ସୁଭାଷିତ: ଅଶାନ୍ତ ଚିତ୍ତକୁ ପ୍ରଶାନ୍ତ କରେ ସଦାଚାର – Utkal Mail
ସମୟନ୍ତୀଧ ସତ୍ତାନଂ ପରିଲାହଂ ସୁରକ୍ଖିତଂ,
ଯଂ ସମେତି ଇଦଂ ଅରିୟଂ ସୀଲଂ ଅଚ୍ଚନ୍ତ ସୀତଲଂ।
-ବିଶୁଦ୍ଧିମାର୍ଗ
ବୌଦ୍ଧଧର୍ମରେ ‘ଶୀଳ’ ବା ସଦାଚାର (ସତ୍ ଆଚରଣ)କୁ ଅନେକ ଗୁରୁତ୍ୱ ଦିଆଯାଇଛି। ‘ପଞ୍ଚଶୀଳ’ ଏହାର ମୂଳ। ଏହା ସହିତ, ‘ଅଷ୍ଟଶୀଳ’, ‘ଦଶଶୀଳ’, ‘ଏକାଦଶ ସୁଚରିତ-ଶୀଳ’ର ମନ୍ତ୍ର ମଧ୍ୟ ବୌଦ୍ଧଧର୍ମଗ୍ରନ୍ଥରେ ଅଛି। କୁହାଯାଇଛି- ଗଙ୍ଗା, ଯମୁନା, ସରସ୍ୱତୀ ଆଦି ନଦୀ ଯେଉଁ ପାପପଙ୍କକୁ ଧୋଇ ପାରନ୍ତି ନାହିଁ, କେବଳ ସଦାଚରଣ ସେହି ପାପପଙ୍କକୁ ଧୋଇ ଦେଇପାରେ। ‘ବିଶୁଦ୍ଧି ମାର୍ଗ’ରେ ଏହା ଉପରେ ଗୁରୁତ୍ୱ ଦିଆଯାଇଛି।
ବିଭିନ୍ନ କାରଣରୁ ଆମର ଚିତ୍ତ ଅସ୍ଥିର ହୁଏ। ସାଧାରଣତଃ ଚିତ୍ତ ଅଶାନ୍ତ ବା ଅସ୍ଥିର ଥିଲେ, ସୁଶୀତଳ ବାୟୁ, ଘୋରା ଚନ୍ଦନ ବା ଚନ୍ଦ୍ରକିରଣ ଆମକୁ ଶୀତଳତା ପ୍ରଦାନ କରି ଶାନ୍ତ ଓ ସ୍ଥିର କରିଥାଏ। ଅନେକେ ମଧ୍ୟ ମୂଲ୍ୟବାନ ହାର, ମଣିମୁକ୍ତା ଆଦି ଲାଭକଲେ ଶାନ୍ତ ଓ ସ୍ଥିର ହୋଇଥାଆନ୍ତି। ଏସବୁର ପ୍ରଭାବରେ ଚିତ୍ତର ପ୍ରଦାହ ଶୀତଳ ହୋଇଥାଏ। ମାତ୍ର ବୌଦ୍ଧଧର୍ମଗ୍ରନ୍ଥରେ କୁହାଯାଇଛି- ଶୀଳ ବା ସଦାଚରଣ, ଏସବୁଠାରୁ ଅଧିକ ମାତ୍ରାରେ ଫଳପ୍ରଦ ହୋଇଥାଏ।
ସେ ଦୃଷ୍ଟିରୁ, ବୌଦ୍ଧଧର୍ମଗ୍ରନ୍ଥର ଉପରୋକ୍ତ ସୁଭାଷିତରେ କୁହାଯାଇଛି- ଯେଉଁ ବ୍ୟକ୍ତି ଶୀଳ ଆଚରଣ କରନ୍ତି, ତାଙ୍କର ସେହି ଆଚରଣ ତାଙ୍କର ଚିତ୍ତ-ପ୍ରଦାହକୁ ଯେପରି ଉପଶମ କରିପାରେ, ସୁଶୀତଳ ବାୟୁ, ପୀତଚନ୍ଦନ, ହାର, ମଣିମୁକ୍ତା ଅଥବା ଚନ୍ଦ୍ରକିରଣ ତାଙ୍କର ଚିତ୍ତ-ପ୍ରଦାହକୁ ସେପରି ଉପଶମ କରିପାରନ୍ତି ନାହିଁ। ବ୍ୟକ୍ତିର ଅଶାନ୍ତ ଚିତ୍ତକୁ ଶୀଳ ଆଚରଣ ହିଁ ପ୍ରଶାନ୍ତ କରିଥାଏ।