ଓଡିଶା

ଭୁବନେଶ୍ବର: ଗହଳି ଥିବା ରାଜଧାନୀର ପ୍ରା‌ୟ ସବୁଛକରେ ଶିଶୁମାନଙ୍କୁ ଦେଖିବାକୁ ମିଳୁଛି। ‌ସେମାନଙ୍କ ସହ କିଛି ମହିଳା ମଧ୍ୟ ଥାଆନ୍ତି। ଏହି ଶିଶୁମାନେ ବିପଜ୍ଜନକ ଭାବେ ଟ୍ରାଫିକ ଅଞ୍ଚଳରେ ଭିକ୍ଷା ମାଗୁଛନ୍ତି, ନଚେତ୍‌ ଟ୍ରାଫିକ୍‌ରେ ଅଟକୁଥିବା କାର୍‌ଗୁଡ଼ିକର କାଚ ସଫାକରି ଟଙ୍କା ମାଗୁଛନ୍ତି। ନାବାଳିକାମାନେ ଭିକ ମାଗୁଥିବା ବେଳେ ନାବାଳକମାନେ ଗାଡ଼ି କ‌ାଚସଫା କରୁଛନ୍ତି।

ଏ ପିଲାଙ୍କୁ ଖାଇବାକୁ ଦେଲେ ନେବାକୁ ରାଜି ହେଉନାହାନ୍ତି। ଜୋର୍‌ କରି ପରିଚୟ ମାଗିଲେ ଦୌଡ଼ି ପଳାଇ ଯାଉଛନ୍ତି। ସେମାନେ କେଉଁଠୁ ଆସିଛନ୍ତି, ସେମାନଙ୍କର ପରିଚୟ କଣ ଓ ସେମାନେ କାହା ପାଖରେ ରହି କାମ କରୁଛନ୍ତି, ଏନେଇ ପୁଲିସ ପାଖରେ କୌଣସି ସୂଚନା ନାହିଁ। ଶିଶୁମାନଙ୍କୁ ପଚାରିଲେ ସେମାନେ ମଧ୍ୟ କିଛି କହୁନାହାନ୍ତି। ତେବେ ସେମାନେ ଓଡ଼ିଆ କହୁ ନଥିବାରୁ ରାଜ୍ୟ ବାହାରୁ ଆସିଥିବା ନିଶ୍ଚିତ। ଟଙ୍କା ନଦେଲେ ଲୋକଙ୍କୁ ସେମାନେ ଗାଳିଗୁଲଜ କରିବାର ଉଦାହରଣ ମଧ୍ୟ ରହିଛି।

କେହି କେହି ଏମାନଙ୍କୁ ବନ୍‌ଜାରା ସଂପ୍ରଦାୟର କହୁଥିବାବେଳେ ସେମାନଙ୍କ ଭିତରେ ବାଂଲାଦେଶୀ ଅନୁପ୍ରବେଶକାରୀ ଅଛନ୍ତି ବୋଲି ମଧ୍ୟ କିଛି ଅଭିଯୋଗ କରନ୍ତି। ତେବେ ଏମାନଙ୍କୁ ନେଇ ଆସୁଥିବା ପୁରୁଷମାନେ ବିଭିନ୍ନ ଅପରାଧରେ ସଂପୃକ୍ତ ଥିବା ମଧ୍ୟ ଲୋକେ କହନ୍ତି। ଏମିତିରେ ରାଜ୍ୟ ବାହାରର କିଛି ଅପରାଧୀ ଗ୍ୟାଙ୍ଗ ଆସି ରାଜଧାନୀରେ ଡେରା ପକାଇଥିବା ପୁଲିସ ମଧ୍ୟ ଜାଣିଛି। ଛିନ୍‌ତାଇ, ବାଇକ ଚୋରି, ମୋବାଇଲ ଚୋରି, କାରକାଚ ଭାଙ୍ଗି ଚୋରି ଭଳି ମାମଲାରେ ସେହି ଅପରାଧୀମାନେ ଲିପ୍ତ ଥିବାର ବହୁ ପ୍ରମାଣ ରହିଛି। ଅନେକ ମାମଲା ରୁଜୁ ହୋଇଥିବା ବେଳେ ରାଜ୍ୟ ବାହାରର କିଛି ‌ଅପରାଧୀ ଗିରଫ ମଧ୍ୟ ହୋଇଛନ୍ତି। ଏମାନଙ୍କ ସଂଖ୍ୟା ରାଜଧାନୀରେ ବୃଦ୍ଧି ପାଇ ଚାଲିଛି।

ତେବେ ଅନୁପ୍ରବେଶକାରୀ, ଅପରାଧୀଙ୍କ ସହିତ ସମ୍ଭାବ୍ୟ ସଂପୃକ୍ତି ତଥା ଶିଶୁଶ୍ରମିକ ଆଦି ଏକାଧିକ ପ୍ରସଙ୍ଗ ସହିତ ଏହି ପିଲାମାନେ ଜଡ଼ିତ ରହିଥିଲେ ‌ହେଁ ଦିନ ଦ୍ବିପ୍ରହରରେ ରାଜଧାନୀ ରାସ୍ତାରେ, ବିଶେଷ କରି ଜନପଥରେ ଏମାନେ ଟ୍ରାଫିକ୍‌ ଛକରେ କାମ କରୁଥିଲେ ବା ଭିକ ମାଗୁଥିଲେ ମଧ୍ୟ ପୁଲିସ ସମେତ ଦାୟିତ୍ବରେ ଥିବା ଅନ୍ୟ କୌଣସି ବିଭାଗର ଦୃଷ୍ଟି ନପଡ଼ିବା ଆଶ୍ଚର୍ଯ୍ୟଜନକ। ଶିଶୁ ଶ୍ରମିକ ବା ବାଳଅପରାଧ କ୍ଷେତ୍ରରେ କାମ କରୁଥିବା କୌଣସି ସଂଗଠନ ମଧ୍ୟ ଏମାନଙ୍କୁ ନେଇ କେବେ ଚିନ୍ତା କରିଥିବା ଦେଖାଯାଇନାହିଁ। ଏମାନଙ୍କ ଗୋଷ୍ଠୀ ଉପରେ ସ୍ବତନ୍ତ୍ର ଭାବେ ନଜର ରଖିବାକୁ ବୁଦ୍ଧିଜୀବୀ ଦାବି କରୁଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button