ନୁହ ଦଙ୍ଗା ଅଭିଯୁକ୍ତ ବିଟ୍ଟୁ ବଜରଙ୍ଗୀକୁ ଗିରଫ କଲା ହରିୟାଣା ପୁଲିସ୍ – Utkal Mail
ଗୁରୁଗ୍ରାମ : ହରିଣାୟାର ନୁହରେ ହୋଇଥିବା ଦଙ୍ଗା ମାମଲାରେ ଅଭିଯୁକ୍ତ ବିଟ୍ଟୁ ବଜରଙ୍ଗୀକୁ ମଙ୍ଗଳବାର ଗିରଫ କରିଛି ହରିୟାଣା ପୁଲିସ । ବଜରଙ୍ଗ ଦଳର ଫରିଦାବାଦ ୟୁନିଟ୍ର ମୁଖ୍ୟ ବିଟ୍ଟୁ ଏହି ହିଂସା ପୂର୍ବରୁ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେଇଥିବା ଅଭିଯୋଗ ହୋଇଛି ।
ମେୱାତର ମୁସଲମାନମାନଙ୍କୁ ବଜରଙ୍ଗୀ କହିଥିଲା ଯେ ମୁଁ ମୋ ଶ୍ବଶୂର ଘରକୁ ଆସୁଛି, ତୁମେ ତୁମ ଭିଣୋଇଙ୍କୁ ସ୍ୱାଗତ କରିବ ନାହିଁ କି? ଏହାକୁ ନେଇ ଉତ୍ତେଜନା ଆରମ୍ଭ ହୋଇଥିଲା । ଏହା ପରେ ବିଶ୍ୱ ହିନ୍ଦୁ ପରିଷଦ ଯାତ୍ରା ଉପରେ ପଥର ମାଡ଼ ପରେ ନୁହରେ ହିଂସା ଆରମ୍ଭ ହୋଇଥିଲା।
ନୁହରେ ହିଂସା କାଣ୍ଡର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଭିଡିଓରେ ବିଟ୍ଟୁ ବଜରଙ୍ଗୀ କହୁଥିବା ଶୁଣିବାକୁ ମିଳୁଛି, “ସେମାନେ କହିବେ ଯେ ମୁଁ ଶ୍ୱଶୁର ଘରକୁ ଆସିଥିଲି କିନ୍ତୁ ସାକ୍ଷାତ କଲିନାହିଁ । ଫୁଲ ମାଳ ପ୍ରସ୍ତୁତ ରଖ, ଭିଣୋଇ ଆସୁଛନ୍ତି। ମୋ ସହ ୧୫୦ଟି କାର୍ ରହିଛି।
ଜୁଲାଇ ୩୧ରେ ବିଶ୍ୱ ହିନ୍ଦୁ ପରିଷଦ ଯାତ୍ରା ଉପରେ ଜନତା ଆକ୍ରମଣ କରିବା ପରେ ନୁହରେ ହିଂସା କାଣ୍ଡ ଘଟିଥିଲା। ପରେ ଏହି ହିଂସାର ନିଆଁ ଗୁରୁଗ୍ରାମ ସମେତ ଆଖପାଖ ଅଞ୍ଚଳକୁ ବ୍ୟାପିଯାଇଥିଲା। ଏଥିରେ ୨ ଜଣ ହୋମଗାର୍ଡ ଓ ଜଣେ ଇମାମଙ୍କ ସମେତ ୬ ଜଣ ପ୍ରାଣ ହରାଇଥିଲେ । ଏହି ଦଙ୍ଗା ପରେ ସ୍ଥିତି ଏତେ ଖରାପ ହୋଇଯାଇଥିଲା ଯେ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ନୁହରେ ମୋବାଇଲ ଇଣ୍ଟରନେଟ୍ ସେବା ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ପରେ ଏହାକୁ ଅଗଷ୍ଟ ୧୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।