ଆଜି ବିଜେଡି ପ୍ରତିଷ୍ଠାର ରୌପ୍ୟ ଜୟନ୍ତୀ, ଶ୍ରୀକ୍ଷେତ୍ରରେ ରାଜ୍ୟସ୍ତରୀୟ ସମାବେଶ, ନବୀନ ଦେବେ ସେବା ଓ ସମର୍ପଣର ଗୁରୁମନ୍ତ୍ର
ପୁରୀ – ଆଜି ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ । ଶାସକ ଦଳ ତା’ର ୨୬ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ପୁରୀ ତାଳବଣିଆ ପଡ଼ିଆଠାରେ ଆଜି ବିଜେଡିର ରାଜ୍ୟସ୍ତରୀୟ ସମାବେଶ ଆୟୋଜନ କରାଯାଉଛି। ଏଥିରେ ପ୍ରାୟ ୫୦ ହଜାର ନେତା, କର୍ମୀ ଓ କର୍ମକର୍ତ୍ତା ଯୋଗଦେବେ। ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମାବେଶରେ ଯୋଗ ଦେଇ ଦଳକୁ ଦଳୀୟ କର୍ମୀଙ୍କ ମାର୍ଗଦର୍ଶନ କରିବା ସହ ୨୦୨୪ ନିର୍ବାଚନ ପାଇଁ ଦେବେ ଗୁରୁମନ୍ତ୍ର ।ଦଳୀୟ କର୍ମୀଙ୍କୁ ଜନସେବା ପାଇଁ ସଂକଳ୍ପ ନେବା ସହ ରାଜ୍ୟବାସୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବା ପାଇଁ ପୁଣି ଥରେ ଗୁରୁମନ୍ତ୍ର ଦେବେ ବିଜେଡି ସୁପ୍ରିମୋ ।
ବିଜେଡି ଗଠନର ରୈ।ପ୍ୟ ଜୟନ୍ତୀ ସମାବେଶ ପାଇଁ ନେତା ଓ କର୍ମୀ ମହଲରେ ବେଶ ଉତ୍ସାହ ଦେଖିବାକୁ ମିଳିଛି ।
୧୯୯୭ ମସିହା ଡିସେମ୍ବର ୨୬ ତାରିଖରେ ଗଠନ ହୋଇଥିଲା ବିଜୁ ଜନତା ଦଳ । ଦୀର୍ଘ ୨୫ ବର୍ଷ ଧରି ରାଜ୍ୟବାସୀଙ୍କ ସେବା କରିଆସୁଛି ଦଳ । ନବୀନ ପଟ୍ଟନାୟକ ଲଗାତର ୫ ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।
୨୦୦୦ ମସିହାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି କ୍ଷମତାସୀନ ହୋଇଥିଲା । ଦିନେ ନିଅଣ୍ଟିଆ ରାଜ୍ୟର ପରିଚୟ ପାଇଥିବା ଓଡ଼ିଶା ଏବେ ଦେଶକୁ ଆହାର ଯୋଗାଉଛି । ରୌପ୍ୟ ଜୟନ୍ତୀରେ ରାଜ୍ୟ ବିକାଶ କ୍ଷେତ୍ରରେ ହାସଲ କରିଥିବା ମାଇଲଷ୍ଟୋନ୍ ନେଇ ଏକ ୧୫ ମିନିଟର ଭିଡିଓ ପ୍ରଦର୍ଶନ କରାଯିବ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ଓଡ଼ିଶାର ନେତୃତ୍ବ ନେଇଥିଲେ ନବୀନ ପଟ୍ଟନାୟକ । ନବୀନଙ୍କ ସ୍ବଚ୍ଛ ନିର୍ମଳ ଶାସନ ଲଗାତାର ରାଜ୍ୟକୁ ପ୍ରଗତି ପଥରେ ଆଗେଇ ନେଇଛି ।