ନୀତି

ଗଛ କାଟିଲେ ରକ୍ତ! ଜାଣନ୍ତୁ ଆଶ୍ଚର୍ଯ୍ୟଜନକ ବୃକ୍ଷ ‘ଟେରୋକାର୍ପସ ଆଙ୍ଗୋଲେନ୍‌ସିସ୍‌’ର କାହାଣୀ – Utkal Mail


ଦକ୍ଷିଣ ଆଫ୍ରିକାରେ ବଣୁଆ ଶାଗୁଆନ ବା ରକ୍ତକାଠ ନାମକ ଏକ ପ୍ରଜାତିର ଗଛ ରହିଛି ଯାହାର ଗଣ୍ଡିକୁ ଛେଦନ କଲେ ସେଥିରୁ ରକ୍ତ ପରି ନାଲି ରଙ୍ଗର ରସ ଝରିଥାଏ। ଦକ୍ଷିଣ ଆଫ୍ରିକା ବ୍ୟତୀତ ଆଙ୍ଗୋଲା, ମୋଜାମ୍ବିକ୍‌, ନାମ୍ବିଆ ଓ ତାଞ୍ଜାନିଆ ଆଦି ରାଷ୍ଟ୍ରରେ ଦେଖାଯାଉଥିବା ଏହି ବୃକ୍ଷର ବୈଜ୍ଞାନିକ ନାମ ହେଉଛି ଟେରୋକାର୍ପସ ଆଙ୍ଗୋଲେନ୍‌ସିସ୍‌। ଆଫ୍ରିକାର କ୍ରାନ୍ତୀୟ ଅଞ୍ଚଳରେ ଖୁବ୍‌ ଲୋକପ୍ରିୟ ଥିବା ଏହି ଗଛକୁ ଲୋକେ ଉଚ୍ଚମାନର କାଷ୍ଠ ଉପକରଣ ଓ ସଂଗୀତ ଯନ୍ତ୍ର ନିର୍ମାଣରେ ବ୍ୟବହାର କରିଥା’ନ୍ତି। ଏହାର ଗଣ୍ଡିରୁ ଝରୁଥିବା ରକ୍ତିମ ରସ ପାଇଁ ଯଦିଓ କେହି କେହି ଏହାକୁ ରକ୍ତ ସହ ଜଡ଼ିତ କିଛି ରୋଗର ଉପଶମ ପାଇଁ ବ୍ୟବହାର କରିଥା’ନ୍ତି, ତେବେ ତାହାର କୌଣସି ବିଜ୍ଞାନସମ୍ମତ କାରଣ ନାହିଁ।

ଏହାକୁ ଏକ ସୁନ୍ଦର ରଙ୍ଗ ଭାବେ ମଧ୍ୟ ବ୍ୟବହାର କରାଯାଉଛି। କେହି କେହି ଏହାକୁ ଜୀବଜନ୍ତୁଙ୍କ ଚର୍ବି ସହ ମିଶାଇ ଏକ ପ୍ରକାର ପ୍ରସାଧନ ସାମଗ୍ରୀ ଭାବେ ବ୍ୟବହାର କରିଥା’ନ୍ତି। ଏହାର ଏକ ବିଶେଷତ୍ବ ହେଉଛି ଏଥିରେ ଜମା ପୋକ ଲାଗନ୍ତି ନାହିଁ। ତେଣୁ ବିଭିନ୍ନ ପ୍ରକାର ଆସବାବପତ୍ର ତିଆରି ପାଇଁ ଏହା ଅତ୍ୟନ୍ତ ଉପାଦେୟ। ଏଥି ସହିତ ଏହି କାଠରୁ ଏକପ୍ରକାର ସୁବାସିତ ଗନ୍ଧ ବାହାରିଥାଏ। ଏହି ଗଛର ସବୁଠୁ ବଡ଼ ଗୁଣ ହେଲା ଏଥିରେ ଆଦୌ ନିଆଁ ଧରେ ନାହିଁ। ତେଣୁ ଲୋକେ ନିଜ ବାସଭବନ ବା କାର୍ଯ୍ୟସ୍ଥଳୀକୁ ବାହ୍ୟ ନିଆଁଦାଉରୁ ରକ୍ଷା କରିବା ପାଇଁ ନିଜ ଚାରିକଡ଼େ ଏହି ଗଛ ଲଗାଇଥା’ନ୍ତି। ଅନ୍ୟ ଗଛମାନଙ୍କର ପତ୍ରରେ ୧୨ରୁ ୨୦ ପ୍ରତିଶତ ଟାନ୍ନିନ୍‌ ନାମକ ରାସାୟନିକ ରହିଥିବା ବେଳେ ଏହି ଟେରୋକାର୍ପସ ଆଙ୍ଗୋଲେନ୍‌ସିସ୍‌ରେ ୭୭ ପ୍ରତିଶତ ଟାନ୍ନିନ୍‌ ରହିଥାଏ। ଫଳସ୍ବରୂପ, ଏହାର ସ୍ବାଦ ଭାରି କଡ଼ା ହୋଇଥିବାରୁ ଜୀବଜନ୍ତୁମାନେ ଏହାକୁ ଜମା ଖାଇନଥା’ନ୍ତି। ଅର୍ଥାତ୍‌ ଚାରା ବେଳୁ ଏହା ବଢ଼ିବା ଲାଗି ଜନ୍ତୁଙ୍କ ବିରୋଧରେ ଆତ୍ମରକ୍ଷା ବ୍ୟବସ୍ଥା ରଖିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button