ମଞ୍ଚ ଉପରେ ପର୍ଶୁରାମ ଭୂମିକାରେ ଅଭିନୟ କରୁକରୁ କଳାକାରଙ୍କ ହେଲା ମୃତ୍ୟୁ – Utkal Mail
ନୂଆଦିଲ୍ଲୀ: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ମଞ୍ଚ ଉପରେ ରାମଳୀଲା ନାଟକ ଚାଲିଥିବା ବେଳେ ଏକ ଦୁଃଖଦ ଘଟଣା ଘଟି ଯାଇଥିବା ଜଣାପଡ଼ିଛି।
ରାମଳୀଲା ନାଟକ ଚାଲିଥିବା ବେଳେ ମଞ୍ଚ ଉପରେ ଭଗବାନ ପର୍ଶୁରାମଙ୍କ ଭୂମିକାରେ ଦର୍ଶକଙ୍କ ମନୋରଞ୍ଜନ କରୁଥିବା କଳାକାର ହୃଦଘାତର ଶିକାର ହୋଇଥିଲେ। ଆଉ ମଞ୍ଚ ଉପରେ ହିଁ ଦର୍ଶକଙ୍କ ଗହଳି ଭିତରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ମୃତ ବ୍ୟକ୍ତି ଜଣଙ୍କ ନାମ ବିନୋଦ ପ୍ରଜାପତି, ତାଙ୍କ ବୟସ ମାତ୍ର ୪୦ ବର୍ଷ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ରାଞ୍ଚିସ୍ଥିତ ଗରଓ୍ୱାର ଦଣ୍ଡେ ଗାଁରେ ମଞ୍ଚସ୍ଥ ହୋଇଥିବା ରାମଲୀଲାରେ ରାମାୟଣର ସୀତା ସ୍ୱୟଂବର ପ୍ରସଙ୍ଗ ଚାଲିଥିଲା। ପ୍ରଭୁ ରାମଙ୍କ ଭୂମିକା ନିଭାଇଥିବା କଳାକାର ଧନୁ ଭାଙ୍ଗିବା ପରେ ଭଗବାନ ପର୍ଶୁରାମ ସେଠାରେ ପହଞ୍ଚିଥିଲେ। ଭଗବାନ ପର୍ଶୁରାମଙ୍କ ଭୂମିକାରେ ଅଭିନୟ କରୁଥିବା ବିନୋଦ ପ୍ରଜାପତି ଉଚ୍ଚ ସ୍ୱରରେ ପାଟି କରି କହିଥିଲେ- କିଏ ଧନୁ ଭାଙ୍ଗିଲା? କିଏ ଧନୁ ଭାଙ୍ଗିଲା, ମୋତେ ଶୀଘ୍ର କୁହ, ମୋତେ ଶୀଘ୍ର କୁହ! ଏତିକି କହୁକହୁ ସେ ହଠାତ୍ ମଞ୍ଚ ଉପରେ ଚେତାଶୂନ୍ୟ ହୋଇ ପଡ଼ି ଯାଇଥିଲେ।
ତାଙ୍କୁ ତୁରନ୍ତ ସ୍ଥାନୀୟଲୋକେ ସେଠାରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ବିନୋଦଙ୍କୁ ମୃତ ଘୋଷଣା କରିଥିଲେ। ବିନୋଦ ପ୍ରଜାପତିଙ୍କର ମୃତ୍ୟୁ ହୃଦଘାତରେ ହୋଇଛି ବୋଲି ଡାକ୍ତର କହିଥିଲେ। ବିନୋଦ ପ୍ରଜାପତି ଗତ ଅନେକ ବର୍ଷ ଧରି ରାମଳୀଲାରେ ପ୍ରଭୁ ପର୍ଶୁରାମ ଭୂମିକାରେ ଅଭିନୟ କରୁଥିଲେ। ସେ ସମାଜ ସେବା ମଧ୍ୟ କରୁଥିଲେ।