ଶାହଙ୍କ ବିରୋଧରେ କଂଗ୍ରେସର ସ୍ବାଧିକାର ଭଙ୍ଗ ନୋଟିସ୍: ସୋନିଆ ଗାନ୍ଧୀଙ୍କୁ ଅପମାନିତ କରିଥିବା ଅଭିଯୋଗ

ନୂଆଦିଲ୍ଲୀ: କଂଗ୍ରେସ ଦଳ ବୁଧବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍ ଆଣିଛି। ରାଜ୍ୟସଭାରେ ବିପର୍ଯ୍ୟୟ ପରିଚାଳନା ବିଲ୍, ୨୦୨୪ ଉପରେ ଆଲୋଚନା ସମୟରେ ଶାହ ଉଦ୍ଦେଶ୍ୟମୂଳକ ଭାବେ କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀଙ୍କ ଭାବମୂର୍ତ୍ତି ନଷ୍ଟ କଲାଭଳି ଟିପ୍ପଣୀ ଦେଇଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସ ରାଜ୍ୟସଭା ମୁଖ୍ୟ ସଚେତକ ଜୟରାମ ରମେଶ ଏଥିପାଇଁ ଶାହଙ୍କ ବିରୋଧରେ ସ୍ବାଧୀକାର ଭଙ୍ଗ ନୋଟିସ୍ ଆଣିଛନ୍ତି। ରମେଶ କହିଛନ୍ତି, ଶାହ ଶୀର୍ଷ କଂଗ୍ରେସ ନେତ୍ରୀଙ୍କ ବିରୋଧରେ ଯେଉଁ ଟିପ୍ପଣୀ ଦେଇଛନ୍ତି ତାହା ମିଛ ଏବଂ ମାନହାନି କରୁଛି। ତେଣୁ ଏହା ସ୍ବାଧିକାର ଭଙ୍ଗ କରୁଛି। ରାଜ୍ୟସଭା ଅଧ୍ୟକ୍ଷ ଏନେଇ ଧାରା ୧୮୮ ଅଧୀନରେ ଶାହଙ୍କ ବିରୋଧରେ ବିଚାରଣ ଆରମ୍ଭ କରନ୍ତୁ ବୋଲି ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଶାହ ଗତକାଲି ରାଜ୍ୟସଭାରେ ବିପର୍ଯ୍ୟୟ ପରିଚାଳନା ସଂଶୋଧନ ବିଲ୍, ୨୦୨୪ ଉପରେ ଆଲୋଚନା ସମୟରେ କହିଥିଲେ, ପିଏମ୍ଏନ୍ଆର୍ଏଫ୍ କଂଗ୍ରେସ ଶାସନ ସମୟରେ ଗଠନ ହୋଇଥିଲା ଏବଂ ପିଏମ୍-କେୟାର୍ସ ନରେନ୍ଦ୍ର ମୋଦୀ ସରକାର ଅଧୀନରେ ଗଠନ ହୋଇଛି। କଂଗ୍ରେସ ଶାସନରେ ଥିବାବେଳେ ଗୋଟିଏ ପରିବାର ପାଣ୍ଠି ନିୟନ୍ତ୍ରଣ କରୁଥିଲା। କଂଗ୍ରେସ ସଭାପତି ଏହି କମିଟିର ଜଣେ ସଦସ୍ୟ ଥିଲେ। କଂଗ୍ରେସ ସଭାପତି ଏକ ସରକାରୀ ପାଣ୍ଠିର ଅଂଶ ମଧ୍ୟ ଥିଲେ। ଆମେ ଲୋକଙ୍କୁ ଏ ନେଇ କ’ଣ ଉତ୍ତର ଦେବୁ। ସେମାନେ ଭାବୁଛନ୍ତି ଯେ କେହି କିଛି ପଢ଼ୁନାହାନ୍ତି କି ଜାଣୁନାହାନ୍ତି। ତେବେ ଶାହ ସୋନିଆଙ୍କ ନାଁ ନେଇନଥିଲେ ମଧ୍ୟ ସେ ତାଙ୍କୁ ହିଁ ଉଦ୍ଦେଶ୍ୟ କରି ଏହି ଟିପ୍ପଣୀ ଦେଇଛନ୍ତି ବୋଲି ଜୟରାମ ରମେଶ ଅଭିଯୋଗ କରିଛନ୍ତି ।