ଗର୍ଭବତୀ ନାବାଳିକା ଶାଳୀକୁ ହତ୍ୟା: ଭିଣୋଇ ଗିରଫ, ଗଳିତ ଶବ ଉଦ୍ଧାର – Utkal Mail
ଜଗନ୍ନାଥପ୍ରସାଦ: ନାବାଳିକା ଶାଳୀକୁ ଗର୍ଭବତୀ କଲା ପରେ ବିବାହ ପ୍ରତିଶ୍ରୁତି ଦେଇ ସାଙ୍ଗରେ ନେଲା ଭିଣୋଇ। ହେଲେ ଶାଳୀକୁ ହତ୍ୟା କରି କୂଅରେ ଫୋପାଡ଼ିଦେଲା। ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅଧୀନ ଝାଡ଼ଭୂମି ପଞ୍ଚାୟତ ବରକୋଲିଆ ଗ୍ରାମ ନିକଟ ଧୋବାତଇଲା ପଡ଼ିଆ ଆମ୍ବ ବଗିଚା ନିକଟ ପରିତ୍ୟକ୍ତ ଶୁଖିଲା କୂଅରୁ ଆଜି ସକାଳୁ ନାବାଳିକାଙ୍କ ଗଳିତ ଶବ ମିଳିବା ପରେ ଏହି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ମୃତକ ଜଣକ ହେଲେ, ବୁଗୁଡ଼ା ଥାନା ଅଧୀନ ମଙ୍ଗରାଜପୁର ଗ୍ରାମର ଗୋପାଳ ସାମଲଙ୍କ ସାନଝିଅ ବର୍ଷା ସାମଲ। ଏଭଳି ଜଘନ୍ୟ କାଣ୍ଡ ଘଟାଇଥିବା ଅଭିଯୁକ୍ତ ତଥା ଜଗନ୍ନାଥପ୍ରସାଦ ଥାନା ବରକୋଳି ଗ୍ରାମର ସନ୍ତୋଷ ଖଟେଇକୁ ବୁଗୁଡ଼ା ପୁଲିସ ଆଜି ଗିରଫ କରିଛି। ଏନେଇ ବୁଗୁଡ଼ା ଥାନାରେ କେସ୍ ନମ୍ବର ୬୦୪ ଅନୁସାରେ ଏକ ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ସନ୍ତୋଷ ମଧ୍ୟ ନିଜ ଦୋଷ ସ୍ବୀକାର କରିଛି। ମୃତକ ବର୍ଷା ଓ ଅଭିଯୁକ୍ତର ଡିଏନ୍ଏ ପରୀକ୍ଷା ହେବ। ଏହାପରେ ସନ୍ତୋଷକୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।
ସୂଚନାନୁସାରେ, ବରକୋଳିଆ ଗ୍ରାମର ସନ୍ତୋଷ ଖଟୋଇ ମଙ୍ଗରାଜପୁର ଗ୍ରାମର ଗୋପାଳ ସାମଲଙ୍କ ବଡ଼ଝିଅଙ୍କୁ ୨ ବର୍ଷ ତଳେ ବିବାହ କରିଥିଲା। ସେମାନଙ୍କ ଏକ ୯ ମାସର ଝିଅ ଅଛି। କିନ୍ତୁ ସନ୍ତୋଷ ଅଧିକାଂଶ ସମୟ ତାଙ୍କ ଶ୍ବଶୁରଘରେ ରହୁଥିଲା। ଏହା ମଧ୍ୟରେ ଶାଳୀ ବର୍ଷା (ଦଶମଶ୍ରେଣୀ)ଙ୍କୁ ସେ ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସଂପର୍କ ସ୍ଥାପନ ରଖିଥିଲା। କିଛିଦିନ ପରେ ବର୍ଷା ଗର୍ଭବତୀ ହେବା ଜାଣି ପରିବାରବର୍ଗ ଭିଣୋଇ ସନ୍ତୋଷକୁ ପଚଚାରାଉଚରା କରିବାରୁ ସେ ନିଜ ଦୋଷ ସ୍ବୀକାର କରିଥିଲା। ଆଉ ବର୍ଷାଙ୍କୁ ମଧ୍ୟ ବିବାହ କରି ପତ୍ନୀ ଭାବେ ରଖିବ ବୋଲି ପ୍ରତିଶ୍ରୁତି ଦେଇଥିଲା।
ଗତ ୧୭ ତାରିଖରେ ବର୍ଷାଙ୍କୁ ନେଇ ନିଜ ଗାଁ ବରକୋଳିଆ ଯିବ ବୋଲି କହିଥିଲା। କିନ୍ତୁ ଘରକୁ ଯାଇ ନଥିଲା। ବର୍ଷା ବିଷୟରେ ଖବର ନେବାକୁ ଭିଣୋଇକୁ ଗୋପାଳ ଫୋନ୍ କରିଥିଲେ। ‘ଆମେ ଦୁଇଜଣ ଜଣେ ସାଙ୍ଗଙ୍କ ଘରେ ଅଛୁ, ଦୁଇଦିନ ପରେ ଘରକୁ ପଳାଇବୁ ବୋଲି ସନ୍ତୋଷ ଉତ୍ତର ଦେଇଥିଲା। କିନ୍ତୁ ପରେ ସେ ଶ୍ବଶୁର ଗୋପାଳଙ୍କ ଫୋନ୍ ରିସିଭ୍ କରି ନଥିଲା। ଫଳରେ ଗୋପାଳ ବ୍ୟସ୍ତବିବ୍ରତ ହୋଇ ବୁଗୁଡ଼ା ଥାନାରେ ଗତ ୨୦ ତାରିଖରେ ସନ୍ତୋଷ ନାମରେ ଅପହରଣ ଏତଲା ଦେବାରୁ ଏକ ମାମଲା ରୁଜୁ ହୋଇଥିଲା। ଗତ ୨୧ ତାରିଖରେ ବୁଗୁଡ଼ା ପୁଲିସ ଓ ଜଗନ୍ନାଥପ୍ରସାଦ ପୁଲିସ ମିଳିତ ଭାବେ ବରକୋଳିଆ ଗ୍ରାମରେ ଚଢ଼ଉ କରି ସନ୍ତୋଷକୁ ଉଠାଇ ପଚରାଉଚରା କରିଥିଲେ। ଶେଷରେ ସନ୍ତୋଷ ନିଜ ଦୋଷ ମାନିବା ସହ ବର୍ଷାଙ୍କୁ ଗତ ୧୯ ତାରିଖରେ ତଣ୍ଟି ଚିପି ହତ୍ୟା କରି ବରକୋଲିଆ ଗ୍ରାମ ଆମ୍ବବଗିଚା ନିକଟ ଏକ ପରିତ୍ୟକ୍ତ କୂଅରେ ଶବକୁ ଫୋପାଡ଼ିଥିବା କହିଥିଲା। ଭଞ୍ଜନଗର ଏସ୍ଡିପିଓ ବିଶ୍ୱାମିତ୍ର ହରପାଲ, ବୁଗୁଡ଼ା ଥାନାଧିକାରୀ ଚିତ୍ତରଞ୍ଜନ ବେହେରା, ଏସ୍ଆଇ ଶଙ୍କର ସେଠୀ, ଏଏସଆଇ ଅର୍ଜୁନ କହଁର ଓ ଜଗନ୍ନାଥପ୍ରସାଦ ଥାନାଧିକାରୀ ଦିଲ୍ଲୀପ କୁମାର ସ୍ୱାଇଁ ପହଞ୍ଚି ଦମକଳବାହିନୀ ସହାୟତାରେ କୂଅରୁ ବର୍ଷାଙ୍କ ଶବ ଉଦ୍ଧାର କରିଥିଲେ। ଅପହରଣ ଓ ହତ୍ୟା ମାମଲାରେ ସନ୍ତୋଷକୁ ଗିରଫ କରାଯାଇଥିବା ସହ ଶବକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ମେଡିକାଲ ଏଫ୍ଏମ୍ଟିକୁ ପଠାଯାଇଛି।



