ରଜ ସଂକ୍ରାନ୍ତିରେ ଚଳଚଞ୍ଚଳ ରେମୁଣା, ମା’ତାରିଣୀ ମଙ୍ଗଳାଙ୍କ ସ୍ୱତନ୍ତ୍ର ରଥଯାତ୍ରା

ରଜ ସଂକ୍ରାନ୍ତିରେ ଚଳଚଞ୍ଚଳ ରେମୁଣା । କାରଣ ପ୍ରତିବର୍ଷ ଏଠାରେ ଅନୁଷ୍ଠିତ ହୁଏ ମା’ତାରିଣୀ ମଙ୍ଗଳାଙ୍କ ଦୁଇ ଦିନିଆ ରଥଯାତ୍ରା । ସବୁଠୁ ଖାସ କଥା ହେଉଛି ରଥ ଭିଡାରେ ଭାଗ ନିଅନ୍ତି ଅଧିକାଂଶ ମହିଳା । ରଜ ସଂକ୍ରାନ୍ତିରେ ସମଗ୍ର ପୁରପଲ୍ଲୀ ଆନନ୍ଦରେ ହସି ଉଠିଥିବା ବେଳେ ସ୍ଥାନୀୟ ରେମୁଣାର ସୋମନାଥପୁରରେ ନିଆରା ଢଙ୍ଗରେ ପାଳିଥାନ୍ତି ରଜପର୍ବ । ଦୁଇ ଦିନ ଧରି ରଥ ଯାତ୍ରାରେ ୧୬ କିଲୋମିଟର ରଥ ଟଣାଯାଇଥାଏ ।
ଓଡିଶାର ପରମ୍ପରା ଓ ପର୍ବପର୍ବାଣୀ ଖୁବ ସ୍ୱତନ୍ତ୍ର ଆଉ ଏହାସହ ଆମ ବିଶ୍ୱାସ ମଧ୍ୟ ଜଡ଼ିତ । ଓଡ଼ିଆ ଘରେ ବାର ମାସରେ ତେର ପର୍ବ ସହ ପିଠା ପଣା ହୋଇଥାଏ । ଓଡ଼ିଆଙ୍କର ରଜ ହେଉଛି ଏକ ନିଆରା ପର୍ବ । ହେଲେ ରଜ ସଂକ୍ରାନ୍ତିରେ ବାଲେଶ୍ଵର ରେମୁଣା ବ୍ଲକ ସୋମନାଥ ପୁର ଗାଁରେ ଏକ ସ୍ଵତନ୍ତ୍ର ରଥଯାତ୍ରା ହୁଏ । ସୋମନାଥପୁର ଗାଁରେ ମାଆ ତାରିଣୀ ମଙ୍ଗଳାଙ୍କ ପୀଠ ଅବସ୍ଥିତ । ଏହି ପୀଠରେ ବର୍ଷ ସାରା ପାଳନ କରାଯାଉଥିବା ବିଭିନ୍ନ ପର୍ବପର୍ବାଣୀମାନଙ୍କ ମଧ୍ୟରୁ ରଜସଂକ୍ରାନ୍ତିରେ ମା’ଙ୍କ ରଥଯାତ୍ରା ହେଉଛି ମୁଖ୍ୟପର୍ବ । ଏହି ଶକ୍ତିପୀଠରେ ଆଜିକୁ ୨୫ ବର୍ଷ ହେବ ମାଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇ ଆସୁଛି ।
ରଜ ସଂକ୍ରାନ୍ତି ଦିନ ମାଆଙ୍କ ରଥଯାତ୍ରା ଏବଂ ତା ପରଦିନ ବାହୁଡା ଯାତ୍ରା ହୋଇଥାଏ । ପ୍ରତ୍ୟେକ ବର୍ଷ ମାଆଙ୍କୁ ଭିନ୍ନ ଭିନ୍ନ ରୂପରେ ବେଶରେ ସଜାଯାଇଥାଏ ଏବଂ ମାଆଙ୍କ ରୂପ ଅନୁସାରେ ରଥର ନାମକରଣ ମଧ୍ୟ କରାଯାଇଥାଏ । ମାଙ୍କର ଏହି ଅଷ୍ଟୋତର ବେଶ ଦର୍ଶନ କଲେ ସବୁ ପାପକ୍ଷୟ ହୋଇଥାଏ ବୋଲି ବିଶ୍ୱାସ ରହିଛି । ତେଣୁ ଜିଲ୍ଲା ତଥା ଜିିଲ୍ଲା ବାହାରର ବହୁ ଭକ୍ତ ରଥଟାଣିବାକୁ ଆସିଥାଆନ୍ତି ଏଠାକୁ । ପବିତ୍ର ରଜସଂକ୍ରାନ୍ତିରେ ଚଳଚଂଚଳ ହୋଇଉଠେ ଏହି ସ୍ଥାନଟି । ମନ୍ଦିରର ଦୈନନ୍ଦିନ ନୀତିକାନ୍ତି ପୂଜା ପରେ ମା ଙ୍କୁ ପହଣ୍ଡି କରାଯାଇ ରଥାରୂଢ କରାଯାଇଥାଏ । ପରେ ମନ୍ଦିରର ମୁଖ୍ୟ ସେବକଙ୍କ ଦ୍ୱାରା ଛେରାପହଁରା କରାଯାଇଥାଏ । ଏହା ପରେ ଆରମ୍ଭ ହୁଏ ରଥଟଣା । ଭଜନ,କୀର୍ତ୍ତନ,ଶଙ୍ଖ ଘଣ୍ଟା,ହୁଳହୁଳି ମଧ୍ୟରେ ଦେବୀଙ୍କ ରଥ ଗଡିଚାଲେ ପତ୍ରିପାଳ ସ୍ଥିତ କନକଦୂର୍ଗା ମନ୍ଦିର ଅଭିମୂଖେ । ପ୍ରାୟ ୧୬ କିଲୋମିଟର ରାସ୍ତା ରଥ ଟଣାଯାଏ ଭକ୍ତଙ୍କ ଦ୍ଵାରା ।
ଭକ୍ତମାନେ ରଥକୁ ଟାଣିଟାଣି ନିଅନ୍ତି ରେମୁଣା ଐତିହାସିକ କୂଟପୋଖରୀ ନିକଟରେ ଥିବା କନକଦୂର୍ଗା ମନ୍ଦିରକୁ । ରଥଯାତ୍ରା,ବାହୁଡା ଓ ବର୍ଷର ସମସ୍ତ ପର୍ବପର୍ବାଣି ମନ୍ଦରିର ପରିଚାଳନା କମିଟି ଦ୍ୱାରା ପରିଚାଳିତ ହୋଇଥାଏ । ଗୁପ୍ତପୀଠ ଭାବେ ପରିଚିତ ଏହି ପୀଠକୁ ବର୍ଷତମାମ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଭକ୍ତମାନେ ଆସି ମାଙ୍କୁ ଦର୍ଶନ କରି କୃତାର୍ଥ ହେବା ସଙ୍ଗେସଙ୍ଗେ ରଜସଂକ୍ରାନ୍ତି ଦିନ ରଥଯାତ୍ରାରେ ସବୁଠାରୁ ଅଧିକ ସମାଗମ ହୋଇଥାଆନ୍ତି ।



