ବାତ୍ୟା ଫେଙ୍ଗଲ୍ ଯୋଗୁ ତାମିଲନାଡୁ-ପୁଡୁଚେରୀରେ ବନ୍ୟା ସ୍ଥିତି

ଚେନ୍ନାଇ: ତାମିଲନାଡୁ ଏବଂ ପୁଡୁଚେରୀରେ ବାତ୍ୟା ଫେଙ୍ଗଲ୍ ଯୋଗୁ ପ୍ରବଳ ବର୍ଷା ଜାରି ରହିଛି। ଏବେ ବର୍ଷାର ପରିମାଣ କମିଛି। ତେବେ ତାମିଲନାଡୁରେ ପ୍ରବଳ ବର୍ଷା ଯୋଗୁ ଚେନ୍ନାଇ ବିମାନବନ୍ଦରକୁ ବନ୍ଦ କରିବାକୁ ପଡିଛି। ସହରର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବାତ୍ୟା ଯୋଗୁ ପ୍ରବଳ ବର୍ଷା ଏବଂ ପ୍ରବଳ ପବନ ଚେନ୍ନାଇରେ ବିମାନ ଏବଂ ଟ୍ରେନ୍ ସେବାରେ ବାଧା ସୃଷ୍ଟି କରିଛି। ତିନି ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଚେନ୍ନାଇରେ ପ୍ରବଳ ବର୍ଷା ଯୋଗୁ ରାସ୍ତାଗୁଡ଼ିକ ପାଣିରେ ପରିପୂର୍ଣ୍ଣ ହୋଇଛି। ଜଣେ ବ୍ୟକ୍ତି ଏଟିଏମ୍ ବାହାରେ ସର୍ଟ ସର୍କିଟ ଯୋଗୁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଛନ୍ତି। ବିମାନ ବନ୍ଦର ବନ୍ଦ ରହିଛି ଏବଂ ଅନେକ ବିମାନର ଉଡ଼ାଣ ବାତିଲ କରାଯାଇଛି।
ଟ୍ରେନ୍ ଗୁଡିକ ମଧ୍ୟ ଧାର୍ଯ୍ୟ ସମୟଠାରୁ ଗନ୍ତବ୍ୟସ୍ଥଳ ଅଭିମୁଖେ ବିଳମ୍ବରେ ଚାଲୁଛି। ତାମିଲନାଡୁ ଏବଂ ପୁଡୁଚେରୀର କାଞ୍ଚିପୁରମ୍, ଚେଙ୍ଗଲପାଟ୍ଟୁ, ତିରୁଭାଲୁର, କୁଡାଲୋର, ଭିଲୁପୁରମ୍, କାଲାକୁରିଚି, ଚେନ୍ନାଇ ଏବଂ ମାୟିଲାଡୁଥୁରାଇ ଜିଲ୍ଲାର ସ୍କୁଲ ଏବଂ କଲେଜଗୁଡ଼ିକ ମଧ୍ୟ ସୋମବାର ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି।
ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫର ୭ଟି ଦଳ ନିୟୋଜିତ ଅଛନ୍ତି। ଦଳରେ ୩୦ଜଣ ଯବାନ ଅଛନ୍ତି। ଲୋକଙ୍କୁ ଘର ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ନିଜେ ପରିସ୍ଥିତି ଉପରେ ନଜର ରଖିଛନ୍ତି।