ଦେଶ ବିଦେଶ

ଆଇଏଏସ୍‌ ମନିଷ ଅଗ୍ରୱାଲଙ୍କ ଅଡ଼ୁଆ ବଢ଼ିଲା

ନୂଆଦିଲ୍ଲୀ: ବ୍ୟକ୍ତିଗତ ସହାୟକ (ପିଏ) ଦେବନାରାୟଣ ପଣ୍ଡା ମୃତ୍ୟୁ ମାମଲାରେ ଆଇଏଏସ୍‌ ମନିଷ ଅଗ୍ରୱାଲ ବିଚାର (ଟ୍ରାଏଲ୍‌)ର ସମ୍ମୁଖୀନ ହେବେ। ସୁପ୍ରିମକୋର୍ଟରୁ ଶ୍ରୀ ଅଗ୍ରୱାଲଙ୍କୁ ଝଟକା ଲାଗିଛି। ଶ୍ରୀ ଅଗ୍ରୱାଲଙ୍କ ବିରୋଧରେ ଆଇପିସିର ୩୦୬ ଧାରାରେ ମାମଲାର ଟ୍ର‌ାଏଲ ପାଇଁ ହାଇକୋର୍ଟଙ୍କ ଜୁନ ୨୨, ୨୦୨୩ର ଆଦେଶକୁ ରଦ୍ଦ ପାଇଁ ଶ୍ରୀ ଅଗ୍ରୱାଲଙ୍କ ଦ୍ବାରା ଦାଖଲ କରାଯାଇଥିବା ସ୍ବତନ୍ତ୍ର ଲିଭ୍‌ ପିଟିସନ (ଏସ୍‌ଏଲ୍‌ପି)କୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ବିଚାରପତି ଜଷ୍ଟିସ ଏମ୍‌ଏମ୍‌ ସୁନ୍ଦ୍ରେଶ ଓ ବିଚାରପତି ଜଷ୍ଟିସ ଅରବିନ୍ଦ କୁମାରଙ୍କ ଖଣ୍ଡପୀଠ ଶ୍ରୀ ଅଗ୍ରୱାଲ ଓ ବନଜା ପଣ୍ଡା(ମୃତକ ଦେବନାରାୟଣ ପଣ୍ଡାଙ୍କ ପତ୍ନୀ)ଙ୍କ ଦ୍ବାରା ଦାଖଲ କରାଯାଇଥିବା ଦୁଇଟି ଏସ୍‌ଏଲ୍‌ପିକୁ ଖାରଜ କରିଦେଇଛନ୍ତି।

ତତ୍କାଳୀନ ମାଲକାନଗିରି ଜିଲ୍ଲାପାଳ ମନିଷ କାର୍ଯ୍ୟ କରୁଥିବା ସମୟରେ ତାଙ୍କର ପିଏ ଦେବ ନାରାୟଣ ପଣ୍ଡା ଡିସେମ୍ବର ୨୭, ୨୦୧୯ରେ ନିଖୋଜ ହୋଇଯାଇଥିଲେ। ନିଖୋଜ ହେବାର ଦିନକ ପରେ ତାଙ୍କର ମୃତ ଦେହ ସତିଗୁଡ଼ା ଡ୍ୟାମରୁ ଉଦ୍ଧାର କରାଯାଇଥିଲା। ପୁଲିସ ଦ୍ବାରା ଏ ନେଇ ଏକ ମାମଲା ରୁଜୁ ହୋଇଥିବା ବେଳେ ବନଜା ଘଟଣାର ବର୍ଷକ ପ‌ରେ ଜିଲ୍ଲାପାଳ ମନିଷ ଓ ତିନି ଜଣ ଅନ୍ୟ କର୍ମଚାରୀଙ୍କ ଦ୍ବାରା ତାଙ୍କ ସ୍ବାମୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରାଯାଇଥିଲା। ସ୍ବର୍ଗତ ପଣ୍ଡାଙ୍କ ପରିବାର ପକ୍ଷରୁ ଏସ୍‌ଡି‌ଜେଏମ୍‌, ମାଲକାନଗିରି କୋର୍ଟରେ ମାମଲା ରୁଜୁ କରାଯାଇ ତତ୍କାଳୀନ ମାଲକାନଗିରି ଜିଲ୍ଲାପାଳ ଓ ଅନ୍ୟ ତିନିଜଣଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦେବା ପାଇଁ ପ୍ରାର୍ଥନା କରାଯାଇଥିଲା।

ପିଏ ଦେବ ନାରାୟଣ ପଣ୍ଡା ମୃତ୍ୟୁ ମାମଲା
ଏସ୍‌ଏଲ୍‌ପି ସୁପ୍ରିମକୋର୍ଟରେ ଖାରଜ
ବିଚାରର ସମ୍ମୁଖୀନ ହେବେ

ଏସ୍‌ଡିଜେଏମ୍‌ ମାଲକାନଗିରିଙ୍କ ଦ୍ବାରା ଶ୍ରୀ ଅଗ୍ରୱାଲ ଓ ତିନି ଜଣ ଷ୍ଟାଫ୍‌ଙ୍କ ବିରୋଧରେ ଆଇପିସିର ଧାରା ୩୦୨, ୫୦୬, ୨୦୧ ଓ ୨୦୪ ଧାରାରେ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ନିମ୍ନ କୋର୍ଟର ଆଦେଶକୁ ଶ୍ରୀ ଅଗ୍ରୱାଲ ହାଇକୋର୍ଟରେ ଚ୍ୟାଲେଞ୍ଜ୍‌ କରିଥିଲେ। ହାଇକୋର୍ଟ ଧାରା ୩୦୨ ହତ୍ୟା ଅଭିଯୋଗକୁ ଖାରଜ କରିଦେଇଥିଲେ। ମାମଲାରେ ଧାରା ୩୦୬ (ଆତ୍ମହତ୍ୟାକୁ ଉସ୍‌କାଇବା) ଅନ୍ତର୍ଗତ ନିମ୍ନ ଅଦାଲତଙ୍କୁ ବିଚାରକୁ ନେଇ ଏହାର ବିଚାର ପ୍ରକ୍ରିୟା ଆଠ ମାସରେ ଶେଷ କରିବା ପାଇଁ ଆଦେଶ ଦେଇଥିଲେ। ହାଇକୋର୍ଟଙ୍କ ଦ୍ବାରା ଧାରା ୩୦୬କୁ ଖାରଜ କରିବା ସହିତ ତାଙ୍କ ବିରୋଧରେ ଟ୍ରାଏଲ୍‌କୁ ରଦ୍ଦ କରିବା ପାଇଁ ଶ୍ରୀ ଅଗ୍ରୱାଲ ସୁ୍ପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଅନ୍ୟପକ୍ଷରେ ମୃତକ ପଣ୍ଡାଙ୍କ ପତ୍ନୀ ବନଜା ୩୦୨(ହତ୍ୟା) ଧାର‌ାରେ ବିଚାର ପାଇଁ ମଧ୍ୟ ଏସ୍‌ଏଲ୍‌ପି ଦାଖଲ କରିଥିଲେ। ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ଆଦେଶରେ ହସ୍ତ‌କ୍ଷେପ କରିବା ପାଇଁ ଅନିଚ୍ଛା ପ୍ରକାଶ କରିବା ସହ ଦୁଇ ପକ୍ଷଙ୍କ ଦ୍ବାରା ଦାଖଲ କରାଯାଇଥିବା ଏସ୍‌ଏଲ୍‌ପିକୁ ଖାରଜ କରିଦେଇଛନ୍ତି। ଯାହା ଫଳରେ ଶ୍ରୀ ଅଗ୍ରୱାଲ ବିଚାର ପ୍ରକ୍ରିୟାରେ ସମ୍ମୁଖୀନ ହେବାର ପଥ ପରିଷ୍କାର ହୋଇଯାଇଛି। ମାମଲାରେ ଆବେଦନକାରୀ ମନିଷଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ସିଦ୍ଧାର୍ଥ ଲୁଥ୍ରା ଓ ଆଡଭୋକଟ୍‌ ଅନ୍‌ ରେକର୍ଡ ନିରଂଜନ ସାହୁ ଓ ପ୍ରତିପକ୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବିଶ୍ବଜିତ ସିଂହ ଓ ଆଡ୍‌ଭୋକେଟ୍‌ ଅନ୍‌ ରେକର୍ଡ ପ୍ରକାଶ ରଞ୍ଜନ ନାୟକ ମାମଲାର ପରିଚାଳନା କରୁଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button