ଆଇଆଇଟି ଦିଲ୍ଲୀର ଗବେଷକ ପ୍ରସ୍ତୁତ କଲେ ସବୁଠୁ ହାଲୁକା ବୁଲେଟ୍ପ୍ରୁଫ୍ ଜ୍ୟାକେଟ୍ – Utkal Mail
ଆଇଆଇଟି ଦିଲ୍ଲୀର ଗବେଷକମାନେ ବିଶ୍ବର ସବୁଠୁ ହାଲୁକା ବୁଲେଟ୍ପ୍ରୁଫ୍ ଜ୍ୟାକେଟ୍ ପ୍ରସ୍ତୁତ କରିଛନ୍ତି। ମାତ୍ର ୮.୨ କେଜି ଓଜନର ଏହି ଜ୍ୟାକେଟ୍ ଏକେ-୪୭ ବନ୍ଧୁକ ସମେତ ସେହି ଶ୍ରେଣୀର ଅନ୍ୟାନ୍ୟ ଅସ୍ତ୍ରରୁ ଆସୁଥିବା ଆଠଟି ଗୁଳିକୁ ଅଟକାଇବାରେ ସମର୍ଥ ବୋଲି ଏହାର ନିର୍ମାଣକାରୀମାନେ ଦାବି କରିଛନ୍ତି। ସମ୍ପ୍ରତି ଭାରତୀୟ ସୈନିକମାନେ ବ୍ୟବହାର କରୁଥିବା ବୁଲେଟ୍ପ୍ରୁଫ୍ ପୋଷାକ ଠାରୁ ଏହା ୨ କେଜି ହାଲୁକା ରହିଥିବାରୁ ଯବାନମାନେ ଏହାକୁ ପରିଧାନ କରିବା ଅପେକ୍ଷାକୃତ ସହଜ ଓ ନିରାପଦ ହେବ ଏବଂ ସେମାନଙ୍କ ଦକ୍ଷତା ବଢ଼ିପାରିବ ବୋଲି ଆଶା ରଖାଯାଇଛି।
ଏହି ଗବେଷକ ଦଳ ସାଢ଼େ ୯ କେଜି ଓଜନର ଆଉ ଏକ ପ୍ରକାର ଜ୍ୟାକେଟ୍ ମଧ୍ୟ ତିଆରି କରିଛନ୍ତି ଯାହା ୬ଟି ରାଇଫଲ ଗୁଳିକୁ ଅଟକାଇବାକୁ ସମର୍ଥ ବୋଲି ଗବେଷକ ଦଳର ମୁଖ୍ୟ ପ୍ରାଧ୍ୟାପକ ନରେଶ ଭଟ୍ଟନାଗର କହିଛନ୍ତି। ତେବେ ଏହି ଶ୍ରେଣୀର ପୋଷାକ ପ୍ରସ୍ତୁତ କରିବା ଲାଗି ସେମାନେ ଦୀର୍ଘ ୧୫ ବର୍ଷ ହେଲା ଗବେଷଣା କରୁଥିଲେ। ୨୦୦୮ରେ ଭାରତୀୟ ସେନା ପକ୍ଷରୁ ଏ ପ୍ରକାର ବୁଲେଟ୍ପ୍ରୁଫ୍ ଜ୍ୟାକେଟ୍ ପ୍ରସ୍ତୁତ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା।
ସେତେବେଳେ ଯବାନମାନେ ବ୍ୟବହାର କରୁଥିବା ଜ୍ୟାକେଟ୍ଗୁଡ଼ିକରେ ସାଧାରଣତଃ ଲୁହା ପରି ଓଜନିଆ ପଦାର୍ଥ ଉପଯୋଗ ହେଉଥିଲା। ତେଣୁ ଜ୍ୟାକେଟ୍ର ଓଜନ ୨୨ରୁ ୨୫ କେଜି ରହୁଥିବାରୁ ତାହାକୁ ଅନ୍ୟାନ୍ୟ ଉପକରଣ ସହ ବହନ କରିବା ଯବାନମାନଙ୍କ ପକ୍ଷେ କଷ୍ଟସାଧ୍ୟ ଥିଲା। ଯୁଦ୍ଧକ୍ଷେତ୍ରର ସମ୍ମୁଖଭାଗରେ ରହୁଥିବା ଯବାନମାନଙ୍କୁ ଅଧିକ ସକ୍ରିୟ କରିବା ପାଇଁ ଯଥାସମ୍ଭବ ହାଲୁକା ଜ୍ୟାକେଟ ପ୍ରସ୍ତୁତି ଉପରେ ଗୁରୁତ୍ବାରୋପ କରାଯାଇଥିଲା। ଏହି ପ୍ରକଳ୍ପରେ ୨୫ ଜଣ ଏମ୍.ଟେକ୍ ଏବଂ ୧୨ ଜଣ ପିଏଚ୍.ଡି ବିଦ୍ୟାର୍ଥୀ ସାମିଲ ହୋଇ ଜ୍ୟାକେଟ୍କୁ ଯଥାସମ୍ଭବ ହାଲୁକା କରିବା ପାଇଁ ଲାଗିପଡ଼ିଥିଲେ। ତେବେ ତାହା ବିଶ୍ବର ସବୁଠୁ ହାଲୁକା ହେବ ବୋଲି ସେମାନେ ଭାବିନଥିଲେ। ଆଗାମୀ ମାସରେ ଜର୍ମାନୀଠାରେ ହେବାକୁ ଥିବା ‘ନାଟୋ’ ସମ୍ମିଳନୀରେ ଉକ୍ତ ଭାରତୀୟ ଜ୍ୟାକେଟ୍କୁ ପ୍ରଦର୍ଶନ କରାଯିବ। ଶୀଘ୍ର ଏହାକୁ ଭାରତୀୟ ସେନାରେ ସାମିଲ କରାଯିବ ବୋଲି ଆଶା ରଖାଯାଇଛି।