ବାକି ଟଙ୍କା ପାଇଁ ଓକିଲଙ୍କ ଘରୁ ଲୁଟିଲା ଡ୍ରାଇଭର – Utkal Mail
ଲଖନଉ: ଉତ୍ତରପ୍ରଦେଶର ବସ୍ତି ଜିଲ୍ଲାର କୋଟୱାଲି ଥାନାଠାରୁ ଅଳ୍ପ କିଛି ଦୂରରେ ଜଣେ ଓକିଲଙ୍କ ଘରୁ ଦିନ ଦ୍ଵିପ୍ରହରରେ ଲୁଟ ଘଟଣାର ପୁଲିସ ଆଜି ପର୍ଦ୍ଦାଫାଶ କରିଛି | ପୁଲିସ ଥାନାଠାରୁ କିଛି ଦୂରରେ ଏହି ଲୁଟ ହୋଇଥିବାବେଳେ ୩ ଦିନ ଯାଏଁ ଲୁଟେରାକୁ ଧରି ନ ପାରିବା ନେଇ ଚର୍ଚ୍ଚା ଜୋର ଧରିବା ପରେ ଶେଷରେ ଦୁଇ ଲୁଟେରାଙ୍କୁ ପୁଲିସ ଧରିଛି | ମିଳିଥିବା ସୂଚନା ମୁତାବକ ଉତ୍ତରପ୍ରଦେଶର ବସ୍ତି ଜିଲ୍ଲାର କୋଟୱାଲି ଅଂଚଳରେ ବଡଧରଣର ଲୁଟ ହୋଇଥିଲା | ସୁରେନ୍ଦ୍ର ବର୍ମା ନାମକ ଜଣେ ଓକିଲଙ୍କ ଘରେ ଲୁଟ ହୋଇଥିବାବେଳେ ତାଙ୍କ ପତ୍ନୀଙ୍କୁ ଆକ୍ରମଣ କରି ଦୁଇଜଣ ଲୁଟେରା ସବୁ ଲୁଟିନେଇଥିଲେ | ଏହି ମାମଲାର ତଦନ୍ତ କରି ପୁଲିସ ସୁରେନ୍ଦ୍ରଙ୍କ ପୂର୍ବତନ ଡ୍ରାଇଭର ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରିଥିଲା | ପୁଲିସର ସୂଚନା ମୁତାବକ ରାମଦେବ ନାମକ ଅଭିଯୁକ୍ତ ପୂର୍ବରୁ ସୁରେନ୍ଦ୍ରଙ୍କ ଡ୍ରାଇଭର ଭାବେ କାମ କରୁଥିଲେ |
ଆଉ ୧୦ ଦିନ ତଳେ ରାମଦେବ ନିଜର କିଛି ବକେୟା ଟଙ୍କା ପାଇଁ ସୁରେନ୍ଦ୍ରଙ୍କ ଘରକୁ ଆସିଥିଲେ | ତେବେ ଡ୍ରାଇଭରଙ୍କୁ ବାକି ଟଙ୍କା ଦେବାକୁ ଓକିଲ ଜଣକ ସଫା ସଫା ମନା କରିଦେଇଥିଲେ | ଏଥିରେ ରାଗିଯାଇ ଡ୍ରାଇଭର ଜଣକ ନିଜର ଜଣେ ସହଯୋଗୀ ସହ ମିଶି ଓକିଲଙ୍କ ଘରୁ ଲୁଟ କରିଥିଲେ | ପୁଲିସ କହିଛି ଯେ ସେପ୍ଟେମ୍ବର ୧୧ ଦ୍ଵିପ୍ରହରରେ ଦୁଇ ଜଣ ଲୁଟେରା ଓକିଲଙ୍କ ଘରେ ପଶିଥିଲେ | ସେତେବେଳେ ଘରେ କେବଳ ଓକିଲଙ୍କ ପତ୍ନୀ ଥିଲେ | ଉଭୟ ଲୁଟେରା ତାଙ୍କ ପତ୍ନୀଙ୍କୁ ଆକ୍ରମଣ କରି ୬୦ ହଜାର ଟଙ୍କା ସହ ସୁନା ଅଳଙ୍କାର ଲୁଟିନେଇଥିଲେ | ପୁଲିସ ତଦନ୍ତ କରି ଦୁହିଁଙ୍କୁ ଗିରଫ କରିଥିବାବେଳେ ସେମାନଙ୍କ ପାଖରୁ ସୁନା ଅଳଙ୍କାର ସହ ୨୦ ହଜାର ଟଙ୍କା ଜବତ କରିଥିଲା | ବାକି ଟଙ୍କା ସେମାନେ ଖର୍ଚ୍ଚ କରିଦେଇଥିବାର କହିଥିଲେ |