ଜି୨୦ କ୍ରାଫ୍ଟ ମେଳାରେ ଓଡ଼ିଶା ଷ୍ଟଲ୍ – Utkal Mail
ନୂଆଦିଲ୍ଲୀ: ୨୦୨୩ ପାଇଁ ଜି୨୦ର ଅଧ୍ୟକ୍ଷ ଭାରତ ନୂଆଦିଲ୍ଲୀରେ ଏହାର ଶିଖର ସମ୍ମିଳନୀ ଆୟୋଜନ କରୁଛି। ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ବିଶ୍ବର ନେତାମାନଙ୍କୁ ଦେଶର ସମସ୍ତ ରାଜ୍ୟ, କେନ୍ଦ୍ର ଶାସିତ ଅଂଚଳ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟର ଉପଲବ୍ଧି ଦର୍ଶାଇବା ପାଇଁ ପ୍ରଗତି ମଇଦାନର ଭାରତ ମଣ୍ଡପମ୍ ନିକଟରେ ଥିବା ହଲ ନମ୍ବର ୩ରେ ଜି୨୦ କ୍ରାଫ୍ଟ ମେଳାର ଆୟୋଜନ କରାଯାଇଛି। ଏଥିରେ ବିଶେଷଭାବେ ରାଜ୍ୟମାନଙ୍କ ବୟନ ଶିଳ୍ପ, ହସ୍ତତନ୍ତ୍ର ଓ କୁଶଳୀ କାରିଗରମାନଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଥିବା ପଥର ଖୋଦେଇ କାର୍ଯ୍ୟଗୁଡ଼ିକୁ ପ୍ରଦର୍ଶିତ କରାଯାଇଛି।
ଜି୨୦ କ୍ରାଫ୍ଟ ମେଳାରେ ଓଡ଼ିଶା ସରକାରଙ୍କ ଦ୍ବାରା ଗୋଟିଏ ଷ୍ଟଲ୍ ସ୍ଥାପନ କରାଯାଇଛି। ଓଡ଼ିଶାର ବିଭିନ୍ନ କାରୁକାର୍ଯ୍ୟଗୁଡ଼ିକୁ ଏଥିରେ ପ୍ରଦର୍ଶିତ କରାଯାଇଛି। ଷ୍ଟଲ୍ରେ ପଟ୍ଟଚିତ୍ର, ତାଳପତ୍ର, ପିପଲି ଚାନ୍ଦୁଆ, କଟକର ତାରକସି ଓ କଣ୍ଟିଲୋର ପିତ୍ତଳ କାରୁକାର୍ଯ୍ୟ, ବିଭିନ୍ନ ପଥର ଖୋଦେଇ ମୂର୍ତ୍ତି, ସମ୍ବଲପୁର ଶାଢ଼ି,ଖୋର୍ଦ୍ଧା ଗାମୁଛା ଭଳି ଅନେକ ସାମଗ୍ରୀ ପ୍ରଦର୍ଶନ କରାଯାଇଛି। ଆୟୋଜକଙ୍କ କହିବା ଅନୁସାରେ, ଦିଲ୍ଲୀରେ ରାଜ୍ୟ ସରକାରଙ୍କ ଉତ୍କଳିକା ଏମ୍ପୋରିୟମରୁ କିଛି ଚୟନ କରାଯାଇଥିବା ସାମଗ୍ରୀକୁ କ୍ରାଫ୍ଟ ମେଳା ପାଇଁ ଅଣାଯାଇଛି। ଏଥି ସହିତ କିଛି ସାମଗ୍ରୀକୁ ଓଡ଼ିଶାରୁ ଅଣାଯାଇଛି। ଓଡ଼ିଶାର ହସ୍ତତନ୍ତ ଓ ପଥର ଖୋଦେଇ କାରୁକାର୍ଯ୍ୟ ବିଶ୍ବର ନେତାମାନଙ୍କୁ ବିଶେଷ ରୂପେ ଆକର୍ଷିତ କରିବ ବୋଲି ଆୟୋଜକମାନେ କହିଛନ୍ତି।
ଜି୨୦ ଶିଖର ସମ୍ମିଳନୀ ଅବସରରେ ଓଡ଼ିଶା ଷ୍ଟଲରେ ସାମଗ୍ରୀଗୁଡ଼ିକର ପ୍ରର୍ଦଶନ ସହିତ ବିକ୍ରି ମଧ୍ୟ ହେବ। ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ଉତ୍ପାଦ ତଥା କାରୁକାର୍ଯ୍ୟଗୁଡ଼ିକର ପ୍ରଚାର ଓ ପ୍ରସାର ପାଇଁ ରାସ୍ତା ଖୋଲିବ ବୋଲି ଆୟୋଜକମାନେ ଆଶା ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଜି୨୦ ଶିଖର ସମ୍ମିଳନୀରେ ଭାରତର କୋଣ ଅନୁକୋଣରେ ବିଭିନ୍ନ ହସ୍ତତନ୍ତ ଓ ଅନ୍ୟାନ୍ୟ କାରୁକାର୍ଯ୍ୟକୁ ଗୋଟିଏ ସ୍ଥାନରେ ଉପଲବ୍ଧ କରାଇବା ପାଇଁ ଇଣ୍ଡିଆ ଟ୍ରେଡ ପ୍ରମୋସନ ଅର୍ଗାନାଇଜେସନ(ଆଇଟିପିଓ) ଦ୍ବାରା କ୍ରାଫ୍ଟ ମେଳାର ଆୟୋଜନ କରାଯାଇଛି। ଜି୨୦ କ୍ରାଫ୍ଟ ମେଳାରେ ଭାରତ ପହଂଚିଥିବା ବିଦେଶୀ ପ୍ରତିନିଧିମାନେ ଆଜି ଓଡ଼ିଶାର ଷ୍ଟଲ ପରିଦର୍ଶନ କରିଛନ୍ତି।