ଭାରତ ମହାସାଗରରେ ନୌସେନାର ଶକ୍ତି ବୃଦ୍ଧି: ଭାରତକୁ ମିଳିବ ୨୬ ମରିନ୍‌ ରାଫେଲ, ଫ୍ରାନ୍ସଠାରୁ କିଣିବା ଚୁକ୍ତିକୁ ମଞ୍ଜୁରି

ନୂଆଦିଲ୍ଲୀ: ୨୬ଟି ରାଫେଲ ସାମୁଦ୍ରିକ ଯୁଦ୍ଧ ବିମାନ କିଣିବା ପାଇଁ ଫ୍ରାନ୍ସ ସହ ହୋଇଥିବା ଚୁକ୍ତିକୁ ଭାରତ ମଞ୍ଜୁରି ଦେଇଛି। ୬୩,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏହି ଚୁକ୍ତି ଆଗାମୀ ସପ୍ତାହରେ ଆନୁଷ୍ଠାନିକ ରୂପ ନେବ ବୋଲି ଆଶା କରାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ଭାରତୀୟ ନୌସେନାକୁ ୨୨ଟି ସିଙ୍ଗଲ ସିଟର ଜେଟ୍ ଓ ୪ଟି ଟ୍ୱିନ୍ ସିଟର ଭାରିଆଣ୍ଟ ସହ ଫ୍ଲିଟ୍ ରକ୍ଷଣାବେକ୍ଷଣ, ଲଜିଷ୍ଟିକ୍ ସପୋର୍ଟ, କର୍ମଚାରୀ ପ୍ରଶିକ୍ଷଣ ଓ ସ୍ୱଦେଶୀ ଉତ୍ପାଦନ ପାଇଁ ଏକ ବିସ୍ତୃତ ପ୍ୟାକେଜ୍ ମିଳିବ। ଏହି ଚୁକ୍ତିରେ ନୌସେନା କର୍ମଚାରୀଙ୍କ ପାଇଁ ପ୍ରଶିକ୍ଷଣ ମଧ୍ୟ ଅନ୍ତର୍ଭୁକ୍ତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗଠିତ କ୍ୟାବିନେଟ୍ କମିଟି ଅନ୍ ସିକ୍ୟୁରିଟି (ସିସିଏସ୍) ଏହି ଚୁକ୍ତିକୁ ଅନୁମୋଦନ ଦେଇଛି।

ରାଫେଲ ମରିନ୍‌ (ସାମୁଦ୍ରିକ) ଜେଟ୍ ଭାରତର ସ୍ୱଦେଶୀ ବିମାନବାହୀ ଜାହାଜରେ ମୁତୟନ ହେବ ଏବଂ ଆମ ନୌସେନାର ବାୟୁ ଶକ୍ତିକୁ ଯଥେଷ୍ଟ ବୃଦ୍ଧି କରିବ। ପାଖାପାଖି ୪ ବର୍ଷ ମଧ୍ୟରେ ରାଫେଲ ସାମୁଦ୍ରିକ ଯୁଦ୍ଧ ବିମାନ ଯୋଗାଣ ଆରମ୍ଭ ହେବ ବୋଲି ଆକଳନ କରାଯାଇଥିବା ବେଳେ ୨୦୨୯ ଶେଷ ସୁଦ୍ଧା ନୌସେନାକୁ ପ୍ରଥମ ବ୍ୟାଚ୍ ମିଳିବ ଏବଂ ୨୦୩୧ ସୁଦ୍ଧା ସମସ୍ତ ଯୁଦ୍ଧ ବିମାନ ମିଳିବାର ସମ୍ଭାବନା ରହିଛି। ଏହା ମିଳିବା ପରେ ଏହି ଜେଟ୍‌ଗୁଡ଼ିକ ଭାରତର ବିମାନବାହୀ ଜାହାଜ ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟ ଓ ଆଇଏନ୍‌ଏସ୍‌ ବିକ୍ରାନ୍ତରୁ ଉଡ଼ାଣ ଭରିବ, ଯାହା କି ପୁରୁଣା ମିଗ୍-୨୯କେ ଫ୍ଲିଟ୍‌ର ସ୍ଥାନ ନେବ। ରାଫେଲ୍ ଚୁକ୍ତି ବ୍ୟତୀତ ପ୍ରୋଜେକ୍ଟ-୭୫ ଅଧୀନରେ ୩ଟି ଅତିରିକ୍ତ ସ୍କର୍ପିନ୍ ଶ୍ରେଣୀର ବୁଡ଼ାଜାହାଜ ନିର୍ମାଣ କରି ଭାରତ ନିଜର ଅଣ୍ଡରୱାଟର ଯୁଦ୍ଧ କ୍ଷମତାକୁ ସୁଦୃଢ଼ କରିବାକୁ ଯାଉଛି।

Leave a Comment

Your email address will not be published. Required fields are marked *