ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା କ୍ଲୋଜର୍ ରିପୋର୍ଟ ଦାଖଲ କଲା ସିବିଆଇ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ସହ ଜଡ଼ିତ ୨ଟି ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ (ସିବିଆଇ) ଆଜି କ୍ଲୋଜର୍ ରିପୋର୍ଟ ଦାଖଲ କରିଛି। ମୁମ୍ବାଇ କୋର୍ଟରେ ସିବିଆଇ ଏହି ରିପୋର୍ଟ ଦାଖଲ କରି ସ୍ପଷ୍ଟ କରିଛି ଯେ ସୁଶାନ୍ତ ସିଂହଙ୍କ ମୃତ୍ୟୁ ପଛରେ କୌଣସି ପ୍ରକାର ଷଡ୍ଯନ୍ତ୍ର ଥିବା ନେଇ କିଛି ପ୍ରମାଣ ମିଳିନାହିଁ। ଉଲ୍ଲେଖଯୋଗ୍ୟ, ସୁଶାନ୍ତଙ୍କ ମୃତ୍ୟୁ ନେଇ ତାଙ୍କ ବାପା କେକେ ସିଂହ ପାଟନାରେ ଏତଲା ରୁଜୁ କରିବାପରେ ସିବିଆଇ ଏହି ମାମଲାର ତଦନ୍ତଭାର ୨୦୨୦ ଅଗଷ୍ଟରେ ଗ୍ରହଣ କରିଥିଲା। ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ଏବଂ ଅନ୍ୟ କେତେଜଣ ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇଥିବା, ଆର୍ଥିକ ଜାଲିଆତି କରିଥିବା ଏବଂ ମାନସିକ ନିର୍ଯାତନା ଦେଇଥିବା ନେଇ କେକେ ସିଂହ ଅଭିଯୋଗ କରିଥିଲେ।
ଏହାର ଜବାବରେ ରିଆ ମଧ୍ୟ ମୁମ୍ବାଇରେ ଅନ୍ୟ ଏକ ଅଭିଯୋଗ କରିଥିଲେ। ସୁଶାନ୍ତଙ୍କ ଭଉଣୀ ତାଙ୍କ ପାଇଁ ଏକ ନକଲି ମେଡିକାଲ ପ୍ରେସ୍କ୍ରିପସନ୍ ଆଣିଥିବା ସେ ଅଭିଯୋଗ କରିଥିଲେ। ତେବେ ଏହି ୨ଟି ଯାକ ମାମଲାରେ ସିବିଆଇ ତଦନ୍ତ କରିବାପରେ କ୍ଲୋଜର୍ ରିପୋର୍ଟ ଦାଖଲ କରିଛି। ସୁଶାନ୍ତଙ୍କ ମୃତ୍ୟୁ ପଛରେ କୌଣସି ପ୍ରକାର ଆପରାଧିକ ଷଡ୍ଯନ୍ତ୍ର ନଥିବା ସିବିଆଇ ତଦନ୍ତରୁ ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ୩୪ ବର୍ଷୀୟ ସୁଶାନ୍ତଙ୍କର ୨୦୨୦ ଜୁନ୍ ୧୪ ତାରିଖରେ ତାଙ୍କ ବାନ୍ଦ୍ରା ସ୍ଥିତ ବାସଭବନରେ ମୃତ୍ୟୁ ହୋଇଥିଲା। ବ୍ୟବଚ୍ଛେଦ ରି ପୋର୍ଟରୁ ଜଣାପଡ଼ିଥିଲା ଯେ ତାଙ୍କର ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଛି।