କେନ୍ଦ୍ରମନ୍ତ୍ରୀ ଜିତନ ରାମ ମାଂଝୀଙ୍କ ନାତୁଣୀଙ୍କୁ ଗୁଳି କରି ହତ୍ୟାକଲା ସ୍ୱାମୀ

ଗୟା: କେନ୍ଦ୍ରମନ୍ତ୍ରୀ ଜିତନ ରାମ ମାଝୀଙ୍କ ନାତୁଣୀଙ୍କୁ ଆଜି ତାଙ୍କ ସ୍ୱାମୀ ଗୁଳିକରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ବିହାରର ଗୟାରେ ଏହି ହତ୍ୟାକାଣ୍ଡ ଘଟିଛି। ଅତ୍ରୀ ବ୍ଲକ୍‌ ଅନ୍ତର୍ଗତ ତେତୁଆ ଗ୍ରାମରେ ପୀଡ଼ିତା ସୁଷମା ଦେବୀ ଭଉଣୀ ପୁନମ୍‌ କୁମାରୀଙ୍କ ସହ ଘରେ ଥିବା ବେଳେ ଏହି ଏହି ହତ୍ୟାକାଣ୍ଡ ଘଟିଛି। ଗୟା ଲୋକସଭା ଆସନର ସାଂସଦ ତଥା କେନ୍ଦ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ମାଂଝୀଙ୍କ ପକ୍ଷରୁ ଏ ନେଇ କୌଣସି ପ୍ରତିକ୍ରିୟା ମିଳନାହିଁ। ମାଂଝୀ ବିହାରରେ ଶାସକ ଏନ୍‌ଡିର ସହଯୋଗୀ ଏବଂ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା (ସେକ୍ୟୁଲାର)ର ପ୍ରତିଷ୍ଠାତା ମଧ୍ୟ ଅଟନ୍ତି।

ପୁନମ୍‌ଙ୍କ କହିବା ଅନୁଯାୟୀ, ମଧ୍ୟାହ୍ନ ପ୍ରାୟ ୧୨ଟାବେଳେ ସୁଷମା ଘରକୁ ଫେରିବା ପରେ ତାଙ୍କ ସ୍ୱାମୀ ରମେଶଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଝଗଡ଼ା ସମୟରେ ରମେଶ ଏକ ଦେଶୀ ପିସ୍ତଲ ବାହାର କରି ସୁଷମାଙ୍କ ଉପରକୁ ଗୁଳି ଚଳାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଅନ୍ୟ ଏକ କୋଠରୀରେ ଉପସ୍ଥିତ ପୁନମ୍ ଓ ସୁଷମାଙ୍କ ପିଲାମାନେ ତାଙ୍କ କୋଠରୀ ଆଡ଼କୁ ଦୌଡ଼ି ଯିବା ପରେ ସେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ।  ଘଟଣାସ୍ଥଳରେ ହିଁ ସୁଷମାଙ୍କ  ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଗୁଳି ଶବ୍ଦ ଶୁଣି ସ୍ଥାନୀୟ ବାସିନ୍ଦା ମଧ୍ୟ ଘରେ ପହଞ୍ଚିଥିଲେ। ରମେଶ ପାଟନାରେ ଟ୍ରକ୍ ଚଳାଉଥିବା ବେଳେ ସୁଷମା ‘ବିହାର ମହାଦଳିତ ବିକାଶ ମିସନ’ ଅଧୀନରେ ଜଣେ ‘ବିକାଶ ମିତ୍ର’ ଭାବରେ କାର୍ଯ୍ୟ କରୁଥିଲେ। ଗୟାର ବରିଷ୍ଠ ପୁଲିସ ଅଧୀକ୍ଷକ (ଏସ୍‌ଏସ୍‌ପି) ଆନନ୍ଦ କୁମାର କହିଛନ୍ତି ଯେ ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ପ୍ରମାଣ ସଂଗ୍ରହ ପାଇଁ ଘଟଣାସ୍ଥଳକୁ ଫୋରେନସିକ୍ ଟିମ୍ ଓ ବୈଷୟିକ ବିଶେଷଜ୍ଞଙ୍କୁ ପଠାଯାଇଛି। ଅଧିକ ତଦନ୍ତ ଜାରି ରହିଛି ବୋଲି ସେ କହିଛନ୍ତି। ସୂତ୍ରରୁ ପ୍ରକାଶ ଯେ ସୁଷମା ଏବଂ ରମେଶ ଭିନ୍ନ ଜାତିର ଏବଂ ସେମାନେ ୧୪ ବର୍ଷ ପୂର୍ବେ ବିବାହ କରିଥିଲେ।

Leave a Comment

Your email address will not be published. Required fields are marked *