କେମିତି ଯୋଜନା ହୋଇଥିଲା ଅପରେସନ୍ ସିନ୍ଦୂର: କେବଳ କୋର୍ କମାଣ୍ଡର୍ ହିଁ ତାରିଖ ଜାଣିଥିଲେ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ‘ଅପରେସନ ସିନ୍ଦୁର’ର ଅପାର ସଫଳତା ପାଇଁ ପୂରା ବିଶ୍ବରେ ଭାରତୀୟ ସେନାର ସାମର୍ଥ୍ୟ ଚର୍ଚ୍ଚାର କେନ୍ଦ୍ରରେ ରହିଛି। ଭାରତୀୟ ସେନା କେବଳ ନିଜର ଶକ୍ତି ବଳରେ ପାକିସ୍ତାନ ସେନାକୁ ବିସ୍ମିତ କରିନଥିଲା ବରଂ ଏଭଳି ଲକ୍ଷ୍ୟଭିତ୍ତିକ ଆକ୍ରମଣ ସେମାନଙ୍କ ଚିନ୍ତା ବାହାରେ ଥିଲା। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ସେନା ୧୫ ଦିନ ପର୍ଯ୍ୟନ୍ତ ପ୍ରତିଶୋଧ ନେବାକୁ ପ୍ରସ୍ତୁତ ହୋଇଥିଲା ଏବଂ ଅତ୍ୟନ୍ତ ଦୃଢ଼ ରଣନୈତିକ ବିଚାରବିମର୍ଶ ପରେ ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀ ଶିବିରଗୁଡ଼ିକୁ ନିର୍ଦ୍ଦିଷ୍ଟ ଭାବରେ ଟାର୍ଗେଟ୍ କରାଯାଇଥିଲା। ଭାରତୀୟ ସେନା କିପରି ଅପରେସନ୍ ସିନ୍ଦୂର ଯୋଜନା କରିଥିଲା ସେ ବିଷୟରେ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ କେବଳ କୋର୍ କମାଣ୍ଡରଙ୍କୁ ହିଁ ତାରିଖ ଜଣାଥିଲା। ପ୍ରତ୍ୟେକ ସେକ୍ଟରରେ ପ୍ରସ୍ତୁତି ଚାଲିଥିଲେ ମଧ୍ୟ କେହି ବି ଅପରେସନ ତାରିଖ ସଂପର୍କରେ କେହି ଜାଣିନଥିଲେ।
ଉକ୍ତ ସେନା ଅଧିକାରୀ କହିଛନ୍ତି ଯେ ନିୟନ୍ତ୍ରଣ ରେଖାରେ ଏକ ପୋଷ୍ଟ ଅଛି, ଯେଉଁଠାରୁ ଅପରେସନ ସିନ୍ଦୁର ଆରମ୍ଭ କରାଯାଇଥିଲା। ଏଠାରୁ ପିଓକେର ଦୂରତା ମାତ୍ର ୨୦୦ରୁ ୪୦୦ ମିଟର । ଏଠାରେ ଉପସ୍ଥିତ ସୈନିକମାନେ ରକେଟ୍ ଲଞ୍ଚର ଏବଂ ଏକେ ୨୦୩ ସହ ସର୍ବଦା ସର୍ବାଧିକ ସତର୍କରେ ରହିଥାନ୍ତି। ଯେ କୌଣସି ଗତିବିଧିର ଜବାବ ଦେବା ପାଇଁ ସେନା ୨୪ ଘଣ୍ଟା ଏଠାରେ ପ୍ରସ୍ତୁତ ରହିଥାଏ।
ଏପ୍ରିଲ ୨୨ ରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ହୋଇଥିଲା ଏବଂ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କୁ ନ୍ୟାୟ ଦେବା ଏବଂ ଆତଙ୍କବାଦୀ ଭିତ୍ତିଭୂମି ନଷ୍ଟ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ସମୁଦାୟ ୧୫ ଦିନ ଧରି ସେନା ଅତ୍ୟନ୍ତ ଯୋଜନାବଦ୍ଧ ରଣନୀତିରେ ଆଗକୁ ବଢ଼ୁଥିଲା। ଏହି ସମୟ ମଧ୍ୟରେ ଟାର୍ଗେଟ୍ ସ୍ଥିର କରାଯିବା ସହ ପରିସ୍ଥିତି ଉପରେ ସତର୍କ ନଜର ରଖାଯାଇଛି। ଚିନାର କର୍ପସ୍ ନିଶ୍ଚିତ କରିଥିଲା ଯେ ଏହି ଆକ୍ରମଣ ଶତ୍ରୁ ପକ୍ଷ ପାଇଁ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ହେବ ଏବଂ ଯାହା ବିଷୟରେ ସେମାନେ କେବେ କଳ୍ପନା କରିନଥିବେ। ମେ’ ୭ ତାରିଖରେ ସେନା ନିୟନ୍ତ୍ରଣ ରେଖାଠାରୁ ୩୪ କିଲୋମିଟର ଦୂର ମୁଜାଫରାବାଦରେ ଥିବା ସୱାଇ ନାଲା ଏବଂ ସୟଦନା ବିଲାଲ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲା।
ସେପଟେ ପାକିସ୍ତାନ ଏହାର ଜବାବ ଦେବା ପରେ କିପରି ମୁକାବିଲା କରାଯିବ ସେନେଇ ମଧ୍ୟ ସେନା ସମସ୍ତ ପ୍ରସ୍ତୁତି କରିଥିଲା। ଆକ୍ରମଣ ସମୟରେ ପାକିସ୍ତାନୀ ସେନା କ’ଣ ଘଟିଥିଲା ତାହା ବୁଝି ପାରିନଥିଲା। ପାକ୍ ସେନା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବେଳକୁ ସେନାର ଆର୍ଟିଲାରୀ ଓ ଏୟାର ଡିଫେନ୍ସ ଗନ୍ ଏହାକୁ ପ୍ରତିହତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ପାକିସ୍ତାନର ପ୍ରତ୍ୟେକ ଆକ୍ରମଣର ଜବାବ ଆର୍ଟିଲାରି ଗନ୍ ଦେଉଥିବା ବେଳେ ଏୟାର ଡିଫେନ୍ସ ଗନ୍ ପାକିସ୍ତାନର ଅଧିକାଂଶ ଆକ୍ରମଣକୁ ନିଷ୍କ୍ରିୟ କରିଥିଲା। ସୂଚନାଯୋଗ୍ୟ, ଅପରେସନ ପୂର୍ବରୁ ସେନାର କୌଣସି ଅତିରିକ୍ତ ଗତିବିଧି ନଥିବାରୁ ଶତ୍ରୁ ପକ୍ଷ ଅପରେସନ ସଂପର୍କରେ ସାମାନ୍ୟ ଟେର୍ ବି ପାଇନଥିଲେ।



