ଓଡିଶା

ଫିଲ୍ମ ଷ୍ଟାଇଲରେ ଗଞ୍ଜେଇ ମାଫିଆଙ୍କୁ ଧରିଲା ଫିରିଙ୍ଗିଆ ପୋଲିସ, ଅଟୋ ଓ ସ୍କୁଟି ସହ ୩ ଗିରଫ

ଫିରିଙ୍ଗିଆ, ୧୬/୦୯ : ଗଞ୍ଜେଇ ଚାଲାଣ ବେଳେ ଫିଲ୍ମ ଷ୍ଟାଇଲ୍ରେ ମାଡ଼ି ବସିଲା ଫିରିଙ୍ଗିଆ ପୋଲିସ। ଅଟୋ ଓ ସ୍କୁଟି ସହ ୩ ଗଞ୍ଜେଇ ମାଫିଆ ଗିରଫ। ୧୪ କିଲୋ ଗଞ୍ଜେଇ ଜବତ।

ସୂଚନାନୁଯାୟୀ, କିଛିଦିନ ହେଲା କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳରେ ଗଞ୍ଜେଇ କାରବାର ବଢ଼ି ଚାଲିଛି। ପୋଲିସ ଏହା ଉପରେ ରୋକ ଲଗାଇବା ପାଇଁ ଉଦ୍ୟମ କରୁଛି।

ଜିଲ୍ଲା ପୋଲିସ ମୁଖିଆଙ୍କ ନିର୍ଦ୍ଦେଶରେ ଅପରେଶନ ନୀଳ ଜହର କରାଯାଉଛି। ଏହି କ୍ରମରେ ଶନିବାର ଦିନ ୧୨ଟାରେ ଫୁଲବାଣୀ ବାଲିଗୁଡ଼ା ମୁଖ୍ୟ ରାସ୍ତାର ଫିରିଙ୍ଗିଆ ଥାନା ମୁଣ୍ଡା ସାହି ନିକଟ ରାସ୍ତା ଉପରେ କିଛି ଗଞ୍ଜେଇ ମାଫିଆ ଏକ ସ୍କୁଟିରେ ଗଞ୍ଜେଇ ଆଣି ଏକ ଅଟୋରେ ବୋଝେଇ କରୁଥିବା ପୋଲିସକୁ ଖବର ମିଳିଥିଲା। ଫିରିଙ୍ଗିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଅଟୋ ଓ ସ୍କୁଟି ସହ ୧୪ କିଲୋ ଗଞ୍ଜେଇ ଜବତ କରିଥିଲା। ପୋଲିସକୁ ଦେଖି ସମ୍ପୃକ୍ତ ଗଞ୍ଜେଇ ମାଫିଆମାନେ ଫେରାର୍ ହେବାକୁ ଉଦ୍ୟମ କରିଥିଲେ। ହେଲେ ପୋଲିସ ୩ ଜଣଙ୍କୁ ଫିଲ୍ମ ଷ୍ଟାଇଲ୍ରେ ଗୋଡ଼ାଇ ଗୋଡ଼ାଇ ଧରିଥିଲା।

ମାଫିଆମାନଙ୍କୁ ଧରିବା ସମୟରେ କିଛି ପୋଲିସ କର୍ମଚାରୀ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଗିରଫ ହୋଇଥିବା ତିନିଜଣ ଗଞ୍ଜେଇ ମାଫିଆଙ୍କ ମଧ୍ୟରୁ ଦୁଇଜଣ ଫିରିଙ୍ଗିଆ ଥାନା ରତଙ୍ଗ ପଞ୍ଚାୟତ ଅଧୀନରେ ଥିବା ଜଗାରପଦର ଗାଁର ସଞ୍ଜୟ କହଁର ଓ ତ୍ରିନାଥ ଦିଗାଲ ହୋଇଥିବା ବେଳେ ଅନ୍ୟଜଣେ ମାଫିଆ ଜର୍ଗିପଦର ଗାଁର ବିପ୍ଳବ ଦିଗାଲ ବୋଲି ଜଣାପଡିଛି। ଏହି ଘଟଣାରେ ଫିରିଙ୍ଗିଆ ଥାନାରେ 189/2024ରେ ଏକ ମାମଲା ରୁଜୁ କରାଯାଇଛି। ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଫିରିଙ୍ଗିଆ ତହସିଲଦାର ଅନାମିକା ପାଣ୍ଡେଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇକୁ ଓଜନ କରାଯାଇ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ସୂଚନା ଦେଇଛନ୍ତି।

ସେପଟେ ଏହି ମାମଲାର ତଦନ୍ତ ଦାୟିତ୍ୱ ଅତିରିକ୍ତ ଥାନା ଅଧିକାରୀ ଅଜୟ କୁମାର ସାହୁଙ୍କୁ ଦିଆଯାଇଥିବା ବେଳେ ଚଢ଼ାଉ ସମୟରେ ଥାନାରେ କାର୍ଯ୍ୟରତ ଏସଆଇ ପ୍ରମୋଦ କୁମାର ବେହେରା, ଏଏସଆଇ ଶ୍ରୀକାନ୍ତ ପାତ୍ର, ଏଏସଆଇ ପ୍ରମୋଦ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିବା ସୂଚନା ମିଳିଛି। ଅନୁରୂପ ଭାବରେ ଶନିବାର ସନ୍ଧ୍ୟା ସମୟରେ ଫିରିଙ୍ଗିଆ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଫିରିଙ୍ଗିଆ ଥାନା ନୂଆପଦର ପଞ୍ଚାୟତ କାଲିପଙ୍ଗା ଗାଁ ନିକଟରେ ଜଣେ ବ୍ୟକ୍ତି କାନ୍ଧରେ ଗଞ୍ଜେଇ ଧରି ଚାଲିଚାଲି ଯାଉଥିଲା। ପୋଲିସକୁ ଦେଖି ବ୍ୟକ୍ତି ଜଣକ ଫେରାର ହୋଇଯାଇଥିଲା। ଏହି ଘଟଣାରେ ପୋଲିସ ୨୧ କିଲୋ ଗଞ୍ଜେଇ ଜବତ କରିଥିବା ବେଳେ 188/2024 ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଏହାସହ ତଦନ୍ତରେ ବାଧା ସୃଷ୍ଟି ହେବା ନେଇ ସମ୍ପୃକ୍ତ ବ୍ୟକ୍ତିଙ୍କ ନା ପୋଲିସ କହିନଥିବା ବେଳେ ସମ୍ପୃକ୍ତ ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ ହୋଇଛି। ଖୁବଶୀଘ୍ର ତାକୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button