ବ୍ୟବସାୟ

ବିଶ୍ବବ୍ୟାଙ୍କ ରିପୋର୍ଟ: ୯.୫ କୋଟି ପାକିସ୍ତାନୀ ଦରିଦ୍ର, ଦୈନିକ ଆୟ ୩.୬୫ ଡଲାରରୁ କମ୍‌ – Utkal Mail


ନୂଆଦିଲ୍ଲୀ: ପାକିସ୍ତାନରେ ଦାରିଦ୍ର୍ୟ ଏବେ ଅାଶାତୀତ ଭାବେ ବଢ଼ିଚାଲିଛି। ମାତ୍ର ବର୍ଷକ ମଧ୍ୟରେ ପାକିସ୍ତାନରେ ଦାରିଦ୍ର୍ୟ ହାର ୩୪.୨ ପ୍ରତିଶତରୁ ବୃଦ୍ଧି ପାଇ ୩୯.୪ ପ୍ରତିଶତରେ ପହଞ୍ଚିଛି। ବିଶ୍ବ ବ୍ୟାଙ୍କ୍‌ ଅନୁଯାୟୀ ବର୍ଷକ ମଧ୍ୟରେ ୧ କୋଟି ୨୫ ଲକ୍ଷ ପାକିସ୍ତାନୀ ଦାରିଦ୍ର୍ୟ ସୀମା‌ ରେଖା ତଳକୁ ଚାଲିଯାଇଛନ୍ତି। ଏମାନେ ଦିନକୁ ୩.୬୫ ଡଲାର ରୋଜଗାର କରି ନପାରି ଦାରିଦ୍ର୍ୟ ସୀମାରେଖା ତଳକୁ ଚାଲିଯାଇଛନ୍ତି। ପାକିସ୍ତାନରେ ଏବେ ୯.୫ କୋଟି ଲୋକ ଦାରିଦ୍ର୍ୟ ସହ ଜୀବନଯାପନ କରୁଛନ୍ତି। କେବଳ ସେତିକି ନୁହେଁ ଦକ୍ଷିଣ ଏସିଆରେ ପାକିସ୍ତାନୀଙ୍କ ମୁଣ୍ଡପିଛା ଆୟ ସବୁଠୁ କମ୍ ରହିଛି। ଅନ୍ୟ ଏକ ଚିନ୍ତାଜନକ ବିଷୟ ହେଲା ବିଶ୍ବରେ ସବୁଠୁ ଅଧିକ ପିଲା ପାକିସ୍ତାନରେ ହିଁ ବିଦ୍ୟାଳୟ ବାହାରେ ରହିଛନ୍ତି।

ବିଶ୍ବ ବ୍ୟାଙ୍କ୍‌ ଏଥିପାଇଁ ଗଭୀର ଚିନ୍ତା ପ୍ରକଟ କରିଛି ଏବଂ ଋଣଗ୍ରସ୍ତ ପାକିସ୍ତାନରେ ଆର୍ଥିକ ସ୍ଥିରତା ଫେରାଇ ଆଣିବା ପାଇଁ ଜରୁରୀ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ ବୋଲି କହିଛି। ପାକିସ୍ତାନ ପାଇଁ ବିଶ୍ବ ବ୍ୟାଙ୍କ୍‌ ମୁଖ୍ୟ ଅର୍ଥନୀତିଜ୍ଞ ତୋବିୟାସ ହକ୍‌ କହିଛନ୍ତି, ପାକିସ୍ତାନର ଆର୍ଥିକ ମଡେଲ ଦାରିଦ୍ର୍ୟ ହ୍ରାସ କରୁନାହିଁ। ତେଣୁ ଆର୍ଥିକ ସ୍ଥିତିରେ ସ୍ଥିରତା ଆଣିବା ପାଇଁ ପାକିସ୍ତାନ ଜରୁରୀ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ। ପରବର୍ତ୍ତୀ ସରକାରକୁ ନିମ୍ନ ମାନବ ବିକାଶ, ଅସ୍ଥିର ବିତ୍ତୀୟ ସ୍ଥିତି, ଘରୋଇ କ୍ଷେତ୍ରଗୁଡ଼ିକୁ ଅତ୍ୟଧିକ ମାତ୍ରାରେ ନିୟନ୍ତ୍ରଣ, କୃଷି ଏବଂ ଶକ୍ତି କ୍ଷେତ୍ରରେ ମୁଖ୍ୟତଃ ସଂସ୍କାର ଆଣିବାକୁ ପଡ଼ିବ ବୋଲି ବିଶ୍ବ ବ୍ୟାଙ୍କ କହିଛି। ସେହିପରି ଟିକସ-ଜିଡିପି ଅନୁପାତ ୫ ପ୍ରତିଶତ ବୃଦ୍ଧି କରିବାକୁ ଏବଂ ଜିଡିପିର ୨.୭ ପ୍ରତିଶତକୁ ଖର୍ଚ୍ଚ କାଟ କରିବାପାଇଁ ବିଶ୍ବବ୍ୟାଙ୍କ୍‌ କହିଛନ୍ତି।

ହକ୍‌ କହିଛନ୍ତି, ପାକିସ୍ତାନର ଆର୍ଥିକ ସ୍ଥିତିରେ ବିଶ୍ବ ବ୍ୟାଙ୍କ୍‌ ଅତି ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି, ପାକିସ୍ତାନ ଅତି ସାଂଘାତିକ ଆର୍ଥିକ ଏବଂ ମାନବୀୟ ବିକାଶ ସଙ୍କଟ ସାମ୍ନା କରୁଛି। ପାକିସ୍ତାନରେ ଏବେ ପ୍ରମୁଖ ନୀତି ବଦଳାଇବାର ଆବଶ୍ୟକତା ରହିଛି। ବିଶ୍ବ ବ୍ୟାଙ୍କ୍‌ ଅନୁଯାୟୀ ପାକିସ୍ତାନ ଜିଡିପିର ୨୨ ପ୍ରତିଶତ ଭଳି ଟିକସ ସଂଗ୍ରହ କରିବାର ଦକ୍ଷତା ରହିଛି। କିନ୍ତୁ ଏହାର ବର୍ତ୍ତମାନ ଅନୁପାତ କେବଳ ୧୦.୨ ପ୍ରତିଶତ ରହିଛି। ଜମି ଏବଂ ସମ୍ପତ୍ତି ଉପରେ ଟିକସ ବୃଦ୍ଧି ପାଇଁ ବିଶ୍ବ ବ୍ୟାଙ୍କ୍‌ ପରାମର୍ଶ ଦେଇଛି। ବିଶ୍ବ ବ୍ୟାଙ୍କ୍‌ ଆର୍ଥିକ କାରବାର ପାଇଁ ଏବଂ ନିର୍ଦ୍ଦିଷ୍ଟ ଭାବେ ସମ୍ପତ୍ତି କ୍ଷେତ୍ରରେ ସିଏନ୍ଆଇସି (କମ୍ପୁଟରାଇଜ୍‌ଡ ନେ‌ସନାଲ ଆଇଡେଣ୍ଟି କାର୍ଡ)ର ବାଧ୍ୟତାମୂଳକ ବ୍ୟବହାର କରିବା ପ୍ରସ୍ତାବ ଦେଇଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button