ଓଡ଼ିଶାକୁ ପ୍ରଥମ ପଦକ ଦେଲେ ପ୍ରମୋଦ: ବିଶ୍ବ କୀର୍ତ୍ତିମାନ ସହ ସୁମିତ, ସୁନ୍ଦରଙ୍କୁ ସ୍ବର୍ଣ୍ଣ – Utkal Mail
ତୃତୀୟ ଦିନ ସୁଦ୍ଧା ଭାରତକୁ ୬୪ ପଦକ
ଭୁବନେଶ୍ବର: ଚଳିତ ହାଂଝୌ ଏସୀୟ ପାରା କ୍ରୀଡ଼ାରୁ ଓଡ଼ିଶାକୁ ବୁଧବାର ପ୍ରଥମ ପଦକ ଆସିଛି। ରାଜ୍ୟର ତାରକା ବ୍ୟାଡ୍ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ମିଶ୍ରିତ ଯୁଗଳରେ କାଂସ୍ୟ ଜିତି ଏହି ଭେଟି ଦେଇଛନ୍ତି। ସେମିଫାଇନାଲ୍ରେ ପ୍ରମୋଦ ଓ ତାଙ୍କ ସାଥୀ ମନୀଷା ରାମଦାସ ୧୯-୨୧, ୧୪-୨୧ରେ ଇଣ୍ଡୋନେସିଆ ଯୋଡ଼ି ଲିଆନି ରାତ୍ରି ଓକତିଲା ଓ ହିକମତ ରାମଦାନୀଙ୍କଠୁ ହାରି କାଂସ୍ୟରେ ସନ୍ତୁଷ୍ଟ ରହିଥିଲେ। ତେବେ ଉଭୟ ପୁରୁଷ ଏକକ ଓ ଯୁଗଳର ସେମିଫାଇନାଲ୍ରେ ପହଞ୍ଚି ଆଉ ଦୁଇଟି ପଦକ ନିଶ୍ଚିତ କରିଛନ୍ତି। ପୁରୁଷ ଏକକ ଏସ୍ଏଲ୍୩ ବର୍ଗ କ୍ବାର୍ଟର ଫାଇନାଲ୍ରେ ପାରାଅଲିମ୍ପିକ୍ ଓ ଏସୀୟ ବିଜେତା ପ୍ରମୋଦ ୨୧-୧୪, ୨୧-୮ରେ ଚୀନ୍ର ଜିଓଙ୍ଗ ଲିଚୁଆନ୍ଙ୍କୁ ପରାସ୍ତ କରିଥିଲା। ସେମିଫାଇନାଲ୍ରେ ସେ ଥାଇଲାଣ୍ଡର ମୋଙ୍ଗଖୋନ ବୁନସୁନଙ୍କୁ ଭେଟିବେ। ପୁରୁଷ ଯୁଗଳ ଏସ୍ଏଲ୍୩-ଏସ୍ଏଲ୍୪ର କ୍ବାର୍ଟର ଫାଇନାଲ୍ରେ ବିଶ୍ବର ଏକ ନମ୍ବର ଯୋଡ଼ି ପ୍ରମୋଦ ଓ ସୁକାନ୍ତ କଦମ ୨୧-୧୦, ୧୯-୨୧, ୨୧-୧୨ରେ ଥାଇଲାଣ୍ଡର ତିମାରୋମ ସିରିପୋଙ୍ଗ ଓ ସାଙ୍ଗନିଲ ସିଂଘାକୁ ହରାଇ ସେମିରେ ପହଞ୍ଚିଥିଲେ।
ଅନ୍ୟ ଓଡ଼ିଶା ଖେଳାଳିଙ୍କ ମଧ୍ୟରେ ଧାବିକା ଜୟନ୍ତୀ ବେହେରା, ହୁଇଲ୍ଚେୟାର୍ ଅସିଚାଳକ ରାଖାଲ କୁମାର ସେଠୀ ଓ ପ୍ରଫୁଲ୍ଲ କୁମାର ଖଣ୍ଡାୟତରାୟ ପ୍ରଥମ ଦିନରେ ସଫଳତା ପାଇ ପାରିନଥିଲେ। ଟି୪୭ ୨୦୦ ମିଟରକୁ ଜୟନ୍ତୀ ୨୭.୫୮ ସେକେଣ୍ଡରେ ଅତିକ୍ରମ କରି ସପ୍ତମ ସ୍ଥାନରେ ରହି ପଦକରୁ ବଞ୍ଚିତ ହୋଇଥିଲେ। ଏବେ ସେ ୧୦୦ ଓ ୪୦୦ ମିଟର ଦୌଡ଼ରେ ପଦକ ଜିତିବାର ଆଶା ରଖିଛନ୍ତି। ରାଖାଲ୍ ସାବରେ ବର୍ଗ-ଏ’ର ସମସ୍ତ ପୁଲ୍ ମ୍ୟାଚ୍ ହାରି ବିଦାୟ ନେଇଥିଲେ। ତେବେ ପ୍ରଫୁଲ୍ଲ ସାବ୍ରେ ବର୍ଗ-ବି’ର ପ୍ରିକ୍ବାର୍ଟର ଫାଇନାଲ୍ରେ ପହଞ୍ଚିଥିଲେ ମଧ୍ୟ ୨-୧୫ରେ ଥାଇଲାଣ୍ଡର ତୋଙ୍ଗଜାପୋ ପିପାତଙ୍କଠୁ ହାରି ଯାଇଥିଲେ।
ନୂଆଦିଲ୍ଲୀ: ପାରାଅଲିମ୍ପିକ୍ ବିଜେତା ସୁମିତ ଅନ୍ତିଲ ବୁଧବାର ଏସୀୟ ପାରା କ୍ରୀଡ଼ାର ଜାଭଲିନ୍ ଏଫ୍୬୪ ଇଭେଣ୍ଟରେ ବିଶ୍ବ କୀର୍ତ୍ତିମାନ ସହ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେ ୭୩.୨୯ ମିଟର ଜାଭଲିନ୍ ଫିଙ୍ଗି ନିଜ ନାମରେ ଥିବା ପୂର୍ବ ବିଶ୍ବ କୀର୍ତ୍ତିମାନ ୭୦.୮୩କୁ ଟପିଥିଲେ। ଏହି କୀର୍ତ୍ତିମାନ ପ୍ୟାରିସ୍ରେ ଚଳିତ ବର୍ଷ ଆୟୋଜିତ ବିଶ୍ବ ପାରା ଦୌଡ଼କୁଦ ପ୍ରତିଯୋଗିତାରେ ହାସଲ କରିଥିଲେ। ଆଉ ଜଣେ ଭାରତୀୟ ପୁଷ୍ପେନ୍ଦ୍ର ସିଂହ (୬୨.୦୬) ତୃତୀୟ ସ୍ଥାନରେ ରହି କାଂସ୍ୟ ପାଇଛନ୍ତି। ଏଫ୍୪୬ ଜାଭଲିନ୍ରେ ମଧ୍ୟ ଭାରତୀୟ ତାରକା ସୁନ୍ଦର ସିଂହ ଗୁରଜାର ନୂଆ ବିଶ୍ବ କୀର୍ତ୍ତିମାନ ସହ ସ୍ବର୍ଣ୍ଣ ହାତେଇଛନ୍ତି। ସେ ୬୮.୬୦ ମିଟର ଜାଭଲିନ୍ ଫିଙ୍ଗି ଶ୍ରୀଲଙ୍କାର ଦିଦେଶ ମୁଦିୟାନସେଲାଗେ ହେରାଥ (୬୭.୭୯ ମିଟର)ଙ୍କ ନାମରେ ଥିବା କୀର୍ତ୍ତିମାନ ଭାଙ୍ଗିଥିଲେ। ଏହି ଇଭେଣ୍ଟରେ ସୁନ୍ଦରଙ୍କ ପଛକୁ ରିଙ୍କୁ (୬୭.୦୮) ଓ ଅଜିତ ସିଂହ (୬୩.୫୨) ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ଜିତି ଭାରତ ପାଇଁ ପଦକ ମୂଳପୋଛ ସଫଳତା ଆଣିଛନ୍ତି। ଅଙ୍କୁର ଧାମା ପ୍ରଥମ ଭାରତୀୟ ଭାବେ ଏସୀୟ ପାରା କ୍ରୀଡ଼ାର ଗୋଟିଏ ସଂସ୍କରଣରେ ଦୁଇଟି ସ୍ବର୍ଣ୍ଣ ଜିତିବାରେ ଗୌରବ ପାଇଛନ୍ତି। ସେ ପୁରୁଷ ଟି୧୧ ୧୫୦୦ ମିଟର ଦୌଡ଼ ଓ ୫୦୦୦ ମିଟର ରେସ୍ରେ ଏହି ପଦକ ଜିତିଥିଲେ। ମହିଳା ଟି୧୧ ୧୫୦୦ ମିଟରରେ ଭାରତକୁ ୧-୨ ସଫଳତା ମିଳିଥିଲା। ରକ୍ଷିତା ରାଜୁ (୫:୨୧.୪୫) ସ୍ବର୍ଣ୍ଣ ଏବଂ କିଲାକା ଲଳିତା (୫:୪୮.୮୫) ରୌପ୍ୟ ଜିତିଛନ୍ତି। ହାନି (୫୫.୯୭ ମିଟର) ଓ ନିମିଶା ସୁରେଶ ଚକୁଙ୍ଗଲପାରାମ୍ବିଲ (୫.୧୫ ମିଟର) ଯଥାକ୍ରମେ ପୁରୁଷ ଏଫ୍୩୭/୩୮ ଓ ମହିଳା ଟି୪୭ ଲଙ୍ଗ ଜମ୍ପରେ ସ୍ବର୍ଣ୍ଣ କରାୟତ୍ତ କରିଥିଲେ। କିଟ୍ ଛାତ୍ର ପ୍ରବୀଣ କୁମାର ଟି୪୬ ଉଚ୍ଚ ଡିଆଁରେ ଏସୀୟ ପାରା କ୍ରୀଡ଼ା କୀର୍ତ୍ତିମାନ ସହ ସ୍ବର୍ଣ୍ଣ ପଦକ ପାଇଛନ୍ତି। ଭୁବନେଶ୍ବର କିଟ୍ ବିଶ୍ବବିଦ୍ୟାଳୟର ଏହି ସୋସିଓଲୋଜି ଛାତ୍ର ୨.୦୨ ମିଟର ଡେଇଁ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ତାଙ୍କର ଏହି ସଫଳତା ଲାଗି କିଟ୍ ଓ କିସ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଅଭିନନ୍ଦନ ଜଣାଇଛନ୍ତି। ଏଥିସହ ବୁଧବାର ସୁଦ୍ଧା ଭାରତର ପଦକ ସଂଖ୍ୟା ୬୪ (୧୫ ସ୍ବର୍ଣ୍ଣ, ୨୦ ରୌପ୍ୟ, ୨୯ କାଂସ୍ୟ)ରେ ପହଞ୍ଚିଛି।


