ଧର୍ମ

ବଦ୍ରିନାଥ ମନ୍ଦିରରେ ଶଙ୍ଖ ଫୁଙ୍କାଯାଏ ନାହିଁ କାହିଁକି? ଜାଣନ୍ତୁ ଏହା ପଛର କାରଣ

ହିନ୍ଦୁ ଧର୍ମରେ କୈାଣସି ପୂଜାପାଠର ପ୍ରଥମ ଏବଂ ଶେଷରେ ଶଙ୍ଖରନାଦ କରାଯାଇଥାଏ । ଆପଣାମମାନେ ଜାଣିଥିବେ ଯେ ପୂଜା ସହିତ, ପ୍ରତ୍ୟେକ ଶୁଭ କାର୍ୟ୍ୟ ସମୟରେ ଶଙ୍ଖ ଫୁଙ୍କା ଯାଏ । ଶଙ୍ଖକୁ ସୁଖ, ସମୃଦ୍ଧତା ଏବଂ ଶୁଭତାର କାରକ ଭାବରେ ପ୍ରମାଣିତ କରାଯାଇଛି । କୁହାଯାଏ ଯେ ଶଙ୍ଖ ନ ଫୁଙ୍କା ହେଲେ ପୂଜା ଅସମ୍ପୂର୍ଣ୍ଣ ବୋଲି ଧରାଯାଏ । ମାତ୍ର ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଉତ୍ତରାଖଣ୍ଡର ବଦ୍ରିନାଥ ମନ୍ଦିରରେ ପୂଜା ସମୟରେ ଶଙ୍ଖ ବାଜେନି। ବଦ୍ରୀନାଥ ଭାରତର ଚାରିଧାମ ମଧ୍ୟରେ ଅନ୍ୟତମ । ହିମାଳୟ ପାର୍ବତ୍ୟାଞ୍ଚଳରେ ଅଳକାନନ୍ଦା ନଦୀ କୂଳରେ ଅବସ୍ଥିତ ବଦ୍ରିନାଥ ମନ୍ଦିରରେ ପୂଜା ପାଆନ୍ତି ଭଗବାନ ସ୍ୱୟଂ ଶ୍ରୀହରି ବଦ୍ରିନାରାୟଣ । ୩.୩ ଫୁଟ ଉଚ୍ଚର କଳା ଶାଳଗ୍ରାମ ପଥରରେ ନିର୍ମିତ ଶ୍ରୀହରି ମୂର୍ତ୍ତି ସ୍ୱୟଂ ଆବିର୍ଭୂତ ହୋଇଥିବା କୁହାଯାଏ । ତେବେ ବଦ୍ରିନାଥ ଧାମରେ ଶଙ୍ଖ ନ ଫୁଙ୍କାଯିବାର ଅନେକ କାରଣ ଅଛି, ଯେଉଁଥିରେ ପୌରାଣିକ, ଧାର୍ମିକ ବିଶ୍ୱାସ ବ୍ୟତୀତ ବୈଜ୍ଞାନିକ କାରଣ ମଧ୍ୟ ରହିଛି । ତେବେ ଆସନ୍ତୁ ଜାଣିବା ଏହାର କାହାଣୀ ବିଷୟରେ ।

ଶାସ୍ତ୍ରରେ ବର୍ଣ୍ଣିତ ଏକ କାହାଣୀ ଅନୁଯାୟୀ, ଥରେ ଦେବୀ ଲକ୍ଷ୍ମୀ ବଦ୍ରିନାଥ ଧାମରେ ଧ୍ୟାନରେ ବସିଥିଲେ । ସେହି ସମୟରେ ଭଗବାନ ବିଷ୍ଣୁ ଶଙ୍କଚୁର୍ଣ୍ଣ ନାମକ ଏକ ରାକ୍ଷସକୁ ହତ୍ୟା କରିଥିଲେ । ହିନ୍ଦୁ ଧର୍ମର ମାନ୍ୟତାରେ, ବିଜୟ ପରେ ଶଙ୍ଖନାଦ ଅବଶ୍ୟ କରାଯାଏ । କିନ୍ତୁ ଭଗବାନ ବିଷ୍ଣୁ ମା’ ଲକ୍ଷ୍ମୀଙ୍କର ଧ୍ୟାନ ଭଗ୍ନ କରିବାକୁ ଚାହୁଁନଥିଲେ, ତେଣୁ ସେ ଶଙ୍ଖ ଫୁଙ୍କିନଥିଲେ । ଏହିପରି ଅନ୍ୟ ଏକ ପୌରାଣିକ କଥା ଅନୁଯାୟୀ, ଗୋଟିଏ ସମୟରେ ହିମାଳୟରେ ରାକ୍ଷସମାନେ ଉତପାତ କରୁଥିଲେ। ମୁନି ୠଷିମାନଙ୍କୁ ପୂଜାପାଠ କରାଇ ଦେଉନଥିଲେ। ରାକ୍ଷସଙ୍କର ଏହି ଉତପାତ ଦେଖି ୠଷି ଅଗସ୍ତ୍ୟ ମାତା ଭଗବତୀଙ୍କୁ ଡାକିଲେ, ଏହା ପରେ ମାତା କୁଷ୍ମାଣ୍ଡା ରୂପ ଧରି ରାକ୍ଷସଙ୍କୁ ବିନାଶ କରିଥିଲେ। ତେବେ ମା’ଙ୍କଠାରୁ ରକ୍ଷା ପାଇବା ପାଇଁ ଆତାପି ଏବଂ ବାତାପି ନାମକ ଦୁଇ ରାକ୍ଷସ ପଳାୟନ କରିଥିଲେ। ଆତାପୀ ନଦୀରେ ଲୁଚି ରହିଥିବାବେଳେ ବାତାପି ବଦ୍ରିନାଥ ଧାମକୁ ଯାଇ ଏକ ଶଙ୍ଖ ଭିତରେ ଲୁଚି ରହିଥିଲା l ସେହି ଦିନଠାରୁ ବଦ୍ରିନାଥ ଧାମରେ ଶଙ୍ଖ ବାଜେନି। ଏହି ପରମ୍ପରା ଆଜି ପର୍ଯ୍ୟନ୍ତ ଜାରି ରହିଛି |

ବର୍ଷସାରା ବଦ୍ରିନାଥ ଧାମରେ ଥଣ୍ଡା ଅନୁଭବ ହୁଏ । କିଛି ମାସକୁ ଛାଡ଼ି ସେଠାରେ ପ୍ରାୟତଃ ବରଫ ଦେଖିବାକୁ ମିଳିଥାଏ । ବିଜ୍ଞାନ ଅନୁଯାୟୀ, ପ୍ରତ୍ୟେକ ଜୀବ କିମ୍ବା କୌଣସି ବସ୍ତୁର ନିଜସ୍ୱ ଫ୍ରିକ୍ୱେନ୍ସି ଥାଏ । ଏପରି ପରିସ୍ଥିତିରେ ଯଦି ସେଠାରେ ଶଙ୍ଖ ଫୁଙ୍କାଯାଏ, ତେବେ ଏହାର ଶବ୍ଦ ପର୍ବତକୁ ଧକ୍କା ଦେଇ ପ୍ରତିଧ୍ୱନି ସୃଷ୍ଟି କରିବ । ଏହି କାରଣରୁ ବରଫ ଫାଟିବା କିମ୍ବା ବରଫ ଝଡ଼ ହେବାର ସମ୍ଭାବନା ରହିପାରେ । ଏଥି ସହିତ ବୈଜ୍ଞାନିକମାନେ କହିଛନ୍ତି ଯେ, ଏକ ନିର୍ଦ୍ଦିଷ୍ଟ ଫ୍ରିକ୍ୱେନ୍ସିର ଶବ୍ଦ ପରିବେଶକୁ କ୍ଷତି ପହଞ୍ଚାଏ l ଯେତେବେଳେ ଏହା ଘଟେ, ପର୍ବତରେ ଭୂସ୍ଖଳନ ହେବାର ଆଶଙ୍କା ବଢ଼ିଯାଏ । ଏପରି ପରିସ୍ଥିତିରେ ବୋଧହୁଏ ବଦ୍ରିନାଥଧାମରେ ଶଙ୍ଖ ଫୁଙ୍କାଯାଏ ନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button