ଦେଶ ବିଦେଶ

ଆସନ୍ତା ସପ୍ତାହରେ ମୋଦୀଙ୍କୁ ଭେଟିବେ ଟ୍ରମ୍ପ

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଆମେରିକା ଗସ୍ତ କାର୍ଯ୍ୟକ୍ରମ ଅଛି। ଏହି ଅବସରରେ ତାଙ୍କୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭେଟିବେ ବୋଲି କହିଛନ୍ତି। ରିପବ୍ଲିକାନ ରାଷ୍ଟ୍ରପତି ପ୍ରାର୍ଥୀ ମିଚିଗାନରେ ନିର୍ବାଚନ ପ୍ରଚାର ବେଳେ ଏହି ଘୋଷଣା କରିଛନ୍ତି। ଟ୍ରମ୍ପ୍ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଜଣେ ‘ଚମତ୍କାର ବ୍ୟକ୍ତି’ ଏବଂ ଚମତ୍କାର ନିଷ୍ପତ୍ତି ନିଅନ୍ତି।

ଏହା ସହିତ ଭାରତକୁ ବାଣିଜ୍ୟିକ ସମ୍ପର୍କର ଏକ ବଡ଼ ‘ଅପବ୍ୟବହାରକାରୀ’ ବୋଲି ସେ କହିଛନ୍ତି କାରଣ ଭାରତ ଆମଦାନି ଉପରେ ଅଧିକ ଶୁଳ୍କ ଲାଗୁ କରୁଛି। ସେପ୍ଟେମ୍ବର ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ଗସ୍ତରେ ଯିବେ। ସେ ନ୍ୟୁୟର୍କରେ ଜାତିସଂଘ ସାଧାରଣ ସଭାରେ କ୍ୱାଡ୍ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ।

ରାଷ୍ଟ୍ରପତି ଜୋ ବାଇଡେନଙ୍କ ଦ୍ୱାରା ଡେଲାୱେରସ୍ଥିତ ତାଙ୍କ ସହର ୱିଲ୍ମିଙ୍ଗଟନରେ ଉକ୍ତ ଚତୁର୍ଥ କ୍ୱାଡ୍ ଲିଡର୍ସ ଶିଖର ସମ୍ମିଳନୀ ଆୟୋଜିତ ହେବ। ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ ରବିବାର ନ୍ୟୁୟର୍କ ଯାଇ ଲଙ୍ଗ୍ ଆଇଲ୍ୟାଣ୍ଡରେ ଭାରତୀୟ ସମୁଦାୟର ଏକ ସମାବେଶକୁ ସମ୍ବୋଧିତ କରିବେ। ଏହାର ଗୋଟିଏ ଦିନ ପରେ ପ୍ରଧାନମନ୍ତ୍ରୀ ଜାତିସଂଘ ସାଧାରଣ ସଭାକୁ ସମ୍ବୋଧିତ କରିବେ। ଏହି ଶିଖର ସମ୍ମିଳନୀର ବିଷୟବସ୍ତୁ ରହିଛି ‘ଏକ ଉତ୍ତମ ଭବିଷ୍ୟତ ପାଇଁ ବହୁପକ୍ଷୀୟ ସମାଧାନ’।

ଏଆଇ, କ୍ୱାଣ୍ଟମ କମ୍ପ୍ୟୁଟିଂ, ସେମିକଣ୍ଡକ୍ଟର ଓ ବାୟୋଟେକ୍ନୋଲୋଜି ଭଳି ଅତ୍ୟାଧୁନିକ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଅଧିକ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଆମେରିକାର ଅଗ୍ରଣୀ କମ୍ପାନିଗୁଡ଼ିକର ସିଇଓମାନଙ୍କ ସହ ଆଲୋଚନା କରିବେ ବୋଲି ବୈଦେଶିକ ମନ୍ତ୍ରାଳୟ କହିଛି। ଭାରତ-ଆମେରିକା ଦ୍ୱିପାକ୍ଷିକ କ୍ଷେତ୍ରରେ ସକ୍ରିୟ ଥିବା ନେତା ଓ ଅନ୍ୟ ଅଂଶୀଦାରଙ୍କ ସହ ସେ ଆଲୋଚନା କରିବେ ବୋଲି ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ମୋଦୀ ଓ ଡୋନାଲ୍ଡ ଟ୍ରମ୍ପ ଶେଷ ଥର ପାଇଁ ଫେବ୍ରୁଆରି ୨୦୨୦ରେ ପରସ୍ପରକୁ ଭେଟିଥିଲେ, ଯେତେବେଳେ ତତ୍କାଳୀନ ଆମେରିକୀୟ ରାଷ୍ଟ୍ରପତି ଭାରତ ଗସ୍ତରେ ଆସିଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button