ଓଡିଶା

କଂଗ୍ରେସ ଭବନରୁ ଯୋସେଫ ସ୍କୁଲ ରାସ୍ତା: ଅବଧି ସରିଲାଣି କାମ ସରୁନି

ଭୁବନେଶ୍ୱର: ପୂର୍ତ୍ତ ବିଭାଗ ଅଧୀନରେ ଥିବା ଭୁବନେଶ୍ବର ରାସ୍ତା ଓ କୋଠାବାଡ଼ି ବିଭାଜନ-୧ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଗାଦିମଡ଼ା କର୍ମଚାରୀ ଗାଦି ଛାଡ଼ିଥିଲେ ମଧ୍ୟ ଅନ୍ୟାନ୍ୟ କେଳେଙ୍କାରୀ ପିଛା ଛାଡ଼ୁନି। ପୁନରୁଦ୍ଧାର ପାଇଁ ଭିତ୍ତିଭୂମି ପ୍ରସ୍ତୁତିରେ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ଅଧିକାରୀ-ଠିକାଦାର ମଧୁଚନ୍ଦ୍ରିକା ଯୋଗୁ ସାଧାରଣ ଲୋକ ଏହାର ସୁଫଳ ପାଉ ନାହାନ୍ତି।

ବରଂ ଅବଧି ଗଡ଼ି ଯାଉଥିଲେ ମଧ୍ୟ ପୁନରୁଦ୍ଧାର ବା ପ୍ରକଳ୍ପ କାମ ସରୁ ନଥିବାରୁ ସାଧାରଣ ଲୋକ ଦହଗଞ୍ଜ ହେଉଛନ୍ତି। ଲକ୍ଷ୍ମୀସାଗର ଛକରୁ ଝାରପଡ଼ା ଜେଲ୍ ଦେଇ ଯାଇଥିବା ରାସ୍ତାର ଟେଣ୍ଡର ହେବାକୁ ବର୍ଷେ ପୂରିବାକୁ ବସିଥିଲେ ମଧ୍ୟ କାମ ଆରମ୍ଭ ହେଉ ନଥିବା ବେଳେ କଂଗ୍ରେସ ଭବନରୁ ସେଣ୍ଟ ଯୋସେଫ୍ ସ୍କୁଲ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଧାର୍ଯ୍ୟ ଅବଧି ଶେଷ ହୋଇଥିଲେ ମଧ୍ୟ ରାସ୍ତା କାମ ଅଧା କାମ ସରିନାହିଁ। ବଡ଼କଥା ହେଉଛି ରାସ୍ତା କଡ଼ରେ ପାହାଡ଼ ଭଳି ଜମା ହୋଇଥିବା ମାଟି ରାସ୍ତାର ୫୦ ପ୍ରତିଶତ ମାଡ଼ି ବସିଥିବା ବେଳେ କେବୁଲ୍ ବିଛାଇବା ପାଇଁ ଖୋଳା ଯାଇଥିବା ଅଣ୍ଟାଏ ଗଭୀରର ଗାତ ଜୀବନ ନେଇ ଯିବାକୁ ଆଁ କରିଛି। ଏବେ ବିଧାନସଭା ଚାଲିଥିବାରୁ ଜବାହାରଲାଲ ମାର୍ଗ ଅଧା ସିଲ୍ ହେଉଥିବା ବେଳେ ଗାନ୍ଧୀମାର୍ଗ ମଧ୍ୟ ଆନ୍ଦୋଳନକାରୀଙ୍କ ଦଖଲରେ ରହୁଛି। ସେହି ସମୟରେ ଏହି ରାସ୍ତାରେ ଶହ ଶହ ଗାଡ଼ି ଯାତାୟାତ କରୁଛି। ଫଳରେ ଏଠାରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେଉଛି।

ରାଜଧାନୀର ସମସ୍ତ ପ୍ରମୁଖ ରାସ୍ତା ପୂର୍ତ୍ତ ବିଭାଗର ରାସ୍ତା ଓ କୋଠାବାଡ଼ି ଅଧୀନରେ ରହିଛି। କିନ୍ତୁ କେବଳ ଜନପଥକୁ ଛାଡ଼ିଦେଲେ କୌଣସି ଗୋଟିଏ ହେଲେ ରାସ୍ତା ନାହିଁ ଯେଉଁଠି ସମସ୍ୟା ନାହିଁ। ଯେଉଁଠି ରାସ୍ତା ଭଲ ସେଠାରେ କଡ଼ରେ ପାଇପ୍ ବିଛାଇବା ପାଇଁ ଖୋଳା ଯାଉଥିବାରୁ ଭୟଙ୍କର ସମସ୍ୟା ସୃଷ୍ଟି ହେଉଛି। ଛୋଟ ଛୋଟ ମରାମତି କରୁନଥିବାରୁ ବର୍ଷାପାଣି ଜମି ରହି ଖାଲର ଆକାର ବଢ଼ିବଢ଼ି ଯାଉଛି। ରାସ୍ତାର ପୁନରୁଦ୍ଧାର ପାଇଁ ଟେଣ୍ଡର ହେଉଛି। ହେଲେ ଉଚିତ ସମୟରେ ସରୁନାହିଁ। ଫଳରେ ସମସ୍ୟା ଆହୁରି ବଢ଼ି ବଢ଼ି ଯାଉଛି। ବିଭାଗୀୟ ଅଧିକାରୀମାନେ ମୋଟାଅଙ୍କର ପିସି ନେଉଥିବାରୁ ଧାର୍ଯ୍ୟ ଅବଧି ମଧ୍ୟରେ କାମ ନସରିଲେ ମଧ୍ୟ ଠିକାଦାର ଉପରେ କାର୍ଯ୍ୟାନୁଷ୍ଠାନ ନେଇପାରୁନଥିବା ଅଭିଯୋଗ ହେଉଛି। ଏଭଳି ଏକ ସ୍ଥିତିରେ ରହିଛି କଂଗ୍ରେସ ଭବନରୁ ସେଣ୍ଟ ଯୋସେଫ୍ ସ୍କୁଲ ପର୍ଯ୍ୟନ୍ତ ରାସ୍ତା। ପ୍ରାୟ ୧.୦୫୪ କିମି ଏହି ରାସ୍ତାର ପୁନରୁଦ୍ଧାର ପାଇଁ ଗତ ଜାନୁଆରି ମାସରେ ୧ କୋଟି ୩୬ ଲକ୍ଷ ୪୦ ହଜାର ୭୫୯ ଟଙ୍କାରେ ଠିକା ଦିଆଯାଇଥିଲା। ଜୁନ୍ ଶେଷ ସୁଦ୍ଧା କାମ ସାରିବାକୁ ଧାର୍ଯ୍ୟ କରାଯାଇଥିଲେ ମଧ୍ୟ ଏହାର ଅଧା କାମ ମଧ୍ୟ ସରି ନାହିଁ। ରାସ୍ତା ଉପରେ ମାଟିଗୋଡ଼ି ପାହାଡ଼ ଭଳି ଗଦା ହୋଇଥିବାରୁ ରାସ୍ତା ସଙ୍କୁଚିତ ହୋଇଯାଇଛି।

ରାସ୍ତା କଡ଼ରେ କେବୁଲ୍ ବିଛାଇବା ପାଇଁ ବଡ଼ ବଡ଼ ଗାତ କରାଯାଇଥିବାରୁ ଏଠାରେ ଖସିପଡ଼ିବା ଆଶଙ୍କା ମଧ୍ୟ ରହିଛି। ବିଧାନସଭା ଚାଲିଥିବାରୁ ଗାନ୍ଧୀ ମାର୍ଗ ସିଲ୍ ରହୁଛି। ଫଳରେ ମାଷ୍ଟରକ୍ୟାଣ୍ଟିନ୍ରୁ ଏହି ରାସ୍ତା ଏକମାତ୍ର ବିକଳ୍ପ ଭାବରେ ବ୍ୟବହାର ହେଉଥିବାରୁ ପ୍ରତ୍ୟେକ ଦିନ ଶହ ଶହ ଗାଡ଼ି ଫସି ରହୁଥିବା ବେଳେ ଦୁର୍ଘଟଣା ମଧ୍ୟ ଘଟୁଛି। ଦିନରେ କାମ ଚାଲୁଥିବାରୁ ଆହୁରି ସମସ୍ୟା ହେଉଛି। ଏହି ରାସ୍ତାରେ ଗୁରୁଦ୍ବାର, ରାମମନ୍ଦିରକୁ ରାସ୍ତା ରହିଥିବା ବେଳେ ଦୁଇଟି ମଲ୍ ରହିଛି। ଜଳଖିଆ ଦୋକାନ ସମେତ ଅଧିକାଂଶ ବ୍ୟାବସାୟିକ ପ୍ରତିଷ୍ଠାନ ରହିଛି। ରାସ୍ତା କଡ଼ରେ ଗାଡ଼ି ପାର୍କଂ ହେଉଥିବାରୁ ସମସ୍ୟା ଦ୍ବିଗୁଣିତ ହେଉଛି। ବଡ଼କଥା ହେଉଛି ଏହି ରାସ୍ତାର ଉଭୟ ପାର୍ଶ୍ବରେ ନିକଟ ଅତୀତରେ ପେଭର ବ୍ଲକ୍ ପଡ଼ିଥିଲା। ଏହାକୁ ଉଠାଯାଇ ଏବେ ନୂଆ ପଡ଼ୁଛି। ଏହି ପୁରୁଣାକୁ ଉଠାଇ ନେଇ ଅନ୍ୟତ୍ର ନୂଆ ପକାଉଥିବା ଦର୍ଶାଇ ସେ ବାବଦକୁ ଅର୍ଥ ହରିଲୁଟ୍ କରି ନିଆଯାଉଥିବା ଅଭିଯୋଗ ହୋଇଛି। କାର୍ଯ୍ୟରେ ବିଳମ୍ବ ହେବା ଓ ଧାର୍ଯ୍ୟ ଅବଧିରେ ନ ସରିବା କାରଣ ନେଇ ଆମେ ରାସ୍ତା ଓ କୋଠାବାଡ଼ି ଡିଭିଜନ୍ -୧ ନିର୍ବାହୀଯନ୍ତ୍ରୀ ତ୍ରିନାଥ ବେହେରାଙ୍କ ସହ ଯୋଗଯୋଗ କରିବାକୁ ଉଦ୍ୟମ କରିଥିଲୁ। ହେଲେ ସମ୍ଭବ ହୋଇନଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button