ଦେଶ ବିଦେଶ

ନୀତୀଶଙ୍କ ଆଚରଣ ପୁଣି ଖୋରାକ ଯୋଗାଇଲା, ବର୍ଷୀୟାନ ରା‌ଜନେତାଙ୍କ ଅବସର ପ୍ରସଙ୍ଗ

ଏକଦା ଦେଶର ଅଳ୍ପ କେଇଜଣ ନୀତିନିଷ୍ଠ ରାଜନେତାଙ୍କ ଭିତରେ ଗଣାଯାଉଥିବା ନୀତୀଶ କୁମାର କିଛିବର୍ଷ ହେଲା ତାଙ୍କ ପ୍ରଶଂସକଙ୍କୁ ନିରାଶ କରିଚାଲିଛନ୍ତି। ରାଜନୀତିରେ ବାରମ୍ବାର ରଙ୍ଗ ବଦଳାଇ ସେ ଯାହା ତ ବିଶ୍ବସନୀୟତା ହରାଇଆସିଥିଲେ; ଦୁଇବର୍ଷ ହେଲା ସର୍ବସମକ୍ଷରେ ତାଙ୍କ ଅସ୍ଥିର ଆଚରଣ ସମସ୍ତଙ୍କ ପାଇଁ ଅସ୍ବସ୍ତିକର ହେଉଛି। ତାଙ୍କୁ ସମାଲୋଚନା କରିବା ପାଇଁ ବିରୋଧୀ ଆର୍‌ଜେଡି ନେତା ତେଜସ୍ବୀ ଯାଦବଙ୍କୁ ନିକଟରେ ନୀତୀଶ ଆଉ ଏକ ସୁଯୋଗ ଦେଇଛନ୍ତି। ଗୁରୁବାର ‘ଏକ୍ସ’ରେ  ଏକ ଫୁଟେଜ୍‌ ପୋଷ୍ଟ କରିଛନ୍ତି ତେଜସ୍ବୀ। ଉତ୍ସବରେ ରାଷ୍ଟ୍ରୀୟ ସଙ୍ଗୀତ ଗାନ ହେଉଛି। ମଞ୍ଚାସୀନ ସମସ୍ତ ଅତିଥି ଛିଡ଼ାହୋଇଛନ୍ତି। ହଠାତ୍ ନୀତୀଶ ନିଜ ଡାହାଣ ପାଖରେ ଛିଡ଼ାହୋଇଥିବା ରାଜ୍ୟର ମୁଖ୍ୟ ସଚିବଙ୍କ ଆଡ଼କୁ ମୁହଁ କରି ତାଙ୍କୁ କିଛି କହୁଛନ୍ତି।

ସମ୍ଭବତଃ, ରାଷ୍ଟ୍ରଗାନ ସମୟରେ ମୁଖ୍ୟ ସଚିବ କେବଳ ଚୁପ୍ ନ ରହି ଗୀତିଟିକୁ ବଡ଼ପାଟିରେ ବୋଲନ୍ତୁ ବୋଲି ନୀତୀଶ ତାଙ୍କୁ କହୁଛନ୍ତି। ସେ ଆସ୍ତିବାଚକ ଭଙ୍ଗୀରେ ନୀତୀଶଙ୍କ ପ୍ରସ୍ତାବରେ ରାଜି ହେଉଛନ୍ତି। ଏଣିକି ଗୀତଟିକୁ ସେ ବୋଲୁଥିବା ମଧ୍ୟ ଦେଖାଯାଉଛି। ନୀତୀଶ କିନ୍ତୁ ଏଥର ତାଙ୍କ ବାମ ବାହୁକୁ ଧରି ଆହୁରି କିଛି କହୁଛନ୍ତି। ଅସ୍ବସ୍ତି ଅନୁଭବ କରି ମୁଖ୍ୟ ସଚିବ ତାଙ୍କୁ ପ୍ରକୃତିସ୍ଥ ହେବାକୁ ଇସାରା କରୁଛନ୍ତି। ନୀତୀଶଙ୍କ ହରକତ କିନ୍ତୁ ବଢ଼ୁଛି ସିନା, କମୁନାହିଁ। ସେଇମିତି ବିଚିତ୍ର ଆଚରଣ ଦେଖାଇଚାଲିଛନ୍ତି। ସଂଗୀତ ମଝିରେ ଦୁଇହାତ ଯୋଡ଼ି ସେ ଲୋକଙ୍କୁ ନମସ୍କାର କରୁଥିବା ମଧ୍ୟ ଦେଖାଯାଉଛି। ରାଷ୍ଟ୍ରଗୀତ ଚାଲିଲା ବେଳେ ନୀତୀଶଙ୍କ ଆଚରଣ ଏତେ ଅସ୍ବାଭାବିକ ଥିଲା ଯେ, କିଛି ଲୋକ ଭିଡିଓଟିକୁ ବିଶ୍ବାସ ସୁଦ୍ଧା କରିପାରିନାହାନ୍ତି।

ତେଜସ୍ବୀ ଲେଖିଛନ୍ତି, ‘‘ମାନ୍ୟବର ମୁଖ୍ୟମନ୍ତ୍ରୀ! ଏମିତିରେ ତ ଆପଣ ପ୍ରତ୍ୟହ ଯୁବଛାତ୍ର, ମହିଳା, ବରିଷ୍ଠ ନାଗରିକଙ୍କୁ ଅସମ୍ମାନ କରିବା ଲୋକଙ୍କର ଦେହସୁହା ହେଇଗଲାଣି। କମ୍ ସେ କମ୍ ରାଷ୍ଟ୍ରଗାନକୁ ତ ସମ୍ମାନ ଦିଅନ୍ତୁ! କେବେ ମହାତ୍ମା ଗାନ୍ଧୀଙ୍କ ସହିଦ ଦିବସ କାର୍ଯ୍ୟକ୍ରମରେ ହଠାତ୍‌ ତାଳିମାରି ଲୋକହସା ହେଉଛନ୍ତି ତ ଆଉ କେବେ ନିଜଠୁ ବୟସରେ ଢେର୍‌ ସାନ ଲୋକଙ୍କ ପାଦ ଧରିପକାଉଛନ୍ତି। ଆପଣ ଯେ ଏକ ବଡ଼ ପ୍ରଦେଶର ମୁଖ୍ୟମନ୍ତ୍ରୀ, ଏ କଥା କ’ଣ ଆପଣଙ୍କୁ ମନେପକେଇ ଦେବାକୁ ପଡ଼ିବ? ଆପଣ କିଛି ସେକେଣ୍ଡ ପାଇଁ ମଧ୍ୟ ମାନସିକ ସ୍ତରରେ ସ୍ଥିର ରହିପାରୁନାହାନ୍ତି। ଏପରି ଅବଚେତନ ମନରେ ଆପଣ ଶାସନ କରିବା ରାଜ୍ୟ ପାଇଁ ଚିନ୍ତାର କାରଣ ପାଲଟିଛି।’’

ପ୍ରତିକ୍ରିୟାରେ ନୀତୀଶଙ୍କୁ ପଚରାଯାଇଛି, ଏହା କ’ଣ ‘ସୁଶାସନ’? ୟାଙ୍କ ନାମ ‘କୁର୍ସି କୁମାର’ ହେବା ଉଚିତ। ବିଜେପିକୁ ଟାର୍ଗେଟ କରି କୁହାଯାଇଛି, ନୀତୀଶ କୁସଙ୍ଗରେ ପଡ଼ିଛନ୍ତି, ମତିଭ୍ରମ ନ ହେବ କେମିତି? ସମ୍ବିଧାନର ଧାରା ୫୧-ଏକୁ ଉଦ୍ଧାର କରି କୁହାଯାଇଛି, ନୀତୀଶ ରାଷ୍ଟ୍ରଗାନ ପ୍ରତି ଅସମ୍ମାନ କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ। ପ୍ରଶ୍ନ କରାଯାଇଛି, କୌଣସି ମୁସଲମାନ ନେତା ଯଦି ଏମିତି କାମ କରିଥାନ୍ତେ, ତାଙ୍କୁ କ’ଣ ମିଡିଆ ଛାଡ଼ିଥାନ୍ତା? ସରକାରୀ କର୍ମଚାରୀଙ୍କ ପାଇଁ କ’ଣ ମିଛଟାରେ ଅବସର ଗ୍ରହଣ ବୟସ ନର୍ଦ୍ଧାରିତ ହୋଇଛି? ନୀତୀଶ ବାବୁ! ତୁମେ ବିହାରର ବହୁବର୍ଷ ଧରି ସେବା କଲ। ଏଥର ଅବସର ନେବାର ସମୟ।

ତେଜସ୍ବୀଙ୍କୁ ମଧ୍ୟ ପାଲଟା ଜବାବ ଦିଆଯାଇଛି: ଉପମୁଖ୍ୟମନ୍ତ୍ରୀ ଭାବେ ନିଜ ଶପଥପତ୍ରକୁ ଠିକ୍‌ ଭାବେ ପଢ଼ି ନ ପାରି ରାଜ୍ୟପାଳଙ୍କଠାରୁ ଯେଉଁ ଲୋକକୁ କଥା ଶୁଣିବାକୁ ପଡ଼ିଥିଲା, ସେ କ’ଣ ନୀତୀଶଙ୍କୁ ନୀତିଶିକ୍ଷା ଦେବ?  ନୀତୀଶଙ୍କୁ ୭୪ ହେଲାଣି। ପ୍ରେସିଡେଣ୍ଟ ରେଗାନ୍‌ଙ୍କୁ ଆଲଝିମିର ରୋଗ ହେଇ ନ ଥିଲା ନା ନବୀନଙ୍କର ମଧ୍ୟ ଅନୁରୂପ ଅସୁବିଧା ହୋଇନାହିଁ?

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button