ଓଡିଶା

ସମୁଦ୍ର ଭିତରେ ବଳ ଗୋଟାଉଛି ଦାନା, ବଦଳୁଛି ଗତିପଥ

ଭୁବନେଶ୍ଵର: ମାଡି ଆସୁଛି ବାତ୍ୟା ଦାନା । ଆଜି ଅବପାତର ରୂପ ନେବ ସାମ୍ଭାବ୍ୟ ବାତ୍ୟା । ସନ୍ଧ୍ୟା ସୁଦ୍ଧା ଗଭୀର ଅବପାତରେ ପରିଣତ ହେବ ବୋଲି କହିଛି ପାଣିପାଗ ବିଭାଗ। ୨୪ ରାତି କିମ୍ବା ୨୫ ତାରିଖ ଭୋରରୁ ଓଡ଼ିଶାରେ ସ୍ଥଳଭାଗ ଛୁଇଁବ । ଓଡ଼ିଶା ଭିତରକୁ ପ୍ରବେଶ କରିବା ବେଳେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୨୦ କିଲୋମିଟର ରହିବା ନେଇ ଆଶଙ୍କା ରହିଛି ।

ସେପଟେ ବାତ୍ୟା ପାଇଁ ଅଧା ଓଡ଼ିଶା ପ୍ରଭାବିତ ହେବାର ଆଶଙ୍କା ରହିଛି । ଏଥିପାଇଁ ୬ ଜିଲ୍ଲାକୁ ରେଡ୍‌ ଆଲର୍ଟ ଜାରି କରାଯାଇଛି। ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, କଟକ ଓ ଯାଜପୁର ଜିଲ୍ଲା ଉପରେ ଏହାର ସିଧା ପ୍ରଭାବ ପଡ଼ିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଆସନ୍ତାକାଲି ସକାଳ ସୁଦ୍ଧା ବାତ୍ୟାର ରୂପ ନେବ ଗଭୀର ଅବପାତ । ପରେ ବାତ୍ୟା ଉତ୍ତର ପଶ୍ଚିମ ଦିଗରେ ଗତିକରି ଓଡ଼ିଶା ମୁହାଁ ହେବ। କେନ୍ଦ୍ରାପଡାରୁ ସାଗର ଦ୍ବୀପ ମଧ୍ୟରେ ଛୁଇଁବ ସ୍ଥଳଭାଗ । ଭୀଷଣ ବାତ୍ୟା ଭାବରେ କରିବ ଲ୍ୟାଣ୍ଡଫଲ । ଏହାର ପ୍ରଭାବରେ ୨୩, ୨୪ ଓ ୨୫ ତାରିଖରେ ନିର୍ଧୂମ ବର୍ଷା ହେବ। ଘୂର୍ଣ୍ଣିଝଡ ପ୍ରଭାବରେ ଉତ୍ତର ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶା ପ୍ରଭାବିତ ହେବ। ସମୁଦ୍ରରେ ଉଚ୍ଚ ଜୁଆର ଆସିବ। ଏଥିପାଇଁ ଗତକାଲିଠାରୁ ୨୬ ତାରିଖ ପର୍ଯ୍ୟନ୍ତ ମତ୍ସଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ଅନ୍ୟପଟେ ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ୧୪ ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି ସରକାର।

ବାତ୍ୟାର ସଫଳ ମୁକାବିଲା ପାଇଁ ବିଏମସି ପକ୍ଷରୁ ସମନ୍ବୟ ବୈଠକ ହୋଇଛି। ବର୍ଷାର ପରିମାଣ ବଢ଼ିଲେ ଖାଲୁଆ ତଥା ତଳି ଅଞ୍ଚଳରୁ ଲୋକଙ୍କୁ ସ୍ଥନାନ୍ତର ପାଇଁ ନିଷ୍ପତ୍ତି ହୋଇଛି। ବାତ୍ୟା ଆଶ୍ରୟ ସ୍ଥଳ ଗୁଡ଼ିକରେ ବିଏମସି ଅଧିକାରୀମାନେ ଉପସ୍ଥିତ ରହି ପରିସ୍ଥିତିର ପରିଚାଳନା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଯଦି କୌଣସି ଲୋକେ ଅସୁବିଧାର ସମ୍ମୁଖୀନ ହୁଅନ୍ତି ସେମାନେ କଣ୍ଟ୍ରୋଲରୁମକୁ ଫୋନ୍‌ କରି ଜଣାଇବେ । କଣ୍ଟ୍ରୋଲ ରୁମରେ ୩ ସିପ୍ଟରେ ୧୦ ଜଣ ଲେଖାଁଏ କର୍ମଚାରୀ ନିୟୋଜିତ ହେବେ। ନିଜେ କମିଶନର ଏହାର ତଦାରଖ କରିବେ । ସେପଟେ ଆଜି ସନ୍ଧ୍ୟା ସୁଦ୍ଧା ପୁରୀ ଛାଡ଼ି ଚାଲିଯିବାକୁ ପର୍ଯ୍ୟଟକଙ୍କୁ ପରାମର୍ଶ ଦେଇଛି ପ୍ରଶାସନ। ସମୁଦ୍ର ଭିତରେ ଫସିଥିବା ଦୁଇଟି ମାଛ ଧରା ଡଙ୍ଗା ସମେତ ସେଥିରେ ଥିବା ମତ୍ସ୍ୟଜୀବୀଙ୍କୁ ଉଦ୍ଧାର ଉଦ୍ୟମ ଆରମ୍ଭ ହୋଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button