହୋଇ ସମଗ୍ର କାର୍କୁ କବଳିତ କରିଥିବା ଜଣାପଡ଼ିଛି। ଗାଡ଼ିର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଅନ୍ୟପକ୍ଷରେ କେତେକ ଗଣମାଧ୍ୟମରେ ନିୟମିତ ବ୍ୟବଧାନରେ ପୁଟିନଙ୍କ ଅସୁସ୍ଥତା ସମ୍ପର୍କିତ ଖବର ପ୍ରକାଶ ପାଉଥିବାରୁ ଏହାକୁ କ୍ରେମ୍ଲିନ ଦୃଢ଼ ଭାବେ ଖଣ୍ଡନ କରିଛି। ପୁଟିନ୍ କର୍କଟ ଓ ପାର୍କିନସନ୍ ରୋଗରେ ପୀଡ଼ିତ ବୋଲି ନିକଟରେ କେତେକ ରିପୋର୍ଟ ପ୍ରକାଶ ପାଇଛି।



