ଆଜି ଟି-୨୦ ବିଶ୍ୱକପ ଫାଇନାଲ: ଟାଇଟଲ ପାଇଁ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା

ବ୍ରିଜଟାଉନ୍ (ବାର୍ବାଡୋସ): ଆଜି ଟି-୨୦ ବିଶ୍ୱକପର ଫାଇନାଲ ମୁକାବିଲା । ଟାଇଟଲ ପାଇଁ ପଡିଆରେ ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା । ଟ୍ରଫି ଲକ୍ଷ୍ୟରେ ଉଭୟ ଟିମ୍ । ବାରବାଡୋସରେ ବିଜୟ ପତାକା ଉଡ଼ାଇବାକୁ ପ୍ରସ୍ତୁତ ରୋହିତ୍ ସେନା ଓ ଟିମ୍ ମାର୍କ୍ରମ୍ । ଦକ୍ଷିଣ ଆଫ୍ରିକା କୌଣସି ବିଶ୍ୱକପରେ ପ୍ରଥମଥର ଫାଇନାଲକୁ ଯାଇଥିବା ବେଳେ ଭାରତ ଗୋଟିଏ ଦଶନ୍ଧି ହେଲା ଟ୍ରଫି ପାଇଁ ଅପେକ୍ଷା କରି ରହିଛି। ଉଭୟ ଟିମ ବର୍ତ୍ତମାନ ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ଅଛନ୍ତି। ଦକ୍ଷିଣ ଆଫ୍ରିକା ପ୍ରଥମ ସେମି ଫାଇନାଲରେ ଆଫଗାନିସ୍ତାନକୁ ଏକତରଫା ଭାବେ ପରାସ୍ତ କରିଥିଲା। ସେହିପରି ଭାରତ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡକୁ ହରାଇ ଫାଇନାଲକୁ ଆସିଛି।
୨୦୦୭ରେ ଚାମ୍ପିୟନ ଓ ୨୦୧୪ରେ ରନର୍ସଅପ୍ ଭାରତ ତୃତୀୟ ଥର ପାଇଁ ଫାଇନାଲ ଖେଳିବାକୁ ଯାଉଛି। ୨୦୧୩ ପରଠାରୁ ଭାରତ ଆଉ କୌଣସି ଆଇସିସି ଟ୍ରଫି ଜିତିବାକୁ ସକ୍ଷମ ହୋଇନାହିଁ I ତେଣୁ ୧୧ ବର୍ଷ ଧରି ଟାଇଟଲ ମରୁଡ଼ିର ଅନ୍ତ ଘଟାଇବା ପାଇଁ ଭାରତ ନିକଟରେ ସୁଯୋଗ ରହିଛି। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ପ୍ରଥମଥର ପାଇଁ ଫାଇନାଲରେ ଅବତୀର୍ଣ୍ଣ ହୋଇଛି। ଉଭୟ ଦଳ ଚଳିତ ବିଶ୍ବକପରେ ଅପରାଜେୟ ରହିଛନ୍ତି। ତେଣୁ ଫାଇନାଲ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି ।