କ୍ରାଇମ

ଏସ୍‌ଟିଏଫ୍‌ ଫାଶରେ ଠକେଇ ରୢାକେଟ୍‌ ମାମଲା: କାହ୍ନୁ ନାଁରେ ହତ୍ୟା ଅଭିଯୋଗ – Utkal Mail


ଆକାଉଣ୍ଟରେ କୋଟି କୋଟିର କାରବାର, ଲିଜ୍‌ରେ ଚଳାଉଛି ୩ ମଦ ଦୋକାନ

ଭୁବନେଶ୍ବର: ଠକେଇ ରୢାକେଟ୍‌ ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଦ୍ବାରା ଗିରଫ ହୋଇଥିବା ମାଷ୍ଟର ମାଇଣ୍ଡ କାହ୍ନୁ ଚରଣ ପ୍ରଧାନର ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି। କାହ୍ନୁ କେବଳ ଠକେଇ କରୁନଥିଲା, କାଜୁ ଜଙ୍ଗଲ ଠାରୁ ଆରମ୍ଭ କରି ମାଙ୍କଡ଼ା ପଥର ଖଣି ହାତେଇବା ପର୍ଯ୍ୟନ୍ତ ଅନେକ ଧନ୍ଦାରେ ସଂପୃକ୍ତ ଥିଲା, ସେଥିପାଇଁ ହତ୍ୟା କରିବାକୁ ମଧ୍ୟ ପଛାଉ ନଥିଲା। ଏଭଳି ଚାଞ୍ଚଲ୍ୟକର ତଥ୍ୟ ଏସ୍‌ଟିଏଫ୍‌ ହାତରେ ଲାଗିଛି। କାହ୍ନୁ ନାଁରେ ୬ଟି ଅପରାଧିକ ମାମଲା ରହିଛି। ତା’ ଭିତରେ ଗୋଟିଏ ହତ୍ୟା, ୩ଟି ଠକେଇ ମାମଲା ରହିଛି। ୩ଟି ମାମଲାର ଫାଇନାଲ୍‌ ଚାର୍ଜସିଟ୍‌ କୋର୍ଟରେ ଦାଖଲ ହୋଇଥିବା ବେଳେ ଏବେ ୩ଟି ମାମଲା ତଦନ୍ତ ପରିସରଭୁକ୍ତ ରହିଛି।

ମିଳିଥିବା ସୂଚନା ଅନୁସାରେ, ୨୦୨୦ ରେ ଖୋର୍ଦ୍ଧା ଜିଲ୍ଲା ଚାନ୍ଦପୁର ଥାନା ଅଞ୍ଚଳରେ ଥିବା ଏକ କାଜୁ ଜଙ୍ଗଲକୁ ହାତେଇବା ପାଇଁ ସ୍ଥାନୀୟ ଅଞ୍ଚଳରେ ଦଙ୍ଗାଭଳି ସ୍ଥିତି ଉପୁଜିଥିଲା। କାହ୍ନୁ ଓ ତାର ସହଯୋଗୀ କାଜୁ ଜଙ୍ଗଲକୁ ଅକ୍ତିଆର ପାଇଁ ଅନ୍ୟ ଗୋଷ୍ଠୀ ସହ ଲଢ଼େଇ କରୁଥିଲେ। ଫଳରେ ଦଙ୍ଗା ଭଳି ସ୍ଥିତି ସୃଷ୍ଟି ହୋଇଥିଲା। କାହ୍ନୁ ଗୋଷ୍ଠୀ ଆକ୍ରମଣରେ ଅନ୍ୟ ଗୋଷ୍ଠୀର ଦୁର୍ଗା ପ୍ରଧାନ ଓରଫ୍‌ ଦୁଙ୍ଗା ଓ ବିରଞ୍ଚି ପ୍ରଧାନ ନାମକ ଦୁଇ ଯୁବକଙ୍କର ମୃତ୍ୟୁ ଘଟିଥିଲା। ଘଟଣାରେ ଚାନ୍ଦପୁର ଥାନା ପୁଲିସ କେସ୍‌ ନଂ-୩୭/୨୦ରେ ମାମଲା ରୁଜୁକରି -କାହ୍ନୁକୁ ୨୦୨୦ ମସିହା ନଭେମ୍ବର ୧୧ ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେହିପରି ସ୍ଥାନୀୟ ଅଞ୍ଚଳର ଅନ୍ୟ ଜଣେ ଯୁବକଙ୍କୁ ସରକାରୀ ଚାକିରି କରାଇଦେବ ବୋଲି ପ୍ରତିଶ୍ରୁତି ଦେଇ ସେ ୩ଲକ୍ଷ ୬୦ହଜାର ଟଙ୍କା ନେଇଥିଲା। ଏକ ସ୍କୁଲ୍‌କୁ ସରକାରୀ ଅନୁଦାନ କରାଇଦେବା ପାଇଁ ୧୫ହଜାର ଟଙ୍କା ନେଇଥିଲା ବୋଲି ତଥ୍ୟ ଏସ୍‌ଟିଏଫ ହାତରେ ଲାଗିଛି।

ଜଣା ପଡ଼ିଛି ଯେ କୋଟାକ ମହିନ୍ଦ୍ରା, ୟେସ୍‌ ବ୍ୟାଙ୍କ,ଏସ୍‌ବିଆଇ, ଆକ୍ସିସ୍‌ ବ୍ୟାଙ୍କରେ କାହ୍ନୁର ୫ଟି ଆକାଉଣ୍ଟ ଅଛି। ତା’ ଜରିଆରେ ସେ ୨କୋଟିରୁ ଊର୍ଧ୍ବ ଟଙ୍କାର ଆର୍ଥିକ କାରବାର କରିଛି। ବିଭିନ୍ନ ଆକାଉଣ୍ଟରେ ସହଯୋଗୀ କିଶୋର ମିଶ୍ର ଠାରୁ କାହ୍ନୁ ୪୫ଲକ୍ଷ ଟଙ୍କା ନେଇଥିବା ଜଣାପଡ଼ିଛି। ସେହିପରି ଚନ୍ଦକା ଅଞ୍ଚଳରେ ପ୍ରଥମେ ତା’ର ଗୋଟିଏ ଘର ଠାବ ହୋଇଥିବା ବେଳେ ଏବେ ଆଉ ଏକ ଘର ମିଳିଛି। ସେ ୩ଟି ମଦ ଦୋକନ ଲିଜ୍‌ରେ ଚଳାଉଥିବା କଥା ମଧ୍ୟ ପଦାକୁ ଆସିଛି। ଏ ସମସ୍ତ ଦିଗକୁ ନେଇ ଏସ୍‌ଟିଏଫ୍‌ ଖୋଳତାଢ଼ କରୁଛି। ଉଭୟ କାହ୍ନୁ ଓ କିଶୋରକୁ ଉଭୟଙ୍କୁ ୫ଦିନିଆ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରାଯାଇଛି।




Related Articles

Leave a Reply

Your email address will not be published. Required fields are marked *

Back to top button